ଭୁବନେଶ୍ଵର,୦୪/୦୨:ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ଦିଗରେ ଓଡ଼ିଶା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ (ୟୁନିଫର୍ମ) ସହ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ।
ଏହି ପୋଷାକ ବଣ୍ଟନ ପ୍ରକ୍ରିୟାକୁ ଆସନ୍ତା ୧୫ ଫେବୃଆରୀ ସୁଦ୍ଧା ଶେଷ କରିବାକୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି।ଓସେପାର ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ଦ୍ୱାରା ଜାରି ହୋଇଥିବା ପତ୍ର ଅନୁଯାୟୀ, ୨୦୨୫–୨୬ ଶିକ୍ଷାବର୍ଷ ପାଇଁ ପ୍ରତି ଶିଶୁ ପିଛା ୧,୦୦୦ ଟଙ୍କା ହିସାବରେ ପାଣ୍ଠି ମଞ୍ଜୁର କରାଯାଇଛି।
ଏହି ଅର୍ଥରେ ଶିଶୁ ବାଟିକାର ଛାତ୍ରଛାତ୍ରୀମାନଙ୍କୁ ଦୁଇ ହଳ ପୋଷାକ, ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ୍, ଟୋପି ଏବଂ ପରିଚୟ ପତ୍ର ପ୍ରଦାନ କରାଯିବ। ପୋଷାକର ରଙ୍ଗ, ଡିଜାଇନ୍ ଓ ଗୁଣବତ୍ତା ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ହେବ।ସ୍ୱଚ୍ଛତା ଓ ପାରଦର୍ଶିତା ବଜାୟ ରଖିବା ଲକ୍ଷ୍ୟରେ, ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଅନୁମୋଦିତ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କିମ୍ବା ପୂର୍ବରୁ କାର୍ଯ୍ୟରତ ସଂସ୍ଥାମାନଙ୍କ ମାଧ୍ୟମରେ ଏହି ସାମଗ୍ରୀ ସଂଗ୍ରହ କରାଯିବ। ଏଥିପାଇଁ କୌଣସି ନୂତନ ଟେଣ୍ଡର ଆବଶ୍ୟକ ନାହିଁ ବୋଲି ଓସେପା ସ୍ପଷ୍ଟ କରିଛି।
ଏହି କାର୍ଯ୍ୟକ୍ରମକୁ ‘ଅତ୍ୟାବଶ୍ୟକ’ ବିଭାଗରେ ରଖାଯାଇଥିବା ବେଳେ, ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକ (DPC) ମାନେ ବଣ୍ଟନ ପ୍ରକ୍ରିୟାର ସିଧାସଳଖ ତଦାରଖ କରିବେ।ଜାତୀୟ ଶିକ୍ଷା ନୀତି–୨୦୨୦ (NEP 2020)ର ସଫଳ ରୂପାୟଣ ସହ ପ୍ରାକ୍-ପ୍ରାଥମିକ ସ୍ତରରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଓ ଭର୍ତ୍ତି ହାର ବୃଦ୍ଧି କରିବା ଲକ୍ଷ୍ୟରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।