କେନ୍ଦ୍ରାପଡ଼ା,୧୦/୦୩:କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ତେଣ୍ଡାକୁଡା ପଞ୍ଚାୟତର ବସନ୍ତପୁର ଗାଁରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଗାଁର କୁଳମଣି ମଲ୍ଲିକ ଓ ଧୁଳ ମଲ୍ଲିକଙ୍କ ୭ ବଖରା ଚାଳଛପର ଘର ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ଘରଭିତରେ ରହିଥିବା ଧାନ, ଚାଉଳ ଓ ଅନ୍ୟାନ୍ୟ ଦୈନନ୍ଦିନ ପ୍ରୟୋଜନୀୟ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଆଗ୍ନିକାଣ୍ଡରେ ଜଳିଯାଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ଘରର ବିଦ୍ୟୁତ ତାରରେ ସଟସର୍କିଟ ହେବାରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ନିଆଁ ଲାଗିବା ପରେ କିଛି ସମୟ ମଧ୍ୟରେ ଆଗ୍ନିକାଣ୍ଡ ଭୟାବହ ଆକାର ଧାରଣ କରିଥିଲା ଏବଂ ପାଖପାଖି ଘରକୁ ମଧ୍ୟ ବ୍ୟାପିଯାଇଥିଲା। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଞ୍ଚି ଦୀର୍ଘ ସମୟ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିଥିଲେ।
ଏହି ଅଗ୍ନିକାଣ୍ଡରେ ପ୍ରଭାବିତ ପରିବାରମାନେ ବର୍ତ୍ତମାନ ଦୁର୍ଦଶାରେ ପଡ଼ିଥିବା ବେଳେ ତୁରନ୍ତ ସରକାରୀ ସହାୟତା ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ଷତିର ଆକଳନ କରାଯାଇ ପ୍ରଭାବିତଙ୍କୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।