ଭୁବନେଶ୍ୱର, ଡିସେମ୍ବର ୧୮: ବାଂଜୁଙ୍ଗର ରାଜା ଡକ୍ଟର ହୋନର୍ ଜୋମୋ କାମ୍ଗାଙ୍କ ନେତୃତ୍ୱରେ କ୍ୟାମେରୁନ୍ର ଏକ ତିନି ଜଣିଆ ପ୍ରତିନିଧି ଦଳ ଦୁଇ ଦିନିଆ ସୋଆ ଗସ୍ତରେ ଆସି ବିଶ୍ୱବିଦ୍ୟାଳୟ ପରିଚାଳିତ ମେଡିକାଲ୍ କଲେଜ ଓ ହସ୍ପିଟାଲ୍ ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି ।
ରାଜାଙ୍କ ସହିତ ଜର୍ମାନୀର ହାମ୍ବର୍ଗ ସ୍ଥିତ ଇନ୍ଟରନ୍ୟାସ୍ନାଲ୍ ଟ୍ରିବ୍ୟୁନାଲ୍ ଫର୍ ଦ ଲ ଅଫ୍ ଦ ସି ‘ର ବିଚାରପତି ପ୍ରଫେସର (ଡକ୍ଟର) ମୌରିସ୍ କେଙ୍ଗନେ କାମ୍ଗା ଓ କ୍ୟାମେରୁନ୍ ଦୁଆଲା ସ୍ଥିତ ହାନ୍ସିଆଟିକ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଆଣ୍ଡ ଆପ୍ଲାଏଡ୍ ସାଇନ୍ସେସ୍ (ହିଟାସ୍)ର ପ୍ରମୁଖ ପ୍ରତିଷ୍ଠାତା ଶ୍ରୀ ଇନୋସେଂଟ ଟାକ୍ଟୋ ଫୋଟ୍ସୋ ସୋଆ ପରିଦର୍ଶନରେ ଆସିଥିଲେ ।
ଏହି ପ୍ରତିନିଧି ଦଳ ସୋଆର ଫ୍ୟାକଲ୍ଟି ଅଫ୍ ମେଡିକାଲ୍ ସାଇନ୍ସ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ କର୍ପୋରେଟ ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାର ବୁଲି ଦେଖିଥିଲେ । ପରବର୍ତୀ ସମୟରେ ସେମାନେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ ।
ହସ୍ପିଟାଲ୍ ଦୁଇଟି ଖୁବ୍ ଉଚ୍ଚକୋଟୀର ଏବଂ ଏହିଭଳି ମେଡିକାଲ୍ କଲେଜ ଓ ହସ୍ପିଟାଲ୍ର ଆବଶ୍ୟକତା ଦୁଆଲାରେ ଥିବା ବେଳେ ଆମେ ମଧ୍ୟ ଏକ ପ୍ରକଳ୍ପ ଆରମ୍ଭ କରିବାର ଯୋଜନା କରିବୁ ବୋଲି ଶ୍ରୀ ଫୋଟ୍ସୋ କହିଥିଲେ । ଗତ ଫେବୃଆରୀ ମାସରେ ସୋଆ ଏବଂ ହିଟାସ୍ ମଧ୍ୟରେ କ୍ୟାମେରୁନ୍ର ଛାତ୍ରଛାତ୍ରୀଙ୍କୁ ସୋଆରେ ପ୍ରଶିକ୍ଷଣ ଓ ବିଭିନ୍ନ ପାଠ୍ୟକ୍ରମରେ ନାମ ଲେଖାଇବା ନେଇ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।
ଏହି ଅବସରରେ ବାଂଜୁଙ୍ଗର ରାଜା ଡକ୍ଟର କାମ୍ଗା କହିଥିଲେ ଯେ କ୍ୟାମେରୁନ୍ରେ ଏକ ମେଡିକାଲ୍ କଲେଜ ଆରମ୍ଭ କରିବା ନେଇ ସୋଆର ସହଯୋଗ ଆବଶ୍ୟକ । ସେହିପରି ଚିକିତ୍ସା ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବା ନିମନ୍ତେ କ୍ୟାମେରୁନ୍ର ରୋଗୀମାନେ ସୋଆ ପରିଚାଳିତ ହସ୍ପିଟାଲଗୁଡ଼ିକୁ ଆସିବା ନେଇ ସେ ଗୁରୁତ୍ୱ ଦେଇଥିଲେ ।
ପ୍ରଫେସର ନନ୍ଦ କହିଥିଲେ ଯେ ପ୍ରତିନିଧିମାନେ ସୋଆର ବିଭିନ୍ନ ଅନୁଷ୍ଠାନ ବୁଲିବା ସହିତ ଏହା କିଭଳି ଭାବେ ପରିଚାଳିତ ସେ ବିଷୟରେ ଜ୍ଞାନ ଆହରଣ କରିଥିଲେ । ସକାଳେ ପ୍ରତିନିଧି ଦଳ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ ପରିଦର୍ଶନରେ ଯାଇଥିଲେ । ସେଠାରେ ଆସିଷ୍ଟାଂଟ ପ୍ରଫେସର ଥିବା ପ୍ରଫେସର ସଂଦୀପ୍ତା ପାଢ଼ୀଙ୍କ ଦ୍ୱାରା ଲିଖିତ ‘ସରୋଗେସି ଇନ୍ ଏ ଗ୍ଲୋବାଲାଇଜ୍ଡ ୱର୍ଲ୍ଡ’ ପୁସ୍ତକକୁ ବାଂଜୁଙ୍ଗ୍ର ରାଜା ଉନ୍ମୋଚିତ କରିଥିଲେ । ସେଠାରେ ପ୍ରଫେସର ମରିସ୍ କାମ୍ଗା “ଏବିସି ଅଫ୍ ଦି ଇନଟରନ୍ୟାସ୍ନାଲ୍ ଲ ଅଫ୍ ଦି ସି” ପ୍ରସଙ୍ଗରେ ଏକ ବକ୍ତବ୍ୟ ରଖିଥିଲେ । ଏଥିରେ ଶିକ୍ଷାନୁଷ୍ଠାନର ଡିନ୍ ପ୍ରଫେସର ଏସ୍. ଏ. କେ.ଆଜାଦଙ୍କ ସହିତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ସୋଆ ଇନ୍ଟରନ୍ୟାସ୍ନାଲ୍ ରିଲେସନ୍ସ ଓ ଆଉଟରିଚ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା ଶର୍ମା ଅତିଥି ପରିଚୟ ଦେବା ସହିତ ପ୍ରତିନିଧି ଦଳଙ୍କୁ ପରିଦର୍ଶନରେ ସକ୍ରିୟ ସହାୟତା ଯୋଗାଇଥିଲେ । ରବିବାର ଦିନ ଡେଲିଗେସନ୍ ସୋଆରେ ଅଧ୍ୟୟନରତ କ୍ୟାମେରୁନ୍ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।