ଆନ୍ତର୍ଜାତୀୟ ବଜାରରେ ଜନଜାତି ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବେ ସରକାର: କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ପିୟୁଷ ଗୋୟଲ
ଭୁବନେଶ୍ୱର: ନୂଆଦିଲ୍ଲୀର ୟଶୋଭୂମିଠାରେ ଟ୍ରାଇବାଲ ବିଜ୍ନେସ୍ କନ୍କ୍ଲେଭ ୨୦୨୫ ରେ ଆଦିବାସୀ ଉଦ୍ୟୋଗିକତାକୁ ସୁଦୃଢ କରିବା ଏବଂ ସମାବେଶୀ ଅଭିବୃଦ୍ଧିକୁ ଆଗକୁ ବଢାଇବା ପାଇଁ ଭାରତର ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଡିପିଆଇଆଇଟି, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ମିଳିତ ଭାବେ ଆୟୋଜିତ ଏହି ସମ୍ମିଳନୀ ଆଦିବାସୀ ଅଂଚଳ ଗୁଡିକରେ ଉଦ୍ୟୋଗ-ପରିଚାଳିତ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଉପରେ ଏକ ଦିନିକିଆ ଆଲୋଚନା ପାଇଁ ୨୫୦ରୁ ଅଧିକ ଆଦିବାସୀ ଉଦ୍ୟୋଗୀଙ୍କୁ ଆମନ୍ତ୍ରିତ କରିଥିଲା । ଏହି ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ, ଶ୍ରୀଯୁକ୍ତ ଜୁଏଲ ଓରାମ ଉପସ୍ଥିତ ରହିଥିଲେ । ଏହି ସମ୍ମିଳନୀ ଜନଜାତିୟ ଗୌରବ ବର୍ଷ ଅବସରରେ ଏକ ଐତିହାସିକ ମୁହୂର୍ତ ଭାବେ ଚିହ୍ନଟ ହୋଇଛି ଯାହା ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମଜୟନ୍ତୀର ପାଳନ କରିଛି । ଉକ୍ତ ସମ୍ମିଳନୀରେ ପ୍ରମୁଖ ବ୍ୟକ୍ତିବିଶେଷମାନଙ୍କ ସମେତ ମନ୍ତ୍ରଣାଳୟ, କର୍ପୋରେଟ ଓ ସିଏସଆର ଲିଡର, ଏସଆଇଡିବିଆଇ ଓ ଅଗ୍ରଣୀ ନିବେଶ ନେଟୱର୍କ ଏବଂ ଓଡିଶା, ଝାଡଖଣ୍ଡ, ଛତିଶଗଡ, ମଧ୍ୟପ୍ରଦେଶ ଓ ଉତର-ପୂର୍ବ ଅଂଚଳର ଆଦିବାସୀ ଉଦ୍ୟୋଗୀ ଓ କୋଅପରେଟିଭ ଲିଡରମାନେ ସାମିଲ ହୋଇଥିଲେ । ଏଠାରେ ରୁଟ୍ସ ଟୁ ରାଇଜ ପିଚିଙ୍ଗ ସେଶନ ଷ୍ଟାର୍ଟଅପଗୁଡିକୁ ଭେଂଚର କ୍ୟାପିଟାଲିଷ୍ଟ, ସିଏସଆର ମୁଖ୍ୟ ଏବଂ ଫଣ୍ଡ୍ ପ୍ରତିନିଧିଙ୍କ ନିକଟରେ ନିଜର ବ୍ୟବସାୟ ବିଚାରଧାରା ଉପସ୍ଥାପନ କରିବା ପାଇଁ ଏକ ଲାଇଭ ପ୍ଲାଟଫର୍ମ ପ୍ରଦାନ କରିପାରିଛି ।
ଏହି ଅବସରରେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ କହିଛନ୍ତି, “ଟ୍ରାଇବାଲ ବିଜ୍ନେସ୍ କନ୍କ୍ଲେଭ ୨୦୨୫ ନୀତି, ପୁଞ୍ଜି ଓ ତୃଣମୂଳ ସ୍ତରର ଉଦ୍ୟୋଗଗୁଡିକ ମଧ୍ୟରେ ଅନ୍ତରକୁ ସୁଦୃଢ କରିଛି । ରପ୍ତାନୀ କ୍ଷମତା ଥିବା ସମସ୍ତ ଜନଜାତି ଉତ୍ପାଦଗୁଡିକୁ ବିଭିନ୍ନ ଚ୍ୟାନେଲ, ଇକମର୍ସ ପ୍ଲାଟଫର୍ମ , ଉତ୍ପାଦ ପ୍ରଦର୍ଶନୀ ଓ ବିକ୍ରି ପାଇଁ ଆନ୍ତର୍ଜାତୀୟ ୱାୟାରହାଉସ , ହୋଲସେଲ ଓ ରିଟେଲ ଟ୍ରେଡ ନେଟ୍ୱର୍କ ମାଧ୍ୟମରେ ବାଣିଜ୍ୟ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ସମର୍ଥନ ଦିଆଯିବ । ଉଭୟ ଘରୋଇ ଆନ୍ତର୍ଜାତୀୟ ବଜାରଗୁଡିକ ଆଦିବାସୀ ସାମଗ୍ରୀ ଓ କଳାକୃତି ପାଇଁ ଅପାର ସୁଯୋଗ ପ୍ରଦାନ କରୁଛନ୍ତି ଏବଂ ସରକାର ଆଗାମୀ ବର୍ଷଗୁଡିକରେ ଏହି କ୍ଷମତାର ଉପଯୋଗ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିପରି ଆଦିବାସୀ ଓ ସ୍ୱଦେଶୀ ସମୁଦାୟଗୁୁଡିକର ଉନ୍ନତିକରଣ ସରକାରଙ୍କ ପାଇଁ ଶୀର୍ଷ ପ୍ରାଥମିକତା ଭାବେ ବଜାୟ ରହିଛି ଯାହା ସମାବେଶୀ ଓ ସ୍ଥାୟୀ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି ବୋଲି ସେ କହିଛନ୍ତି । ଶ୍ରୀଯୁକ୍ତ ଗୋୟଲ ଆଦିବାସୀ ସମୁଦାୟଗୁଡିକୁ ନିଜର ମୂଲ୍ୟବୋଧ, କଳାକୃତି ଓ ପାରମ୍ପରିକ ଦକ୍ଷତାକୁ ସଂରକ୍ଷିତ ରଖିଥିବା କାରଣରୁ ପ୍ରଶଂସା କରିଥିଲେ । ଏଥିସହିତ ସେ ଚଳିତ ବର୍ଷ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ପାଇଁ ବଜେଟ ଆବଂଟନ ୫୦% ବୃଦ୍ଧି କରାଯାଇଥିବା ସୂଚିତ କରିଥିଲେ । ସେ କହିଛନ୍ତି, ପିଏମ-ଜନମାନ ଯୋଜନା ଅଧିନରେ ଦୁର୍ବଳ ଆଦିବାସୀ ସମୁଦାୟର ପ୍ରାୟ ୫୦ ଲକ୍ଷ ପରିବାର ଉପକୃତ ହୋଇଥିବା ବେଳେ ସେମାନଙ୍କର ଜୀବନ ମାନ ଉନ୍ନତ କରିବା ପାଇଁ ୨୪,୦୦୦ କୋଟି ଟଙ୍କା ଆବଂଟନ କରାଯାଇଛି । ନିଜର ସମ୍ବୋଧନ ଶେଷ କରି ଶ୍ରୀ ଗୋୟଲ ‘ବନ ଧନ ଟୁ ବ୍ୟାପାର ଧନ’ ପାଇଁ ରୂପାନ୍ତରଣ ଲାଗି ଆହ୍ୱାନ ଦେଇଥିଲେ ଯାହାଦ୍ୱାରା ଆଦିବାସୀ ଓ ସ୍ୱଦେଶୀ ଉତ୍ପାଦଗୁଡିକ ଆନ୍ତର୍ଜାତୀୟ ମଂଚଗୁଡିକରେ ପହଂଚିପାରିବ, ଯାହା ବାସ୍ତବରେ ‘ଲୋକାଲ ଗୋଜ ଗ୍ଲୋବାଲ’ ଦୃଷ୍ଟିକୋଣକୁ ସାକାର କରିବ । ସେ ସମସ୍ତ ହିତାଧିକାରୀଙ୍କୁ ଆଦିବାସୀ ସମୁଦାୟଗୁଡିକୁ ସଶକ୍ତ କରିବା ଓ ସେମାନଙ୍କର କାରିଗରୀକୁ ସମଗ୍ର ବିଶ୍ୱକୁ ପ୍ରଦର୍ଶିତ କରିବାର ମିଳିତ ଲକ୍ଷ୍ୟ ହାସଲ କରିବା ପାଇଁ ଏକତ୍ରିତ ହେବା ଲାଗି ଆବେଦନ କରିଛନ୍ତି ।
ଏଫଆଇସିସିଆଇ ଓ ପ୍ରୟୋଗି ପକ୍ଷରୁ ମଧ୍ୟ ଇଣ୍ଡଷ୍ଟ୍ରୀ ପାର୍ଟନର ଓ ନଲେଜ ପାର୍ଟନର ଭାବେ ଏହି ସମ୍ମିଳନୀକୁ ସମର୍ଥନ ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ୨୫୦ରୁ ଅଧିକ ଆଦିବାସୀ ଉଦ୍ୟୋଗ, ୧୫୦ରୁ ଅଧିକ ପ୍ରଦର୍ଶନୀକାରୀ ଓ ୧୦୦ରୁ ଅଧିକ ଟ୍ରାଇବାଲ ଷ୍ଟାର୍ଟଅପ ଅଂଶଗ୍ରହଣ କରିଥିଲେ । ଏହି ଅଭିଯାନ ଉଦ୍ୟୋଗୀ, ନିବେଶକ, କର୍ପୋରେଟ, ସରକାରୀ କ୍ରେତାଙ୍କ ମଧ୍ୟରେ ଏକ ପ୍ରତ୍ୟକ୍ଷ ସଂଯୋଗ ପ୍ରଦାନ କରିଥିଲା ଯାହା ସହଭାଗିତା ଓ ଅଭିବୃଦ୍ଧି ପାଇଁ ଏକ ଉତ୍ସାହପୂର୍ଣ୍ଣ ଇକୋସିଷ୍ଟମ ସୃଷ୍ଟି କରିଛି । ଏହି ସମ୍ମିଳନୀ ୬ଟି ଉଚ୍ଚ ପ୍ରଭାବଶାଳୀ ପ୍ୟାନେଲ ଆଲୋଚନା, ୪ଟି ମାଷ୍ଟରକ୍ଲାସ ସହ ଶେଷ ହୋଇଛି । ଏହି ସେଶନଗୁଡିକ ନିବେଶ ଓ ସହଭାଗିତା, ଦକ୍ଷତା ଓ ସଶକ୍ତିକରଣ, ସ୍ଥାୟିତ୍ୱ ଓ ଭୌଗୋଳିକ ପରିଚୟ, ବ୍ରାଣ୍ଡିଂ ଓ ମାର୍କେଟ ଇନୋଭେଶନ ଭଳି ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେଇଥିଲା । ଏଠାରେ ପ୍ରଦର୍ଶନୀ ଓ ଥିମ ପାଭିଲିଅନ ‘ଟ୍ରାଇବାଲ ଭାରତ ୨୦୪୭: ସଷ୍ଟେନିଙ୍ଗ କଲ୍ଚର, ସ୍କେଲିଂ କମର୍ସ’ ବିଷୟବସ୍ତୁ ଅଧିନରେ ଜିଆଇ-ଟ୍ୟାଗ୍ ହୋଇଥିବା ଉତ୍ପାଦ, କଳାକୃତି ଓ ସଫଳ କାହାଣୀଗୁଡିକୁ ପ୍ରଦର୍ଶିତ କରିଥିଲା । ଭାରତବ୍ୟାପୀ ଆଦିବାସୀ ଉଦ୍ୟୋଗ ଓ କାରିଗର ଗୋଷ୍ଠୀଗୁଡିକୁ ଅଭିନବ ଉତ୍ପାଦ ଓ ବ୍ୟବସାୟ ମଡେଲ ଉପସ୍ଥାପନା କରିଥିଲେ ଯାହା ପାରମ୍ପରିକ ଐତିହ୍ୟକୁ ଆଧୁନିକ ଉଦ୍ୟୋଗ ସହ ସଂଯୋଗ କରିଥିଲା । ଆଦିବାସୀ କଳାକାରୀଙ୍କ ଦ୍ୱାରା ଉପସ୍ଥାପିତ ସାଂସ୍କୃତିକ ପ୍ରଦର୍ଶନ ବିର୍ସା ମୁଣ୍ଡା ଓ ଭାରତର ଜୀବନ୍ତ ଆଦିବାସୀ ପରିଚୟର ବିରାସତକୁ ପାଳନ କରିଥିଲା । କାର୍ଯ୍ୟକ୍ରମରେ ଦେଶବ୍ୟାପୀ ଆଦିବାସୀ କଳାକାରଙ୍କ କଳାକୃତିକୁ ପାଳନ କରିବା ପାଇଁ ଜିଓଗ୍ରାଫିକାଲ ଇଣ୍ଡିକେଶନ (ଜିଆଇ ସାର୍ଟିଫିକେଟର ବିତରଣ କରାଯାଇଥିଲା ।