ଝିଅମାନଙ୍କ ଅଧିକାର ପାଇଁ ସଂଗ୍ରାମରେ ସରକାରଙ୍କ ସହିତ ଉଦ୍ୟୋଗ ଜଗତକୁ ମଧ୍ୟ ଆଗକୁ ଆସିବାକୁ ପଡିବ: ଇଶା ଅମ୍ବାନୀ

Spread the love

– ଦୂରସଂଚାର ବିଭାଗ ଏବଂ ମିଳିତ ଜାତିସଂଘର ଏଜେନ୍ସି ଦ୍ୱାରା ମିଳିତ ଭାବେ ଆୟୋଜିତ ‘ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଝିଅ (ଜିଆଇସିଟି) ଭାରତ – ୨୦୨୪’

ନୂଆଦିଲ୍ଲୀ, ମଇ ୧୫, ୨୦୨୪: ଚତୁର୍ଥ ଶିଳ୍ପ ବିପ୍ଳବର ଏହି ଡିଜିଟାଲ ଯୁଗରେ ଯଦି ଭାରତକୁ ବିଶ୍ୱର ଅଗ୍ରଣୀ ଭାବରେ ଉଭା ହେବାର ଅଛି ତେବେ ଝିଅମାନଙ୍କୁ ଆଗକୁ ଆଣିବାକୁ ପଡ଼ିବ । ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ, ସୂଚନା ଏବଂ ସଂଚାର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଝିଅମାନଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବାକୁ ପଡିବ । ଦୂରସଂଚାର ବିଭାଗ ଦ୍ୱାରା ଆୟୋଜିତ ‘ଗାର୍ଲସ ଇନ୍ ଆଇସିଟି ଇଣ୍ଡିଆ – ୨୦୨୪’ ରେ ଝିଅମାନଙ୍କୁ ସମ୍ବୋଧନ କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ନିର୍ଦ୍ଦେଶକ ଇଶା ଅମ୍ବାନୀ ଏହା କହିବା ସହିତ ସେମାନଙ୍କୁ ଟେକ୍ନୋଲୋଜିକୁ କ୍ୟାରିୟର ଭାବରେ ବାଛିବା ପାଇଁ ଉତ୍ସାହିତ କରିଥିଲେ । ଟେକ୍ନୋଲୋଜି କ୍ଷେତ୍ରରେ ମହିଳା ଓ ପୁରୁଷଙ୍କ ଅନୁପାତ ସମାନ ହେବା ଉଚିତ୍ ଏବଂ ଏଥିପାଇଁ ଆମକୁ ଆହୁରି ଅନେକ ବାଟ ଅତିକ୍ରମ କରିବା ବାକି ଅଛି ବୋଲି ଇଶା କହିଛନ୍ତି ।

ଭାରତ ସରକାରଙ୍କ ଦୂରସଂଚାର ବିଭାଗ, ଆନ୍ତର୍ଜାତୀୟ ଦୂରସଂଚାର ସଂଘ (ଦକ୍ଷିଣ ଏସିଆ), ଇନୋଭେସନ୍ ସେଣ୍ଟର – ଦିଲ୍ଲୀ ଏବଂ ଜାତିସଂଘର ଅନ୍ୟ ଏଜେନ୍ସି ମାନଙ୍କ ଦ୍ୱାରା ମିଳିତ ଭାବରେ ‘ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତି କ୍ଷେତ୍ରରେ ଝିଅ (ଜିଆଇସିଟି) ଭାରତ – ୨୦୨୪’ ଆୟୋଜିତ ହୋଇଥିଲା ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ପ୍ରଶଂସା କରି ଇଶା ଅମ୍ବାନୀ କହିଛନ୍ତି ଯେ “ସରକାର ଆବଶ୍ୟକ ସୁଧାର କରୁଛନ୍ତି ଏବଂ ଏହାର ସୁଫଳ ମଧ୍ୟ ଦେଖିବାକୁ ମିଳୁଛି । ବିଗତ ଦଶନ୍ଧିରେ ଟେକ୍ନୋଲୋଜି କ୍ଷେତ୍ରରେ ମହିଳାଙ୍କ ପ୍ରତିନିଧିତ୍ୱ ୬% ବୃଦ୍ଧି ପାଇଛି, କିନ୍ତୁ ଉଦ୍ୟୋଗ ଜଗତକୁ ମଧ୍ୟ ଏହି ଦିଗରେ ଯୋଗଦାନ ଦେବାକୁ ପଡିବ । ସେମାନଙ୍କୁ ଏହିପରି ଉପାୟ ଏବଂ ସାଧନ ପ୍ରସ୍ତୁତ କରିବାକୁ ପଡିବ ଯାହାଦ୍ୱାରା ମହିଳାମାନଙ୍କ କ୍ୟାରିଅରରେ ସ୍ଥିରତା ସୁନିଶ୍ଚିତ ହୋଇପାରିବ । ମିଳିତ ଭାବରେ ଆମେ ଏଭଳି ଏକ ଭବିଷ୍ୟତ ସୃଷ୍ଟି କରିପାରିବା ଯେଉଁଠାରେ ଆମ ଝିଅମାନଙ୍କୁ ଆସନ୍ତାକାଲିର ନେତା ହେବାର ସମାନ ସୁଯୋଗ ମିଳିବ ।

ନିଜ ମା ନୀତା ଅମ୍ବାନୀଙ୍କ ବିଷୟରେ ଉଲ୍ଲେଖ କରି ଇଶା ଅମ୍ବାନୀ କହିଛନ୍ତି ଯେ ସେ ବାରମ୍ବାର କୁହନ୍ତି, “ଜଣେ ପୁରୁଷକୁ ସଶକ୍ତ କଲେ ସେ ଗୋଟିଏ ପରିବାରର ପେଟ ପୋଷିବେ, ତେବେ ଯଦି କୌଣସି ମହିଳା ସଶକ୍ତ ହୁଅନ୍ତି, ତେବେ ସେ ସମଗ୍ର ଗାଁକୁ ଖାଇବା ଯୋଗାଇଦେବେ ।” ସେ ଆହୁରି ମଧ୍ୟ କହିଛନ୍ତି ଯେ, “ମହିଳାମାନେ ଜନ୍ମରୁ ହିଁ ନେତା ହୋଇଥାନ୍ତି ବୋଲି ମା କହୁଥିବା କଥାରେ ମୁଁ ଦୃଢ ଭାବରେ ବିଶ୍ୱାସ କରେ । ମହିଳା କର୍ମଚାରୀମାନଙ୍କୁ ସେମାନଙ୍କ କ୍ୟାରିୟର ଆରମ୍ଭରୁ ହିଁ ଉତ୍ସାହିତ କରାଯିବା ଉଚିତ୍ । କେବଳ କାଗଜରେ ବିବିଧତା ଓ ସମାବେଶିତା ଦେଖାଇବା ଦ୍ୱାରା ପରିବର୍ତ୍ତନ ଆସିବ ନାହିଁ ।”


Spread the love

Leave A Reply

Your email address will not be published.