କଟକ,୦୨/୦୨:ହୃଦଘାତରେ ମଣିଷର ଅମୂଲ୍ୟ ଜୀବନ ରକ୍ଷା କରିବା ଲକ୍ଷ୍ୟରେ ଏକ ଅଭିନବ ‘ହାର୍ଟ ଗାର୍ଡ’ AI ମାସ୍କ ତିଆରି କରିଛନ୍ତି କଟକର ଝିଅ ଦେବଶ୍ରିତା ଦାସ। ଏହି ଆଧୁନିକ ଡିଭାଇଜ୍ ହୃଦରୋଗରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ଏକ ଆଶାର କିରଣ ହୋଇଉଠିଛି।
ଦେବଶ୍ରିତାଙ୍କ ଜେଜେବାପାଙ୍କ ହୃଦଘାତରେ ଅକାଳ ବିୟୋଗ ତାଙ୍କୁ ଏହି ଯନ୍ତ୍ର ତିଆରି କରିବାକୁ ପ୍ରେରିତ କରିଥିଲା। ଏହି ‘ହାର୍ଟ ଗାର୍ଡ’ AI ମାସ୍କ କେବଳ ହୃଦଘାତ ସମୟରେ ପ୍ରାଥମିକ ସହାୟତା ଦେଇଥାଏ ନୁହେଁ, ବରଂ ଅକ୍ସିଜେନ୍ ସପୋର୍ଟ ସହ ପୀଡ଼ିତ ବ୍ୟକ୍ତିଙ୍କ ପରିଜନଙ୍କୁ ମୋବାଇଲ୍ ମାଧ୍ୟମରେ ତୁରନ୍ତ ଆଲର୍ଟ ମଧ୍ୟ ପଠାଏ।
ହୃଦଘାତର ସମ୍ଭାବନା ଅନୁଭବ ହେଲେ ଡିଭାଇଜ୍ଟିକୁ କେବଳ ସ୍ପର୍ଶ କଲେ ଏହା ସକ୍ରିୟ ହୋଇଯାଏ। ସମ୍ପୂର୍ଣ୍ଣ ଭାବେ AI ଦ୍ୱାରା ପରିଚାଳିତ ଏହି ଡିଭାଇଜ୍ ହୃଦଘାତର ଆଲର୍ଟ ସହିତ ପୀଡ଼ିତ ବ୍ୟକ୍ତିଙ୍କ ସଠିକ୍ ଲୋକେଶନ୍ ମଧ୍ୟ ପ୍ରଦାନ କରେ, ଯାହା ଜରୁରୀ ସମୟରେ ଜୀବନ ରକ୍ଷାରେ ସହାୟକ ହୋଇପାରେ।
ଆଇଆଇଟି ବମ୍ବେର ଟେକ୍ନିକାଲ୍ ସହାୟତାରେ ଏହି ଡିଭାଇଜ୍ର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ତେବେ ଅର୍ଥାଭାବ କାରଣରୁ ପ୍ରୋଜେକ୍ଟଟି ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହେଉଛି। ଏପର୍ଯ୍ୟନ୍ତ ପ୍ରାଇଜ୍ ମନି ଏକ ଲକ୍ଷ ଟଙ୍କା ଓ ବ୍ୟକ୍ତିଗତ ଭାବେ ୨୦ ହଜାର ଟଙ୍କା ମିଶାଇ ମୋଟ ୧ ଲକ୍ଷ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଛି। କିନ୍ତୁ ପ୍ରୋଜେକ୍ଟଟି ସମ୍ପୂର୍ଣ୍ଣ କରିବା ପାଇଁ ଆହୁରି ପ୍ରାୟ ୬ ଲକ୍ଷ ଟଙ୍କା ଆବଶ୍ୟକ ରହିଛି।
ଦେବଶ୍ରିତା କହିଛନ୍ତି, ସରକାରୀ ସ୍ତରରେ ଯଦି ଆର୍ଥିକ ସହାୟତା ମିଳେ, ତେବେ ଏହି ‘ହାର୍ଟ ଗାର୍ଡ’ AI ମାସ୍କ ସଫଳ ଭାବେ ପ୍ରୋଜେକ୍ଟ ରୂପେ ସମ୍ପୂର୍ଣ୍ଣ ହୋଇ ବଜାରରେ ଉପଲବ୍ଧ ହେବ। ଏହି ଡିଭାଇଜ୍ଟି ମାତ୍ର ୨୫ ହଜାର ଟଙ୍କା ମଧ୍ୟରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ କରାଯିବା ଲକ୍ଷ୍ୟ ରହିଛି।