କୋରାପୁଟ ଜିଲ୍ଲାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ

Spread the love

ଭୁବନେଶ୍ୱର: ରାଜ୍ୟ ସରକାର କୋରାପୁଟ ଜିଲ୍ଲାରେ ଲୋକେସନ ଆକ୍ସେସିବଲ ମଲ୍ଟି-ମୋଡାଲ ଇନିସିଏଟିଭ୍ ବା ଲକ୍ଷ୍ମୀ ବସ୍ ସେବାର ଉଦଘାଟନ କରି ରାଜ୍ୟର ସାର୍ବଜନୀନ ପରିବହନ ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। କୋରାପୁଟ ୬ଷ୍ଠ ଜିଲ୍ଲା ଭାବେ ଲକ୍ଷ୍ମୀ ଯୋଜନାରେ ଉପକୃତ ହେବ। ଆଜି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ କରିଛନ୍ତି।
କୋରାପୁଟ ଜିଲ୍ଲାର ୨୪୦ଟି ଗ୍ରାମପଞ୍ଚାୟତ ଏବଂ ୧୪ଟି ବ୍ଲକକୁ ସଂଯୋଗ କରିବା ପାଇଁ ମୋଟ ୬୩ଟି ଲକ୍ଷ୍ମୀ ବସ୍ ଚଳାଚଳ କରିବ । ଯେଉଁଥିରେ ୪୮ଟି ନନ୍ ଏସି ବସ୍ ଗ୍ରାମପଞ୍ଚାୟତରୁ ବ୍ଲକକୁ ସଂଯୋଗ କରିବ । ସେହିପରି ବ୍ଲକରୁ ଜିଲ୍ଲାମୁଖ୍ୟାଳୟ ପର୍ଯ୍ୟନ୍ତ ଗମନାଗମନ ପାଇଁ ୧୫ଟି ଏସି ବସ୍ ରହିଛି। କୋରାପୁଟ ଜିଲ୍ଲାର ପ୍ରତ୍ୟେକ କୋଣ ଅନୁକୋଣକୁ ଗମନାଗମନ ସେବା ଯୋଗାଇଦେବା ପାଇଁ ଲକ୍ଷ୍ମୀ ବସ୍ ଦୈନିକ ୧୨,୧୯୫ ରୁ ଅଧିକ କିଲୋମିଟର ଯାତ୍ରା କରିବ। ଏଥିସହ କୋରାପୁଟ ଜିଲ୍ଲାବାସୀଙ୍କୁ ସୁରକ୍ଷିତ ଏବଂ ନିରବଚ୍ଛିନ୍ନ ପରିବହନ ଯୋଗାଇଦେବା ପାଇଁ ଲକ୍ଷ୍ମୀ ଯୋଜନା ଅଧିନରେ ୬୭ ଜଣ ତାଲିମପ୍ରାପ୍ତ ଦକ୍ଷ ଚାଳକ ଓ ୧୧୯ ଜଣ କଣ୍ଡକ୍ଟରଙ୍କୁ ନିୟୋଜିତ କରାଯାଇଛି ।
ଲକ୍ଷ୍ମୀ ବସ୍ ସେବା ଦ୍ଵାରା ସାର୍ବଜନୀନ ପରିବହନ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିବା ସହ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ବହୁବିଧ ସୁବିଧା ମିଳିବ। କୃଷିଜାତ ଦ୍ରବ୍ୟ ବଜାରରେ ସହଜରେ ପହଞ୍ଚିବ ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା, ବ୍ୟବସାୟ ଭଳି ଅତ୍ୟାବଶ୍ୟକ ସେବାକୁ ଏହା ସୁଗମ କରିବ। ଏହି ବସ୍ ସେବା ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ଏଥିସହ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେବା ପରେ ପର୍ଯ୍ୟଟନ କ୍ଷେତ୍ରରେ ଯଥେଷ୍ଟ ସୁଧାର ଆସିବ। କୋରାପୁଟ ଜିଲ୍ଲାରେ ଥିବା ବାଗ୍ରା ଜଳପ୍ରପାତ, ଡୁଡୁମା ମାଖକୁଣ୍ଡ ଜଳପ୍ରପାତ, ଦେଓମାଳି ପର୍ବତ, ଏବଂ କେଚେଲା ଜୈନ ମନ୍ଦିର ପରି ଲୋକପ୍ରିୟ ପର୍ଯ୍ୟଟନସ୍ଥଳ ଗୁଡ଼ିକୁ ଲକ୍ଷ୍ମୀ ବସ୍ ମାଧ୍ୟମରେ ଯୋଡ଼ିବା ଦ୍ୱାରା ସେଠାକୁ ଅଧିକରୁ ଅଧିକ ପର୍ଯ୍ୟଟକମାନେ ଯିବାକୁ ଇଚ୍ଛା ପ୍ରକାଶ କରିବେ। ଏହା ଜିଲ୍ଲା ଏବଂ ରାଜ୍ୟର ଅର୍ଥନୀତି ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇବ।
ଏହି ଯୋଜନାରେ ସ୍ଥାନୀୟ ନିଯୁକ୍ତି ସହ ମହିଳା ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଲକ୍ଷ୍ମୀ ଯୋଜନାରେ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ସାମିଲ କରାଯାଇଛି। ବର୍ତ୍ତମାନ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ୫ଟି ବସର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ଵରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଏବଂ ଓଏସ୍ଆରଟିସିର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଦୀପ୍ତେଶ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।
ରାଜ୍ୟବ୍ୟାପୀ ୧୭୦୦ରୁ ଅଧିକ ବସ୍ ଯୋଗାଇଦେବା ପାଇଁ ଆଗାମୀ ୩ ବର୍ଷ ମଧ୍ୟରେ ୩୧୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଓଡ଼ିଶା ସରକାର ସାର୍ବଜନୀନ ପରିବହନ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିବା ଦିଗରେ ନିରନ୍ତର ପ୍ରୟାସ କରୁଛନ୍ତି। ଯାହା ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।


Spread the love

Leave A Reply

Your email address will not be published.