ବିଜେପିରେ ମିଶିଲେ ବାଲେଶ୍ବରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା

Spread the love

ଭୁବନେଶ୍ଵର,୧୧/୦୩:ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବାଲେଶ୍ୱରର ପୂର୍ବତନ ସାଂସଦ ଏବଂ ପୂର୍ବତନ ବିଜେଡି ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ବିଜେଡି ଛାଡି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଭୁବନେଶ୍ୱରର ବିଜେପି କାର୍ଯ୍ୟାଳୟରେ ସେ ନିଜ ସମର୍ଥକମାନଙ୍କ ସହ ପଦ୍ମ ଧରିଥିଲେ।
ଏହି ଅବସରରେ ବାଲେଶ୍ୱର ଜିଲ୍ଲାର କିଛି ବିଧାୟକ ଓ ବିଜେପିର ବରିଷ୍ଠ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ। ରବୀନ୍ଦ୍ର ଜେନାଙ୍କ ସହ ପଞ୍ଚାୟତ ଓ ବ୍ଲକ୍ ସ୍ତରର ଅନେକ ବିଜେଡି ନେତା, କର୍ମୀ ଓ ଛାତ୍ର ନେତାମାନେ ମଧ୍ୟ ବିଜେପିରେ ଯୋଗ ଦେଇଥିବା ଜଣାପଡିଛି।

ଯୋଗଦାନ ପୂର୍ବରୁ ଇଡକୋ ପ୍ରଦର୍ଶନୀ ପଡିଆ ସାମ୍ନାରୁ ରବୀନ୍ଦ୍ର ଜେନା ନିଜ ସମର୍ଥକମାନଙ୍କ ସହ ଏକ ବିରାଟ ପଟୁଆରରେ ବିଜେପି କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ପଟୁଆରରେ ବହୁ ସଂଖ୍ୟକ କର୍ମୀ ଓ ସମର୍ଥକ ଯୋଗଦେଇଥିଲେ, ଯାହା ଦଳୀୟ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି।ରାଜ୍ୟ ବିଜେପି ପକ୍ଷରୁ ରବୀନ୍ଦ୍ର ଜେନାଙ୍କୁ ସ୍ୱାଗତ ଜଣାଇବା ସହ ତାଙ୍କ ଯୋଗଦାନ ଦଳକୁ ଆହୁରି ଶକ୍ତିଶାଳୀ କରିବ ବୋଲି କୁହାଯାଇଛି। ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ବିଜେପିର ସଂଗଠନ ଆହୁରି ମଜବୁତ ହେବ ବୋଲି ଦଳୀୟ ନେତାମାନେ ମତ ପ୍ରକାଶ କରିଛନ୍ତି।

ରବୀନ୍ଦ୍ର ଜେନାଙ୍କ ଏହି ଦଳ ପରିବର୍ତ୍ତନ ରାଜ୍ୟ ରାଜନୀତିରେ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ବିଶେଷତଃ ବାଲେଶ୍ୱର ଜିଲ୍ଲାର ରାଜନୈତିକ ସମୀକରଣ ଉପରେ ଏହାର ପ୍ରଭାବ ପଡିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ।


Spread the love

Leave A Reply

Your email address will not be published.