ବୈଷୟିକ ଶିକ୍ଷା ଏବଂ ଅନୁସନ୍ଧାନରେ ସହଯୋଗ ପାଇଁ ଆଇଆଇଟି ଭୁବନେଶ୍ୱର ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ ମଧ୍ୟରେ ବୁଝାମଣାପତ୍ର

Spread the love

ଭୁବନେଶ୍ୱର, ୩୦ ମଇ ୨୦୨୪: ବୈଷୟିକ ଶିକ୍ଷା ଏବଂ ଅନୁସନ୍ଧାନରେ ସହଯୋଗର ସୁଯୋଗ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର, ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ (ଆଇଏଲ୍ଏସ୍) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକରଙ୍କ ଉପସ୍ଥିତିରେ ମଇ ୩୦ ତାରିଖରେ, ପ୍ରତିଷ୍ଠାନର ଭାରପ୍ରାପ୍ତ ଡିନ୍- ପ୍ରାୟୋଜିତ ଅନୁସନ୍ଧାନ ଏବଂ ଶିଳ୍ପ ପରାମର୍ଶ (SRIC) ପ୍ରଫେସର ରାଜେଶ ରୋଶନ ଦାଶ ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସର ନିର୍ଦ୍ଦେଶକ ପ୍ରଫେସର ଦେବାଶିଷ ଦାଶଙ୍କ ଦ୍ୱାରା ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଥିଲା।
ବୈଷୟିକ ଶିକ୍ଷା, ବିଶେଷତଃ ଜୈବ ବିଜ୍ଞାନ, ମଲିକୁଲାର ବାୟୋଲୋଜି ଏବଂ ମାଇକ୍ରୋ ବାୟୋଲୋଜି କ୍ଷେତ୍ରରେ ଏକାଡେମିକ୍ ପ୍ରକ୍ରିୟାର ଗୁଣବତ୍ତା ତଥା ଛାତ୍ରଛାତ୍ରୀ ଏବଂ ଅଧ୍ୟାପକମାନଙ୍କ ଗବେଷଣା କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ଉଭୟ ପ୍ରତିଷ୍ଠାନ ମଧ୍ୟରେ ହୋଇଥିବା ଏହି ବୁଝାମଣାପତ୍ର କାର୍ଯ୍ୟ କରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଯକ୍ଷ୍ମାର ପ୍ରତିରୋଧ ପାଇଁ ଟିକା ବା ପ୍ରତିଷେଧକର ବିକାଶ ଉପରେ ବିଶେଷ ଗୁରୁତ୍ୱ ଦେଇ ଉଭୟ ପ୍ରତିଷ୍ଠାନ ଗବେଷଣା ପ୍ରକଳ୍ପରେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି। ଆହୁରି ମଧ୍ୟ, ଏହି ଏମଓୟୁ ଅନୁଯାୟୀ, ଆଇଆଇଟି ଭୁବନେଶ୍ୱର ଏବଂ ଆଇଏଲ୍ଏସ୍ ର ଅଧ୍ୟାପକମାନେ ପାରସ୍ପରିକ ସହମତିଭିତ୍ତିକ କାର୍ଯ୍ୟକ୍ରମ ଉପରେ ଆଧାର କରି ଉଭୟ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଅଭିଜ୍ଞତା କ୍ଷେତ୍ରରେ ସହଯୋଗ ଏବଂ ତାଲିମ ଦେବା କାର୍ଯ୍ୟ କରିପାରିବେ; ସେମାନେ ମିଳିତ ଭାବରେ ଉଭୟ ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ପାଇଁ ମନୋନୀତ ବିଷୟ ଏବଂ କ୍ଷେତ୍ର ଉପରେ ସମ୍ମିଳନୀ, କଥାବାର୍ତ୍ତା, କର୍ମଶାଳା, ସେମିନାର, ଏବଂ ଆଲୋଚନାଚକ୍ର ଆୟୋଜନ କରିପାରିବେ; ଏବଂ ଉଭୟ ପ୍ରତିଷ୍ଠାନର ବ୍ୟକ୍ତିଗତ ଅଧ୍ୟାପକଙ୍କ ନିର୍ଦ୍ଦିଷ୍ଟ ଆଗ୍ରହ ଉପରେ ଆଧାର କରି ମିଳିତ ଅନୁସନ୍ଧାନ ପ୍ରକଳ୍ପ ପରିଚାଳନା କରିପାରିବେ।
ଏହି ଅବସରରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର କରମଲକର କହିଛନ୍ତି: “ଆଇଏଲ୍ଏସ୍ ସହିତ ଏହି ସହଯୋଗ ବିଭିନ୍ନ ଜୀବନ ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନ ପାଇଁ ଇକୋସିଷ୍ଟମକୁ ସମୃଦ୍ଧ କରିବ, ଯାହା ମାନବ ଜୀବନକୁ ବିଭିନ୍ନ ରୋଗ ରକ୍ଷା କରିବାରେ ସହାୟକ ହେବ। ବୈଷୟିକ ଜ୍ଞାନ ପ୍ରଦାନକାରୀ ଭାବରେ ଆଇଆଇଟି ଭୁବନେଶ୍ୱର ଏହି ସଙ୍ଗଠନରେ ଏହି କ୍ଷେତ୍ରରେ ନୂତନତ୍ୱ ସୃଷ୍ଟି କରିବାକୁ ବିଶେଷ ରୂପେ ଆଗ୍ରହୀ। ”
ଆଇଏଲ୍ଏସ୍ ନିର୍ଦ୍ଦେଶକ ପ୍ରଫେସର ଦାଶ ପ୍ରକାଶ କରିଛନ୍ତି: “ଭାରତର ଦୁଇ ପ୍ରମୁଖ ଅନୁଷ୍ଠାନ ମଧ୍ୟରେ ହୋଇଥିବା ଏହି ଏମଓୟୁ କେବଳ ଜୈବ ବିଜ୍ଞାନ କ୍ଷେତ୍ରରେ ଅନୁସନ୍ଧାନରେ ପରିବର୍ତ୍ତନ ଆଣିବ ନାହିଁ ବରଂ ଭବିଷ୍ୟତରେ ଏହି ଡୋମେନରେ ଏକ ମାନଦଣ୍ଡ ସୃଷ୍ଟି କରିବାରେ ଓଡିଶାକୁ ସାହାଯ୍ୟ କରିବ। ଯକ୍ଷ୍ମା ନିରାକରଣ ପାଇଁ ଟିକା ବିକଶିତ କରିବା ଦିଗରେ ବିଶେଷ ଧ୍ୟାନ ଏହି ଉଦ୍ଦେଶ୍ୟରେ କରାଯାଉଥିବା ପ୍ରୟାସକୁ ତ୍ୱରାନ୍ୱିତ କରିବାରେ ସହାୟକ ହେବ। ”

ଅନ୍ୟମାନଙ୍କ ମଧ୍ୟରେ, ଏହି ଅବସରରେ, ଆଇଏଲ୍ଏସ୍ ପକ୍ଷରୁ ଡକ୍ଟର ସୁନୀଲ କେ. ରାଘବ, ଡକ୍ଟର ଅଂଶୁମାନ ଦୀକ୍ଷିତ, ଡକ୍ଟର ତୁଷାର କାନ୍ତ ବେଉରିଆ, ଡକ୍ଟର ଦୟାନିଧି ପ୍ରଧାନ ଏବଂ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଡିନ୍-ସ୍ନାତକୋତ୍ତର ପ୍ରୋଗ୍ରାମ ପ୍ରଫେସର ଶାନ୍ତନୁ ପାଲ୍, କେନ୍ଦ୍ର ନିର୍ଦ୍ଦେଶକ, ଏଏଚଆରସି ପ୍ରଫେସର ଅଶ୍ୱିନୀ ନନ୍ଦ ଏବଂ ଆସୋସିଏଟ୍ ଡିନ୍ (ଆଲୁମିନି ବ୍ୟାପାର ଏବଂ ଆନ୍ତର୍ଜାତୀୟ ସମ୍ପର୍କ) ପ୍ରଫେସର ଆଶିଷ ବିଶ୍ୱାସ ପ୍ରମୁଖ ଉପସ୍ଥିତ ଥିଲେ।


Spread the love

Leave A Reply

Your email address will not be published.