ଭୁବନେଶ୍ୱର , ୦୨/ ୦୨ : ନର୍ସମାନେ ତ୍ୟାଗ ଓ ସେବାର ପ୍ରତୀକ । ତାଙ୍କ ଉପରେ ମଣିଷର ଜୀବନ ନିର୍ଭର କରେ । ତେଣୁ ସେମାନେ ଯତ୍ନର ସହ ରୋଗୀ ସେବା କରିବା ଜରୁରୀ । ଡାକ୍ତର ଓ ନର୍ସ ଗୋଟିଏ ମୁଦ୍ରା ର ଦୁଇଟି ପାଶ୍ୱର୍ ସଦୃଶ ବୋଲି ଓଡିଶା ନର୍ସିଂ ନିର୍ଦ୍ଦେଶକ ଡାକ୍ତର ରାମଚନ୍ଦ୍ର ରାଉତ କହିଛନ୍ତି । ସଦା ସର୍ବଦା ନିଜର କାମକୁ ସଠିକ୍ ଭାବରେ ତୁଲାଇବା ଜରୁରୀ ବୋଲି ସେ କହିଥିଲେ ।
ଶୁକ୍ରବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି) ର ନବାଗତ ତଥା ୨୦୨୩-୨୪ ବ୍ୟାଚ୍ର ପ୍ରଥମ ବର୍ଷ ବିଏସ୍ସି ନର୍ସିଂ ଛାତ୍ରଛାତ୍ରୀ ମାନଙ୍କ ପ୍ରଦୀପ୍ତ ପ୍ରଜ୍ୱଳନ, ଶପଥ ଗ୍ରହଣ ତଥା କଲେଜର ବାର୍ଷିକ ଉତ୍ସବ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତର ରାଉତ ତାଙ୍କର ମନ୍ତବ୍ୟ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଶା ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଡକ୍ଟର ମିନତି ବେହେରା କହିଥିଲେ ଯେ, ସ୍ୱାସ୍ଥ୍ୟ କ୍ଷେତ୍ରରେ ନର୍ସମାନେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ଥାଆନ୍ତି । ଏଥି ସହିତ ସେ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ବର୍ତମାନ ପୁଅ ଓ ଝିଅ ମାନଙ୍କ ଭିତରେ କୌଣସି ପାର୍ଥକ୍ୟ ନାହିଁ । ଉଭୟ ଏହି ପାଠପଢା କୁ ନିଜ ଇଚ୍ଛାରେ ଚୟନ କରି ଏହାକୁ ନିଜର ବୃତି ଭାବେ ଗ୍ରହଣ କରୁଛନ୍ତି । ଆମେ ସବୁବେଳେ ଡାକ୍ତରଙ୍କୁ ନିଜର ପାଖରେ ପାଇ ନଥାଉ କିନ୍ତୁ ଦ୍ୱିତୀୟ ଡାକ୍ତର ସଦୃଶ ନର୍ସଙ୍କୁ ଆମେ ନିଜ ପାଖରେ ପାଇଥାଉ । ରୋଗୀଟିର ସେବାରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥାନ୍ତି ନର୍ସ । ତେଣୁ ଗୋଟିଏ ରୋଗୀର ଜୀବନରେ ନର୍ସ ମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ନର୍ସିଂ ଡେପୁଟି ନିର୍ଦ୍ଦେଶକ ଶ୍ରୀମତି ରାଜେଶ୍ୱରୀ ପଣ୍ଡା ମଧ୍ୟ ଯୋଗଦେଇ କହିଥିଲେ ଯେ କ୍ଲାସ୍ ରୁମ୍ ପାଠ ସହ କ୍ଲିନିକାଲ୍ ଶିକ୍ଷାର ମଧ୍ୟ ଅନେକ ଗୁରୁତ୍ୱ ରହିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନର୍ସମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ରୋଗୀଟି ସୁସ୍ଥ ହେବା ପଛରେ କେବଳ ଔଷଧ ମୁଖ୍ୟ ନୁହେଁ ବରଂ ନର୍ସମାନଙ୍କ ସେବା, ଯତ୍ନ ଓ ଭଲ ପାଇବା ଅତ୍ୟନ୍ତ ଆବଶ୍ୟକ ପଡିଥାଏ । ନର୍ସଟି କିପରି ସାବଧାନତାର ସହ ରୋଗୀ ସେବା କରିବା ଜରୁରୀ ଏଥି ପ୍ରତି ସେ ଦୃଷ୍ଟି ଆକର୍ଷଣ କରିଥିଲେ ।
ଏହି ଅବସରରେ ଆସୋସିଏଟ୍ ପ୍ରଫେସର ଦେବଜାନୀ ନାୟକ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍ଙ୍କ ଶପଥ ପାଠ କରାଇଥିଲେ ।
ଏହି କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିବାବେଳେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଏସ୍ଏନ୍ସିର ଡିନ୍ ପ୍ରଫେସର (ଡାକ୍ତର) ପ୍ରଭାତୀ ତ୍ରିପାଠୀ ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ ଆସୋସିଏଟ୍ ଡିନ୍ ପ୍ରଫେସର (ଡାକ୍ତର) ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଡିସ୍ନାଲ୍ ଡିନ୍ ତଥା ପ୍ଲେସ୍ମେଂଟର ପ୍ରଫେସର ତପତି ଶାହା ବକ୍ତବ୍ୟ ରଖିଥିଲେ ଏବଂ ସମ୍ ନର୍ସିଂ କଲେଜ (ଏସ୍ଏନ୍ସି) ଆସିଷ୍ଟାଂଟ ପ୍ରଫେସର ମଧୁସ୍ମିତା ନାୟକ ଧନ୍ୟବାଦ ଦେଇଥିଲେ ।