ଓଡ଼ିଶାକୁ କାଳବୈଶାଖୀ ଚେତାବନୀ

ଭୁବନେଶ୍ୱର,୨୩/୦୩:ରାଜ୍ୟରେ ଗୋଟେପଟେ ବଢ଼ୁଛି ତାପମାତ୍ରା, ଅନ୍ୟପଟେ ଆସୁଛି ବଜ୍ରପାତ ଓ ଝଟକା ପବନ ସତର୍କତା। ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡି ଠାରେ ସର୍ବାଧିକ ୩୬.୨ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ସର୍ବନିମ୍ନ ୧୫.୫ ଡିଗ୍ରୀ ରେକର୍ଡ ହୋଇଛି। ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ସାଧାରଣ ଠାରୁ କମ ରହିଥିଲେ ମଧ୍ୟ ଦିନରେ ଗରମର ଅନୁଭବ ବଢ଼ୁଛି। ଝାରସୁଗୁଡ଼ା, ସମ୍ବଲପୁର ଓ ବଲାଙ୍ଗିର ଭଳି ଅଞ୍ଚଳରେ ପାରା ୩୩ ରୁ ୩୫ ଡିଗ୍ରୀ ମଧ୍ୟରେ ରହିଛି। ରାଜଧାନୀ ଭୁବନେଶ୍ୱରରେ ୩୩.୮ ଡିଗ୍ରୀ ଓ କଟକରେ ୩୨.୬ ଡିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଛି।

ଏପଟେ ପାଣିପାଗ ବିଭାଗ ଜାରି କରିଛି ୱାର୍ଣିଙ୍ଗ। ମାର୍ଚ୍ଚ ୨୭ ରୁ ୨୮ ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର ଅନେକ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ଖୋର୍ଦ୍ଧାରେ ବଜ୍ରପାତ ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, କନ୍ଧମାଳ ଓ ରାୟଗଡ଼ା ଅଞ୍ଚଳରେ ମଧ୍ୟ ପାଗ ଅସ୍ଥିର ରହିପାରେ। ତେବେ ମାର୍ଚ୍ଚ ୨୮ ରୁ ୨୯ ମଧ୍ୟରେ କିଛି ଅଞ୍ଚଳରେ ପାଗ ସାଧାରଣ ହେବା ସତ୍ୱେ କିଛି ଜିଲ୍ଲାରେ ବଜ୍ରପାତର ସମ୍ଭାବନା ଜାରି ରହିବ। ଏନେଇ ମୟୁରଭଞ୍ଜ, କେଉଁଝର, ବାଲେଶ୍ୱର, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ୱାନିଙ୍ଗ ଜାରି କରାଯାଇଛି। ଏପଟେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ଆକଳନ କରିଛି ପାଣିପାଗ ବିଭାଗ।

ଆହୁରି ପଢ଼ନ୍ତୁ : ମାସକ ମଧ୍ୟରେ ରାଜ୍ୟରେ କମିଲେଣି ୨୫ ମାଓବାଦୀ

Leave A Reply

Your email address will not be published.