ରାଷ୍ଟ୍ରପତି ଭବନରେ ରାଜାଜୀଙ୍କ ପ୍ରତିମା ସ୍ଥାପନ ଭାରତୀୟ ବୌଦ୍ଧିକ ଐତିହ୍ୟକୁ ପୁନଃପ୍ରତିଷ୍ଠିତ କରିବ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୩/୦୨:ରାଷ୍ଟ୍ରପତି ଭବନ ପରିସରରେ ସୋମବାର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରୀଷ୍ଣନ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗରିମାମୟ ଉପସ୍ଥିତିରେ ‘ରାଜାଜୀ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭବନ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ଏବଂ ଏକମାତ୍ର ଗଭର୍ଣ୍ଣର ଜେନେରାଲ ଶ୍ରୀ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ (ରାଜାଜୀ)ଙ୍କ ପ୍ରତିମା ଉନ୍ମୋଚିତ ହୋଇଛି ।
ଶ୍ରୀ ପ୍ରଧାନ କହିଛନ୍ତି, ରାଜାଜୀଙ୍କ ଜୀବନ ଭାରତର ବୌଦ୍ଧିକ ପରମ୍ପରା ଏବଂ ସଭ୍ୟତାଗତ ଚେତନାର ଏକ ଅନନ୍ୟ ପ୍ରତୀକ । ରାଷ୍ଟ୍ରପତି ଭବନରେ ତାଙ୍କ ପ୍ରତିମା ସ୍ଥାପନ ହେବା ଭାରତୀୟ ବୌଦ୍ଧିକ ତଥା ସାଂସ୍କୃତିକ ଐତିହ୍ୟକୁ ପୁନଃପ୍ରତିଷ୍ଠିତ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ମାଡ୍ରାସ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ରାଜାଜୀ ମାତୃଭାଷାରେ ଶିକ୍ଷା ପ୍ରଦାନ ଏବଂ ମୂଲ୍ୟବୋଧଭିତ୍ତିକ ଶାସନ ଉପରେ ଯେଉଁ ଗୁରୁତ୍ୱ ଦେଇଥିଲେ, ତାହା ଆଜିର ‘ରାଷ୍ଟ୍ରୀୟ ଶିକ୍ଷା ନୀତି- ୨୦୨୦’ ସମେତ ଅନେକ ନୀତିଗତ ସଂସ୍କାରରେ ପ୍ରତିଫଳିତ ହେଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ଆଜି ଔପନିବେଶିକ ମାନସିକତାରୁ ମୁକ୍ତି ପାଇବା ପାଇଁ ସଂକଳ୍ପ ନେଇଛି । ସଂସଦରେ ‘ସେଙ୍ଗୋଲ’ର ପ୍ରତିଷ୍ଠା ଏବଂ ଭାରତୀୟ ପ୍ରତୀକଗୁଡ଼ିକର ପୁନଃସ୍ଥାପନ ରାଜାଜୀଙ୍କ ଦୂରଦୃଷ୍ଟିକୁ ସାଂପ୍ରତିକ ଭାରତରେ ସଶକ୍ତ ଭାବେ ଆଗକୁ ବଢ଼ାଉଛି । ଆଜିର ଏହି ବିଶେଷ ଅବସର ଆଗାମୀ ପିଢ଼ି ପାଇଁ ଦେଶପ୍ରେମ ଏବଂ ଭାରତୀୟ ସଂସ୍କୃତିର ଗୌରବକୁ ବଜାୟ ରଖିବା ପାଇଁ ଏକ ଅନନ୍ତ ପ୍ରେରଣାର ଉତ୍ସ ହୋଇ ରହିବ ।
ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ଏବଂ ରାଜାଜୀଙ୍କ ପରିବାରବର୍ଗଙ୍କ ଉପସ୍ଥିତି ଏହି ଆୟୋଜନକୁ ଏକ ସ୍ୱତନ୍ତ୍ର ଆବେଗିକ ତଥା ଗରିମାମୟ ରୂପ ପ୍ରଦାନ କରିଛି ।