ଭୁବନେଶ୍ୱର,୨୫/୦୩: ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାରଙ୍କ ପକ୍ଷରୁ ଗତକାଲି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ଏଠାରେ ଉପମୁଖ୍ୟମନ୍ତ୍ରୀ ତଥା ମିଶନ ଶକ୍ତିର ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡା ଲକ୍ଷ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) କୁ ସୁଧ ରିହାତି ସମେତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି, ଯାହାର ଲକ୍ଷ୍ୟ ହେଉଛି ସେମାନଙ୍କର ଅର୍ଥନୈତିକ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ଏବଂ ମହିଳା ଉଦ୍ୟୋଗୀକରଣକୁ ପ୍ରୋତ୍ସାହିତ କରିବା।
କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ରାଜ୍ୟର ୨,୬୭,୧୩୧ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କର ବ୍ୟାଙ୍କ ଋଣ ଉପରେ ୨୦୮.୩୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । ଏଥି ସହିତ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ରେ ସମୁଦାୟ ୩,୮୦,୭୬୩ ସ୍ଵୟଂ-ସହାୟକ ଗୋଷ୍ଠୀଙ୍କୁ ୭୨୪. ୩୯ କୋଟି ଟଙ୍କାର ବ୍ୟାଙ୍କ ଋଣ ସୁଧ ଫେରସ୍ତ କରାଯାଇଛି।ଖାଲି ସେତିକି ନୁହେଁ ତୃଣମୂଳ ସ୍ତରର ଅନୁଷ୍ଠାନଗୁଡ଼ିକୁ ମଜବୁତ କରିବା ପାଇଁ ବିଭିନ୍ନ ବର୍ଗରେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା। ମୋଟ ୩,୫୧୦ଟି ଏସଏଚଜିକୁ ୬.୪୩ କୋଟି ଟଙ୍କା ରିଭଲଭିଂ ଫଣ୍ଡ ଭାବରେ ପ୍ରଦାନ କରାଯାଇଥିବା ବେଳେ, ୧୮୦ଟି ଗ୍ରାମ ପଞ୍ଚାୟତ ସ୍ତରୀୟ ମହାସଂଘ (GPLF) କୁ କମ୍ୟୁନିଟି ଇନଭେଷ୍ଟମେଣ୍ଟ ଫଣ୍ଡ ଭାବରେ ୫୭.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହ ୧୦୧ଟି କ୍ଲଷ୍ଟର ସ୍ତରୀୟ ମହାସଂଘ (CLF) କୁ ଭଲନରାବିଲିଟି ରିଡକ୍ସନ ଫଣ୍ଡ ଅଧୀନରେ ୧.୪୦ କୋଟି ଟଙ୍କା ପ୍ରଦାନ କରାଯାଇଛି।
ଏହି ସମାବେଶକୁ ସମ୍ବୋଧିତ କରି ଉପମୁଖ୍ୟମନ୍ତ୍ରୀ କହିଥିଲେ ରାଜ୍ୟର ବିକାଶ ଯାତ୍ରାରେ ମହିଳାମାନେ ଆଗଧାଡ଼ିରେ ଅଛନ୍ତି । ଆଗରୁ ମହିଳାମାନଙ୍କର ବିକାଶ କିପରି କରାଯିବ ଚିନ୍ତା କରାଯାଉଥିବା ବେଳେ ଏବେ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନରେ ମହିଳାମାନେ କର୍ଣ୍ଣଧାର ସାଜିଛନ୍ତି । ସ୍ୱୟଂ-ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆର୍ଥିକ ରୂପେ ଦୃତ ଅଭିବୃଦ୍ଧି କରିବା ସହିତ ସଶକ୍ତ ଓ ସ୍ଵାବଲମ୍ବୀ ହେବାଦ୍ଵାରା ଆଗାମୀ ଦିନର ପରିକଳ୍ପିତ ବିକଶିତ ଓଡ଼ିଶାର ମୂଳଦୁଆ ସୁଦୃଢ ହେଉଅଛି । ସେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ପ୍ରତ୍ୟେକ ମହିଳା ଯେପରି ନିଜ ପରିବାର ସମସ୍ତ ଦାୟିତ୍ବ ନେଉଛନ୍ତି, ସେହିପରି ସରକାରଙ୍କ ଯୋଜନା ମାଧ୍ୟମରେ ମିଳୁଥିବା ଆର୍ଥିକ ସମ୍ବଳର ସୁବିନିଯୋଗ ତଥା ବ୍ୟାପାର ଲାଭାର୍ଥର ପୁନଃ ବିନିଯୋଗ କରିବା ଆବଶ୍ୟକ । ସଶକ୍ତ ହେବାପାଇଁ ନିଜକୁ ଆର୍ଥିକ ରୂପେ ସାକ୍ଷର କରି ଆଜିକାଲିର ବିଭିନ୍ନ ପ୍ରକାର ସାଇବର ଠକେଇ ପ୍ରତି ଅତ୍ୟନ୍ତ ସତର୍କ ରହିବାକୁ ସେ ସ୍ୱୟଂ-ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପରାମର୍ଶ ଦେଇଛନ୍ତି ।
Prev Post