ଉତ୍କଳ ବିଶ୍ବବିଦ୍ୟାଳୟ ଏଣିକି ପ୍ରବେଶ କରିପାରିବେନି ଅଣଛାତ୍ର, କଠୋର ହେଲା ନିୟମ

Spread the love

ଭୁବନେଶ୍ଵର,୨୦/୦୨:ଉତ୍କଳ ବିଶ୍ୱବିଦ୍ୟାଳୟରେ ଅଣଛାତ୍ରଙ୍କ ଉପରେ ରୋକ୍ ଲାଗିବ । ଏଥିପାଇଁ ସମସ୍ତ ଛାତ୍ରଛାତ୍ରୀ କ୍ୟାମ୍ପସରେ ଥିବା ସମୟରେ ସବୁବେଳେ ନିଜର ପରିଚୟ ପତ୍ର ସାଙ୍ଗ ଧରି ବୁଲିବେ । ନିଶାକୁ କ୍ୟାମ୍ପସରେ ପ୍ରଶ୍ରୟ ଦିଆଯିବନି । ଯଦି କିଏ ମଦ କି ସିଗାରେଟ୍ ଭଳି ନିଶାଦ୍ରବ୍ୟ ସହ ଧରାପଡ଼ନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆବଶ୍ୟକ ପଡ଼ିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସ ଜିମାରେ ଦେବେ । ଏନେଇ ସମସ୍ତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଚିଠି କରିଛି ବିଶ୍ୱବିଦ୍ୟାଳୟ ।

ଉତ୍କଳ ବିଶ୍ୱବିଦ୍ୟାଳୟରେ ଅନେକ ସମୟରେ ଅଣଛାତ୍ର ପ୍ରବେଶ ଯୋଗୁ ଅଣଶୈକ୍ଷିକ ବାତାବରଣ ସୃଷ୍ଟି ହେଉଛି । ଗଣ୍ଡଗୋଳକୁ ଆରମ୍ଭ କରି ନିଶାଡ଼ିଙ୍କ ଆସ୍ଥାନ ଜମୁଛି । ଏପରିକି ନିଶା ଖାଇ ବିଶ୍ୱବିଦ୍ୟାଳୟରେ ଚୋରି କରୁଛନ୍ତି ଏବଂ ଜଙ୍ଗଲରେ ନିଆଁ ଲଗାଉଛନ୍ତି । ବିଶ୍ୱବିଦ୍ୟାଳୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି । ଏବେ କ୍ୟାମ୍ପସରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ବୈଧ ପରିଚୟ ପତ୍ର ସାଥୀରେ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ବିଶ୍ୱବିଦ୍ୟାଳୟର ସୁରକ୍ଷାକୁ ଆଖିରେ ରଖି ପରିଚୟ ପତ୍ର ଯାଞ୍ଚ ଅଚାନକ କରାଯିବ । ଏଥିପାଇଁ ସୁରକ୍ଷା କର୍ମୀଙ୍କୁ ମଧ୍ୟ ଅଧିକାର ଦିଆଯାଇଛି । ଯଦି କୌଣସି ପିଲା ନିଜର ପରିଚୟ ପତ୍ର ଦେଖାଇବାରେ ଅସକ୍ଷମ ତାଙ୍କୁ ଜଣେ ଅନଧିକୃତ ବ୍ୟକ୍ତି ଭାବେ ଗଣନା କରାଯିବ । ପୁଲିସ ଜିମାରେ ଦିଆଯିବ ।

ନିଶାଡ଼ିଙ୍କୁ ସାବାଡ଼ କରିବା ଲାଗି ବିଶ୍ୱବିଦ୍ୟାଳୟକୁ ଶୂନ୍ୟ ସହନଶୀଳତା କ୍ଷେତ୍ର ଭାବେ ଘୋଷଣା କରାଯାଇଛି । ମଦ, ସିଗାରେଟ୍, ତମାଖୁ ଜାତୀୟ ଦ୍ରବ୍ୟ ଓ ଇ-ସିଗାରେଟ୍ ଓ ଭେପ୍ସ ଭଳି ଦ୍ରବ୍ୟର ବ୍ୟବହାର ଓ ମହଜୁଦକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ଭଳି କାର୍ଯ୍ୟ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନାବଶ୍ୟକ ଭାବେ ବୁଲାବୁଲି କରିବା, ବିଶୃଙ୍ଖଳା ସୃଷ୍ଟି କରିବା କିମ୍ୱା ଅଶାନ୍ତିକର ପରିବେଶ ସୃଷ୍ଟି ନକରିବାକୁ କୁହାଯାଇଛି । ଏହି ନିର୍ଦ୍ଦେଶାବଳୀ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।


Spread the love

Leave A Reply

Your email address will not be published.