ରିସର୍ଜେଂଟ୍ ଓଡ଼ିଶା ୨୦୨୪ ଉଦ୍‌ଯାପିତ

ଶିଳ୍ପରେ ଅଧିକ ମହିଳାଙ୍କୁ ନିଯୁକ୍ତି ଦିଆଯାଉ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

Spread the love

ଭୁବନେଶ୍ୱର, ୧ ସେପ୍େଟମ୍ବର ୨୦୨୪: ରାଜ୍ୟରେ ଶିଳ୍ପ ସଂସ୍ଥା ସ୍ଥାପନ କରୁଥିବା କମ୍ପାନିଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆହ୍ୱାନ ଦେଇ ମହିଳାମାନଙ୍କ ନିଯୁକ୍ତି ଉପରେ ଧ୍ୟାନ ଦେବାକୁ କହିଛନ୍ତି । ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ ପକ୍ଷରୁ ଜନତା ମଇଦାନଠାରେ ଆୟୋଜନ କରାଯାଇଥିବା ଗ୍ଲୋବାଲ ଟ୍ରେଡ ସୋ ‘ରିସର୍ଜେଂଟ ଓଡ଼ିଶା ୨୦୨୪’ର ଉଦଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତୀ ପରିଡ଼ା ନିଯୁକ୍ତି ଜରିଆରେ ମହିଳାମାନଙ୍କ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଶିଳ୍ପ ଜଗତରେ ଅଧିକରୁ ଅଧିକ ମହିଳାଙ୍କ ନିୟୋଜନ ପାଇଁ ସୁଯୋଗ ସୃଷ୍ଟି କରିବା ଏବଂ ଯେଉଁ ମହିଳାମାନେ ଉଦ୍ୟୋଗୀ ଭାବେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ଲାଗି ଅଧିକରୁ ଅଧିକ ବ୍ୟବସାୟ ସୁଯୋଗ ସୃଷ୍ଟି କରିବାକୁ ସେ ଆହ୍ୱାନ ଦେଇଛନ୍ତି । ମହିଳାମାନଙ୍କ ଦ୍ୱାରା ପରିଚାଳିତ ହେଉଥିବା ମିଶନ ଶକ୍ତି ବଜାର ବୁଲି ଦେଖିବା ଏବଂ ସେମାନଙ୍କ ଉତ୍ପାଦ କ୍ରୟ କରି ଅଭିବୃଦ୍ଧିରେ ସହଯୋଗ କରିବାକୁ ସେ ଶିଳ୍ପସଂସ୍ଥାମାନଙ୍କୁ କହିଛନ୍ତି ।
ଏହି ଅବସରରେ ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ୨୦୪୭ ସୁଦ୍ଧା ଓଡ଼ିଶାକୁ ୧.୫ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବା ଲାଗି ସରକାର ଧାର୍ଯ୍ୟ କରିଥିବା ଲକ୍ଷ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଲକ୍ଷ୍ୟ ହାସଲରେ ଏମ୍‌ଏସ୍‌ଏମ୍‌ଇ ବିଭାଗ ସବୁ ପ୍ରକାର ସହଯୋଗ ପ୍ରଦାନ କରିବା ସହ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି । ଏମ୍‌ଏସ୍‌ଏମ୍‌ଇର ବିକାଶ ଲାଗି ବଜେଟରେ ବିପୁଳ ବ୍ୟୟବରାଦ କରାଯାଇଥିବା ସେ ସୂଚନା ଦେଇଛନ୍ତି । ବିପୁଳ ଖଣିଜ ସମ୍ପଦ ସହିତ ପର୍ଯ୍ୟାପ୍ତ ବେଳାଭୂମି ରାଜ୍ୟରେ ଥିବା ବେଳେ ଏବେବି ୧୨ରୁ ଅଧିକ ଜିଲ୍ଲା ଶିଳ୍ପବିହୀନ ଜିଲ୍ଲା ହୋଇରହିଛି । ଏହି ସବୁ ଜିଲ୍ଲାଗୁଡ଼ିକରେ ଶିଳ୍ପ ସ୍ଥାପନ କରିବାରେ ସରକାରଙ୍କ ଯେତିକି ଭୂମିକା ରହିଛି, ଶିଳ୍ପ ଜଗତର ମଧ୍ୟ ସେତିକି ଭୂମିକା ରହିଛି ବୋଲି ସେ କହିଛନ୍ତି ।
ରିସର୍ଜେଂଟ ଓଡ଼ିଶା ୨୦୨୪ର ଉଦଯାପନୀ ସମାରୋହରେ ୟୁସିସିଆଇଏଲର ସଭାପତି ବ୍ରହ୍ମାନନ୍ଦ ମିଶ୍ର, ରିସର୍ଜେଂଟ୍ ଓଡ଼ିଶା ୨୦୨୪ର ଅଧ୍ୟକ୍ଷ ପ୍ରବୋଧ ମହାନ୍ତି, ଆଦିତ୍ୟ ବିର୍ଲା ଗ୍ରୁପର ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର, ଜେପି ଲ୍ୟାବର ସଭାପତି ଗୋର୍ଡନ ପଟେଲ, ରାଉରକେଲା ଷ୍ଟିଲ ପ୍ଲାଂଟର ପୂର୍ବତନ ଏମଡି ଡ. ସନକ ମିଶ୍ର, ଏମଏସଏମଇ-ଡିଏଫଓ ପି କେ ଗୁପ୍ତା, ୟୁସିସିଆଇଏଲର ପୂର୍ବତନ ସଭାପତି ରମେଶ ମହାପାତ୍ର, ଭିପି (ଶିଳ୍ପ) ତାରିଣୀ ପ୍ରସାଦ ମହାନ୍ତି ଓ ଅବୈତନିକ ସଚିବ ଏ କେ ଶାରଦା ଉପସ୍ଥିତ ଥିଲେ ।


Spread the love

Leave A Reply

Your email address will not be published.