ସ୍ଵୟମ୍’ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ବୁଝାମଣା ପତ୍ର ସ୍ଵାକ୍ଷରିତ

Spread the love

ରାଜ୍ୟର ଯୁବଗୋଷ୍ଠୀଙ୍କୁ ସ୍ଵତନ୍ତ୍ର ଯୁବ ଉଦ୍ୟମୀରେ ପରିଣତ କରିବା ପାଇଁ ଓଡିଶା ରାଜ୍ୟ ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ‘ସ୍ଵୟମ୍’ ଯୋଜନାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ରାଜ୍ୟ ସରକାର ଓ କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର ମାଇକ୍ରୋ ଆଣ୍ଡ ସ୍ମଲ୍ ଏଣ୍ଟରପ୍ରାଇଜେସ୍ (CGTMSE)କର୍ତ୍ତୃପକ୍ଷଙ୍କ ସହ ଏକ ବୁଝାମଣା ପତ୍ର ଆଜି ଲୋକସେବା ଭବନ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ସ୍ଵାକ୍ଷର ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଥିଲେ ଏବଂ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି. ମାଥିଭାଥାନନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ ବିଭିନ୍ନ ବ୍ୟାଙ୍କର କର୍ତ୍ତୃପକ୍ଷମାନେ ଉପସ୍ଥିତ ଥିଲେ । , ଏହି ବୁଝାମଣା ପତ୍ରକୁ CGTMSE ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦିପ ବର୍ମାଙ୍କ ସହ ରାଜ୍ୟ ସରକାରଙ୍କ ତରଫରୁ ନିର୍ଦ୍ଦେଶକ, ଅନୁଷ୍ଠାନିକ ଅର୍ଥ , ଅର୍ଥ ବିଭାଗ ଡଃ. ପ୍ରଜ୍ଞାସ୍ମିତା ସାହୁ ସ୍ଵାକ୍ଷର କରିଥିଲେ । ବୁଝାମଣା ପତ୍ର ଅନୁଯାୟୀ ସ୍ଵୟଂ ଯୋଜନାରେ CGTMSE ସ୍ଵୟମ୍ ଯୋଜନା ଋଣର ୮୫% ଅର୍ଥ ଗ୍ୟାରେଣ୍ଟି ଆକାରରେ ପ୍ରଦାନ କରିବେ ଓ ରାଜ୍ୟ ସରକାର ଅବଶିଷ୍ଟ ୧୫% ଗ୍ୟାରେଣ୍ଟି ପ୍ରଦାନ କରିବେ । ଏଥିସହ CGTMSEର ଗ୍ୟାରେଣ୍ଟି ଅଂଶ ବାବଦ ବାର୍ଷିକ ଗ୍ୟାରେଣ୍ଟି ଦେୟ ଋଣ ଗ୍ରହିତାଙ୍କ ତରଫରୁ ରାଜ୍ୟ ସରକାର ବହନ କରିବେ । ପ୍ରମୁଖ ଶାସନ ସଚିବ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଯୋଜନା ସମ୍ପର୍କରେ ରାଜ୍ୟର ସମସ୍ତ ବ୍ୟାଙ୍କ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ଏହି ଯୋଜନାରେ ଋଣର ସମସ୍ତ ସୁଧଭାର ରାଜ୍ୟ ସରକାର ବହନ କରୁଥିବା ବିଷୟ ବ୍ୟାଙ୍କ ଅଧିକାରୀ ମାନଙ୍କୁ ଜଣାଇ ଦିଆଯାଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ,ସ୍ଵୟମ୍ ଯୋଜନାରେ ୧୮ ରୁ ୩୫ ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ନୂଆ କିମ୍ବା ଚାଲୁ ରହିଥିବା ବ୍ୟବସାୟକୁ ବଢାଇବା ନିମନ୍ତେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି । ଅନୁସୂଚିତ ଜାତି/ ଜନଜାତି/ଭିନ୍ନକ୍ଷମ / ସହରାଞ୍ଚଳର କିନ୍ନରମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୪୦ ବର୍ଷ ଅଟେ । ଏହି ଋଣ ନିମନ୍ତେ ଋଣ ଗ୍ରହିତାଙ୍କୁ ବ୍ୟାଙ୍କରେ କୌଣସି ବନ୍ଧକ ରଖିବାକୁ ପଡିବ ନାହିଁ କିମ୍ବା ବ୍ୟାଙ୍କକୁ କୌଣସି ପ୍ରୋସେସିଂ ଦେୟ ଦେବାକୁ ପଡିବ ନାହିଁ । ଯୋଜନାର ଋଣ ପରିଶୋଧ ଅବଧି ୪ ବର୍ଷ ଯେଉଁଥିରେ ବ୍ୟାଙ୍କର ପ୍ରଚଳିତ ନିୟମ ଅନୁଯାୟୀ ୩ ରୁ ୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି ।


Spread the love

Leave A Reply

Your email address will not be published.