ଝାରସୁଗୁଡ଼ା, ୩୦/୦୧/୨୦୨୬ : ଡିଏଭି ପବ୍ଲିକ ସ୍କୁଲ ଝାରସୁଗୁଡ଼ା ପରିସରରେ ଭାରତ ସ୍ଵାଧୀନତା ସଂଗ୍ରାମର ଶ୍ରେଷ୍ଠ ଯୋଦ୍ଧା ତଥା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ତଥା ଶହୀଦ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ପ୍ରତିନିଧିତ୍ୱରେ ଆୟୋଜିତ ସଭାରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଫଳକରେ ମାଲ୍ୟାର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

ଅଧ୍ୟକ୍ଷ ଶ୍ରୀ ଦେବତା ସ୍ୱାଗତ ଭାଷଣରେ ସତ୍ୟ ଓ ଅହିଂସା ରୂପକ ଅସ୍ତ୍ରରେ ବିଶ୍ୱକୁ ନୂତନ ଦିଶା ଦେଇଥିବା ପୂଜ୍ୟ ବାପୁଙ୍କ ଜୀବନାଦର୍ଶ, ତ୍ୟାଗ, ସହନଶୀଳତା, ଉଦାରତା ଓ ଦେଶପ୍ରେମ ସର୍ବଦା ପ୍ରେରଣାଦାୟୀ ଓ ଅନୁକରଣୀୟ ବୋଲି ଭାବବ୍ୟକ୍ତ କରିଥିଲେ । ନୀଳିମା ପଟେଲ, ସବିତା ଧଳ, ସୁନନ୍ଦା ପ୍ରହରାଜ, ମନିଷା ଚାନ୍ଦ, ନମିତା ପାଣ୍ଡେ, ମୋନିକା ଶ୍ରୀବାସ୍ତବ, ବିଜୟ ଦାଶ ପ୍ରମୁଖ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଗୋଷ୍ଠୀଗତ ଭାବେ ବାପୁଜୀଙ୍କ ଜୀବନ୍ତାକାର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ତାଙ୍କ ସମ୍ମୁଖରେ ଗାନ୍ଧୀଙ୍କ ପ୍ରିୟ ଧୂନ ପରିବେଷଣ କରିଥିଲେ ।
କାର୍ଯ୍ୟକ୍ରମ ସଭାରେ ସମସ୍ତେ ଗାନ୍ଧୀଙ୍କ ପରି ସରଳ, ନିରାଡ଼ମ୍ବର ଓ ସ୍ୱଦେଶୀ ବିଚାରସମ୍ପନ୍ନ ଜୀବନ ପ୍ରଣାଳୀ ଆପଣେଇବାକୁ ସଂକଳ୍ପ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।