ଭୁବନେଶ୍ୱର ମହାନିଗମ ସ୍ତରୀୟ ବିଦ୍ୟାଳୟ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ

Spread the love

୧୦୬ଟି ବିଦ୍ୟାଳୟକୁ ଜମିପଟ୍ଟା ବଣ୍ଟନ

ଭୁବନେଶ୍ୱର, ତା.୦୨.୦୧.୨୦୨୪ : ଭୁବନେଶ୍ୱର ମହାନିଗମ ସ୍ତରୀୟ ବିଦ୍ୟାଳୟ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ୫୦ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଏବଂ ୫୬ଟି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ମୋଟ ୧୦୬ଟି ବିଦ୍ୟାଳୟକୁ ଜମିପଟ୍ଟା ପ୍ରଦାନ କରାଯାଇଛି ।

ଏହି ଅବସରରେ କ୍ୟାପିଟାଲ ହାଇସ୍କୁଲରେ ଅନୁଷ୍ଠିତ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜ୍ଞାନ ଓ ବୈଷୟିକ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ବହୁଦିନର ଦାବିକୁ ବିଚାରକୁ ନେଇ ସରକାର ବିଦ୍ୟାଳୟ ଗୁଡିକୁ ପଟ୍ଟା ପ୍ରଦାନ କରିଛନ୍ତି। ଏହାଦ୍ୱାରା ବିଦ୍ୟାଳୟ ଜମିକୁ ନେଇ ଥିବା ବିବାଦ ସମାଧାନ ହୋଇପାରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ବୋଲି ଶ୍ରୀ ପଣ୍ଡା କହିଥିଲେ । ସେହିଭଳି ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ, ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ତଥା ଖୋର୍ଦ୍ଧା ଜିଲ୍ଲା ଆମ ଓଡିଶା ନବୀନ ଓଡିଶା ଉପଦେଷ୍ଟା ଶ୍ରୀମତୀ ଶ୍ରୀମୟୀ ମିଶ୍ର ପ୍ରମୁଖ ଯୋଗ ଦେଇ ସରକାରଙ୍କ ଏହି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟ ଗୁଡିକର ନିଜସ୍ୱ ପଟ୍ଟା ଦ୍ୱାରା ଆବଶ୍ୟକୀୟ ସମ୍ପ୍ରସାରଣ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହାସଲ ହୋଇପାରିବ । ତ୍ୱରିତ ସେବା ପ୍ରଦାନରେ ବିଭିନ୍ନ ସଂସ୍ଥା ଗୁଡିକୁ କୌଣସି ସମସ୍ୟା ହେବ ନାହିଁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ସେମାନଙ୍କ ବିଦ୍ୟାଳୟ ପଟ୍ଟା ଗ୍ରହଣ କରିବା ସହ ଖୁସିବ୍ୟକ୍ତ କରିଥିଲେ ।
ଏହି ଅବସରରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରୁଦ୍ରନାରାୟଣ ମହାନ୍ତି, ଉପ ଜିଲ୍ଲାପାଳ ଶ୍ରୀ ଚିନ୍ମୟ ଆଚାର୍ଯ୍ୟ, ଭୁବନେଶ୍ୱର ତହସିଲଦାର ଶ୍ରୀ ମାନସ କୁମାର ସ୍ୱାଇଁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱନାଥ ତରାଇ ପ୍ରମୁଖ ଯୋଗ ଦେଇଥିଲେ । ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ପ୍ରଜ୍ଞା ପାରମିତା ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


Spread the love

Leave A Reply

Your email address will not be published.