ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ

Spread the love



ଭୁବନେଶ୍ୱର: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସଂପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପ ନିମନ୍ତେ ପାଣ୍ଠି ବ୍ୟବସ୍ଥା, ବୈଷୟିକ ନିର୍ଦ୍ଧିଷ୍ଟତା, ବିଭିନ୍ନ ସ୍ଥାନରେ ଷ୍ଟେସନ ଯୋଜନା, ପ୍ଲାଟପର୍ମ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ୬ ରୁ ୮ ମାସ ମଧ୍ୟରେ ପ୍ରକଳ୍ପ ଅନୁସାରେ ଭୂମି ଯୋଜନା ଓ ଗଠନ ବ୍ୟବସ୍ଥା, ସିଭିଲ କାମ, ବିଭିନ୍ନ ଉପଯୋଗିତା ସ୍ଥାନାନ୍ତର ଆଦି ସଂପର୍କରେ ଟେଣ୍ଡର କାର୍ଯ୍ୟ ସରିବ । ୨୦୨୪ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଆଗାମୀ ଡିସେମ୍ବର ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରହିଛି । ପ୍ରକାଶ ଥାଉକି, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ନିର୍ମାଣ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମଆରସି) ଟର୍ଣ୍ଣ-କି ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସହ ଚୁକ୍ତି ସ୍ୱାକ୍ଷର କରିଛି । ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ୍, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ(ରେଳ ନିଗମ) ଶ୍ରୀ ମନୋଜ କୁମାର ମିଶ୍ରଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।
ଏହି ବୈଠକ ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦର ୨ୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯିବା ସହିତ ବୋର୍ଡର କାର୍ଯ୍ୟ ପରିଚାଳନା ସମ୍ପର୍କିତ ବିଭିନ୍ନ ଆଲୋଚନା କରାଯାଇଥିଲା । ବୈଠକରେ ପରିଷଦର ସଭ୍ୟ ସଭ୍ୟାମାନେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।


Spread the love

Leave A Reply

Your email address will not be published.