ଭୁବନେଶ୍ଵର,୧୧/୦୩: ରାଜ୍ୟର ଶିଳ୍ପ ଓ ସ୍ୱରୋଜଗାରକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ MSME ଇ–ପାର୍କ ସ୍ଥାପନ କରାଯିବ। ଏହା ସମ୍ବନ୍ଧରେ ବିଧାନସଭାରେ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ କହିବା ଅନୁସାରେ, ଏହି ପରିକଳ୍ପନା ଅଧୀନରେ ଏପର୍ଯ୍ୟନ୍ତ ୧୪ଟି ଜିଲ୍ଲାରେ MSME ଇ–ପାର୍କ ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇସାରିଛି। ଆସନ୍ତା ଏପ୍ରିଲ ମାସ ମଧ୍ୟରେ ଆହୁରି ୪ରୁ ୫ଟି ଇ–ପାର୍କର କାମ ଶେଷ ହେବାର ସମ୍ଭାବନା ରହିଛି। ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ କାମ ଚାଲୁ ରହିଛି ଏବଂ ପର୍ଯ୍ୟାୟକ୍ରମେ ସମସ୍ତ ଜିଲ୍ଲାରେ ଏହାକୁ ସ୍ଥାପନ କରାଯିବ। ଏହି MSME ଇ–ପାର୍କ ମାଧ୍ୟମରେ ଛୋଟ ଓ ମଧ୍ୟମ ଉଦ୍ୟୋଗଗୁଡିକୁ ଏକ ସୁବିଧାଜନକ ଶିଳ୍ପ ପରିବେଶ ମିଳିବ। ପାର୍କ ଭିତରେ ଉଦ୍ୟୋଗ ସ୍ଥାପନ ପାଇଁ ଆବଶ୍ୟକ ଭୂମି, ଆଧାରଭୂତ ସଂଢ଼ାଞ୍ଚା ଓ ସୁବିଧା ଯୋଗାଇ ଦିଆଯିବ। ବିଶେଷକରି ସ୍ଥାନୀୟ ଉଦ୍ୟୋଗୀ ଓ ଭେଣ୍ଡରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ପାର୍କର ମୋଟ ଜମିର ୪୦ରୁ ୫୦ ପ୍ରତିଶତ ଅଂଶ ସ୍ଥାନୀୟ ଭେଣ୍ଡରଙ୍କୁ ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି।
ଏହି ପଦକ୍ଷେପ ଦ୍ୱାରା ରାଜ୍ୟରେ ନୂତନ ଶିଳ୍ପ ସୃଷ୍ଟି ହେବା ସହିତ ସ୍ଥାନୀୟ ଯୁବକ–ଯୁବତୀଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।
Prev Post