କଟକ,୧୬/୦୩: କଟକର ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ୟୁନିଟ୍ରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। ହଠାତ୍ ନିଆଁ ଲାଗିବାରୁ ହସ୍ପିଟାଲ ଭିତରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା। ରୋଗୀ ଓ ସେମାନଙ୍କ ଆତ୍ମୀୟମାନେ ଭୟଭୀତ ଅବସ୍ଥାରେ ବାହାରକୁ ଧାଇଁଥିଲେ।ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି ଓ ୧୩ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତମାନଙ୍କୁ ହସ୍ପିଟାଲର ଅନ୍ୟ ୱାର୍ଡକୁ ସ୍ଥାନାନ୍ତର କରି ଚିକିତ୍ସା ଚାଲିଛି।
ଘଟଣାକୁ ନେଇ ରାଜନୀତି ମଧ୍ୟ ତେଜିଛି। ବିଭିନ୍ନ ନେତାମାନେ ହସ୍ପିଟାଲର ଅଗ୍ନିନିରାପତ୍ତା ବ୍ୟବସ୍ଥା ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। Sprinkler ସିଷ୍ଟମ୍ କାମ କରିନଥିବା ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ସମୟରେ ଚାଲୁ ନହେବାକୁ ନେଇ ପ୍ରଶ୍ନ ଉଠିଛି।
ଏପଟେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।
ଘଟଣାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଜୁଡିସିଆଲ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ରାଜ୍ୟରେ ଏହି ଦୁର୍ଘଟଣାକୁ ନେଇ ଶୋକର ଛାୟା ପଡ଼ିଛି।