ସର୍ବାଧିକ ବିକାଶମୂଳକ କାର୍ଯ୍ୟ ହେଉଥିବା ରାଜ୍ୟ ଭାବେ ଉଭା ହୋଇଛି ଓଡ଼ିଶା: ମନ୍ତ୍ରୀ ଅଶୋକ ପଣ୍ଡା

Spread the love

· ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ, ମିଶନ ଶକ୍ତି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶାଳୟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

· କୃଷି ଓଡ଼ିଶା ୨୦୨୪ର ଦ୍ୱିତୀୟ ଦିବସରେ ୩୦ ଏସ୍‌ଏଚ୍‌ଜି ଗ୍ରୁପ୍ ପୁରସ୍କୃତ

· ୧୦ ଜଣ ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ନଗଦ ପୁରସ୍କାର ପ୍ରଦାନ

ଭୁବନେଶ୍ୱର: କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସଶକ୍ତ କରିବା ଏବଂ କୃଷି ଉଦ୍ଭାବନକୁ ପ୍ରୋତ୍ସାହିତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଆଜି ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଆଇଆର୍‌ଆର୍‌ଆଇ), ମିଶନ ଶକ୍ତି ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଓଡ଼ିଶା ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗ ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏକ ପ୍ରମୁଖ କାର୍ଯ୍ୟକ୍ରମ “କୃଷି ଓଡ଼ିଶା ୨୦୨୪\’ର ଦ୍ୱିତୀୟ ଦିବସରେ ଏହି ଗୁରୁତ୍ୱପୂର୍ଣ୍ଣ ଉତ୍ସବ ଅନୁଷ୍ଠିତ ହୋଇଛି ।

ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ଯେ, “୧୯୯୯ ମହାବାତ୍ୟା ପରେ ଓଡ଼ିଶାରେ ଅନେକ କିିଛି ପରିବର୍ତନ ଘଟିଛି । ରାଜ୍ୟର ବଜେଟ୍ ଆକାର ୧୧ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୨ ଲକ୍ଷ ୩୦ ହଜାର କୋଟିରେ ପହଂଚିଛି । ଓଡ଼ିଶା ଏବେ ଦେଶର ସବୁଠୁ ଅଧିକ ବିକାଶମୂଳକ କାର୍ଯ୍ୟ ହେଉଥିବା ରାଜ୍ୟରେ ପରିଣତ ହୋଇଛି । ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ଏକ ଉଦାହରଣ ପାଲଟିଛି । ବିପର୍ଯ୍ୟୟ ମୁକାବିଲା ଓ ଖାଦ୍ୟ ପରିଚାଳନା କ୍ଷେତ୍ରରେ ଜାତିସଂଘ ଭଳି ସଂସ୍ଥା ଓଡ଼ିଶାକୁ ପ୍ରଶଂସା କରିଛନ୍ତି ବୋଲି ସେ କହିଛନ୍ତି ।”

କୃଷି ଓଡ଼ିଶା ୨୦୨୪ରେ ପ୍ରଦର୍ଶିତ ହୋଇଥିବା ଜ୍ଞାନକୌଶଳ ଓ ଯନ୍ତ୍ରପାତିଗୁଡ଼ିକୁ ଭଲ ଭାବେ ଜାଣି ଚାଷ କାମରେ ତାହାକୁ ସଦୁପଯୋଗ କରିବା ଲାଗି ସେ ଚାଷୀଭାଇମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ମାନ୍ୟବର ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଉଭୟ ରାଜ୍ୟ ଓ ଦେଶର କୃଷି କ୍ଷେତ୍ରର ବିକାଶରେ ମହିଳା କୃଷକଙ୍କ ଅପରିହାର୍ଯ୍ୟ ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ମହିଳା କୃଷକଙ୍କ ବିନା ଆମ ରାଜ୍ୟ ତଥା କୃଷି କ୍ଷେତ୍ରରେ ଦେଶର ବିକାଶ କଳ୍ପନା କରାଯାଇ ପାରିବ ନାହିଁ ।

ମୁଖ୍ୟ ଶାସନ ସଚିବ ଆଇଏଏସ୍ ପ୍ରଦୀପ କୁମାର ଜେନା କୃଷିର ବିକାଶ ପାଇଁ ମହିଳାଙ୍କ ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ । ନିଜକୁ କୃଷି ଉଦ୍ୟୋଗୀ ଏବଂ ପ୍ରତ୍ୟେକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ୟୁନିଟରେ ପରିଣତ କରିବା ପାଇଁ ସେ କୃଷକମାନଙ୍କୁ ଅନୁରୋଧ କରିଥିଲେ । ମୁଁ ଆଶା କରୁଛି ଆମର ମିଶନ ଶକ୍ତି କାର୍ଯ୍ୟକ୍ରମ ଦେଶ ପାଇଁ ଆଦର୍ଶ ପାଲଟିବ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ କୃଷି ଓଡ଼ିଶା ୨୦୨୪ରେ ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ସମ୍ମାନିତ କରାଯିବା ସହ ଏହି କୃଷି ସଂସ୍ଥାଗୁଡ଼ିକର ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରାଯାଇଥିଲା ।

ଏହି ଐତିହାସିକ କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ \”ମିଶନ ଶକ୍ତି\” ଏବଂ \”ମୁଖ୍ୟମନ୍ତ୍ରୀ କୃଷି ଯୋଜନା\” ନାମକ ଦୁଇଟି କଫି ଟେବୁଲ ପୁସ୍ତକ ଉନ୍ମୋଚନ କରାଯାଇଥିଲା, ଯେଉଁଥିରେ ଏହି ପ୍ରଭାବଶାଳୀ କାର୍ଯ୍ୟକ୍ରମ ଅଧୀନରେ ପଦକ୍ଷେପ ଏବଂ ଉପଲବ୍ଧି ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା ।

ମିଶନ ଶକ୍ତି ଅଧୀନରେ ପ୍ରାୟ ୭୦ ଲକ୍ଷ ମହିଳା ସକ୍ରିୟ ଭାବରେ ଅଂଶଗ୍ରହଣ କରୁଛନ୍ତି, ଯାହା କୃଷି କ୍ଷେତ୍ରରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ ପରିବର୍ତନଶୀଳ ଯୁଗ । ମୁଖ୍ୟମନ୍ତ୍ରୀଙ୍କ ମିଶନ ଶକ୍ତି ଯୋଗା ମା\’ମାନଙ୍କୁ ଉନ୍ନତ ଦକ୍ଷତା ଓ ସ୍ଥିରତା ସହିତ ସଶକ୍ତ କରିବା ସହ ସେମାନଙ୍କୁ ଉଦ୍ୟୋଗୀ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି । ଉନ୍ନତ କୃଷି ଜ୍ଞାନକୌଶଳର ସମନ୍ୱୟ ଫଳରେ ଷ୍ଟ୍ରବେରୀ, ଡ୍ରାଗନ୍ ଫ୍ରୁଟ୍‌, ଆଚାର, ଅଦା, ହଳଦୀ, ପନିପରିବା, ଚାଉଳ, ଆଖୁ ଆଦି ବିଭିନ୍ନ ମୂଲ୍ୟବାନ ଉତ୍ପାଦ ଉତ୍ପାଦନ ହୋଇଛି ।

୨୧୮ଟି ଇଣ୍ଡୋର ଓ ୩୨ଟି ଆଉଟଡୋର ଷ୍ଟଲ କୁ ମିଶାଇ ମୋଟ ୨୫୦ଟି ଷ୍ଟଲ ସହ କୃଷି ଓଡ଼ିଶା ୨୦୨୪ କୃଷି କ୍ଷେତ୍ରରେ ଜ୍ଞାନ ବିନିମୟ, ଉଦ୍ଭାବନ ଓ ସହଯୋଗ ପାଇଁ ଏକ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରୁଛି ।


Spread the love

Leave A Reply

Your email address will not be published.