ଅଲ୍ଟିମେଟ ଖୋ ଖୋ ସିଜନ-୨ରେ ଓଡ଼ିଶା ଜଗରନଟ୍ସର ପ୍ରଥମ ପରାଜୟ

Spread the love

କଟକ, ୩୦ ଡିସେମ୍ବର, ୨୦୨୩: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଅଲ୍ଟିମେଟ୍ ଖୋ ଖୋ ସିଜିନ-୨ର ଦ୍ୱିତୀୟ ମ୍ୟାଚରେ ଗୁଜୁରାଟ ଜାଏଂଟ୍ସ ଅଲରାଉଣ୍ଡ ପ୍ରଦର୍ଶନ କରି ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସକୁ ୩୪-୨୯ ପଏଂଟରେ ପରାସ୍ତ କରିଥିବା ବେଳେ ପ୍ରଥମ ମ୍ୟାଚରେ ଚେନ୍ନାଇ କ୍ୱିକ୍ ଗନ୍ସ ୩୬-୩୧ରେ ମୁମ୍ବାଇ ଖିଲାଡିଜଙ୍କୁ ପରାସ୍ତ କରିଛି । ବିଜେତା ଦଳ ପକ୍ଷରୁ ପି ନରସାୟା ସର୍ବାଧିକ ୮ ପଏଂଟ ହାସଲ କରିଥିବା ବେଳେ ଅଭିଜିତ ପାଟିଲ ଓ ଶୁଭମ ଥୋରାଟ ୪ ମିନିଟରୁ ଅଧିକ ସମୟ ମ୍ୟାଟରେ ରହି ଡ୍ରିମ୍ ରନ୍ ବୋନସ୍ ପଏଂଟ ହାସଲ କରିଥିଲେ ।

ଗୁଜରାଟ ଜାଏଂଟସ ଫ୍ରଂଟ ଫୁଟରେ ମ୍ୟାଚ୍ ଆରମ୍ଭ କରି ପ୍ରଥମ ପାଳିରେ ୧୮ ପଏଂଟ ହାସଲ କରିଥିବା ବେଳେ କେବଳ ଗୋଟିଏ ଡ୍ରିମ ରନ ବୋନସ ପଏଂଟ ହାସଲ କରିଥିଲା । ପ୍ରଥମ ଇନିଂସ ଶେଷ ହେବା ପୂର୍ବରୁ ଅଭିଜିତ ପାଟିଲ, ଶୁଭମ ଥୋରାଟ ଏବଂ ଦୀପକ ମାଧବଙ୍କ ପ୍ରଥମ ବ୍ୟାଚ୍ ୪ଟି ଡ୍ରିମ୍ ରନ୍ ବୋନସ ପଏଂଟ ହାସଲ କରି ଦଳକୁ ୧୧ ପଏଂଟରେ ଅଗ୍ରଣୀ ରଖିଥିଲେ ଯାହା ସିଜନ-୨ରେ ଗୁଜୁରାଟ ପାଇଁ ଅନ୍ୟତମ ଶ୍ରେଷ୍ଠ ମୁହୁର୍ତ ସାବ୍ୟସ୍ତ ହୋଇଥିଲା । ତୃତୀୟ ପାଳିରେ ରୋହନ ସିଙ୍ଗାଡ଼େ, ବିଶାଲଙ୍କ ସହିତ ଓଡ଼ିଶା ଜଗରନଟ୍ସ ଚମତ୍କାର ପ୍ରତ୍ୟାବର୍ତନ କରିଥିବା ବେଳେ, ଶୁଭମ ଥୋରାଟ ୪ଟି ଡ୍ରିମ୍ ରନ୍ ବୋନସ୍ ପଏଂଟ ହାସଲ କରିଥିଲେ । ତେବେ ଗୁଜରାଟ ତୃତୀୟ ପାଳିରେ ମଧ୍ୟ ଆକ୍ରମଣରେ ୧୨ ପଏଂଟ ହାସଲ କରିଥିଲା ଏବଂ ଶେଷରେ ୧୪ ପଏଂଟର ଶେଷ ଟର୍ଣ୍ଣ ଡିଫେଣ୍ଡିଂ ଚାମ୍ପିୟନଙ୍କ ପାଇଁ ବିଜୟ ହାସଲ କରିବା ପାଇଁ ଯଥେଷ୍ଟ ହୋଇନଥିଲା ।

ସେହିଭଳି ଆଜିର ପ୍ରଥମ ମ୍ୟାଚରେ ରାମଜୀ କଶ୍ୟପଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚେନ୍ନାଇ କ୍ୱିକ ଗନ୍ସ ୩୬-୩୧ ପଏଂଟରେ ମୁମ୍ବାଇ ଖିଲାଡିଙ୍କୁ ପରାସ୍ତ କରିଛି । ଆଟାକ ସମୟରେ କଶ୍ୟପ ୩ଟି ସ୍କାଏଡାଇଭ୍ ସହ ୧୦ ପଏଂଟ ହାସଲ କରିବା ସହ ୪ ମିନିଟରୁ ଅଧିକ ସମୟ ମ୍ୟାଟରେ ରହି ବିଜୟୀ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଡ୍ରିମ ରନ ବୋନସ ପଏଂଟ ହାସଲ କରିଥିଲେ । ପ୍ରଥମେ ଆରମ୍ଭ କରିଥିବା ଟିମ ମୁମ୍ବାଇ ଖିଲାଡିସ ମୋଟ ୧୬ ପଏଂଟ ହାସଲ କରିଥିଲା । ତେବେ ଚେନ୍ନାଇ ମଧ୍ୟ ଡ୍ରିମ୍ ରନ୍ ବୋନସ୍ ପଏଂଟ ହାସଲ କରିବାରେ ସଫଳ ହୋଇଥିଲା । ଦ୍ୱିତୀୟ ପାଳିରେ ୬ ପଏଂଟ ଜିତି ଦଳକୁ ସହଜ ସ୍ଥିତିରେ ପହଂଚାଇଥିବା କଶ୍ୟପଙ୍କ ଚମତ୍କାର ପ୍ରଦର୍ଶନ ବଳରେ ପ୍ରଥମ ଇନିଂସ୍ ଶେଷ ହେବା ପୂର୍ବରୁ ସେମାନେ ୧୮ ପଏଂଟ ହାସଲ କରିଥିଲେ । ସୁଭାଶିଷ ସାନ୍ତ୍ରା ଓ ହୃଷିକେଶ ମୁରଚାୱାଡେ ତୃତୀୟ ପାଳିରେ ଆକ୍ରମଣ କରି ୮ ପଏଂଟ ହାସଲ କରିଥିବା ବେଳେ ମୁମ୍ବାଇ ଖିଲାଡି୧୪ ପଏଂଟ ପାଇ ଦଳ ମଧ୍ୟରେ ବ୍ୟବଧାନ ବଢ଼ାଇଥିଲେ । ତେବେ ଚେନ୍ନାଇ ଶେଷ ପାଳିରେ ଏହି ଲକ୍ଷ୍ୟକୁ ସହଜରେ ହାସଲ କରି ଲିଗରେ ତୃତୀୟ ବିଜୟ ହାସଲ କରିଛି ।

ଖୋ ଖୋ ଫେଡେରେଶନ ଅଫ ଇଣ୍ଡିଆ ସହ ସହଭାଗିତାରେ ଅମିତ ବର୍ମନ୍‌ଙ୍କ ଦ୍ୱାରା ପରିକଳ୍ପିତ ଅଲ୍ଟିମେଟ୍ ଖୋ ଖୋ ପ୍ରଥମ ସଂସ୍କରଣରେ ଏକ ବଡ ସଫଳତାରେ ପରିଣତ ହୋଇଥିଲା, ଯାହାକି ଟେଲିଭିଜନ ଭ୍ୟୁୟର୍‌ସିପ୍ ଦୃଷ୍ଟିରୁ ଭାରତର ୩ୟ ସର୍ବବ୍ୟହତ ଅଣ-କ୍ରିକେଟ ଲିଗ ଭାବେ ଉଭା ହୋଇଛି । ଏହା ୟୁକେ ସ୍ଥିତ ବିଏନ୍‌ପି ଗ୍ରୁପ୍ ସୌଜନ୍ୟରେ ଏହା ସିରିଜ୍ ଏ ଫଣ୍ଡିଙ୍ଗ୍ ପ୍ରାପ୍ତ କରିଥିବା ପ୍ରଥମ ଇଣ୍ଡିଆନ୍ ସ୍ପୋର୍ଟସ୍ ଲିଗ୍ ହେବାର ସ୍ୱତନ୍ତ୍ରତା ହାସଲ କରିଥିଲା । ଏହାର ୨ୟ ସଂସ୍କରଣରେ ପଏଂଟ ବ୍ୟବସ୍ଥାରେ ଏକସମାନତା ପ୍ରଚଳନ କରାଯାଇଛି ଯେଉଁଥିରେ ଦଳଗୁଡ଼ିକୁ ସମସ୍ତ ଆକ୍ରମଣାତ୍ମକ ପଦକ୍ଷେପ ପାଇଁ ଦୁଇ ପଏଂଟ ଦାୟୀ କରାଯିବ । ସେହିପରି ପ୍ରତିଦିନ ସନ୍ଧ୍ୟା ୭ଟା ୩୦ ମିନିଟ୍‌ରୁ ଆରମ୍ଭ ହେଉଥିବା ଦୁଇଟି ମ୍ୟାଚ୍ର ଲାଇଭ୍ କଭରେଜ ସହିତ ସିଜନ ୨ର ଉତ୍ସାହଜନକ ଆକ୍ସନ ସୋନି ସ୍ପୋର୍ଟସ ନେଟୱର୍କର ଚ୍ୟାନେଲ ଓ ସୋନି ଲିଭ୍‌ରେ ଟେଲିକାଷ୍ଟ ବା ପ୍ରସାରିତ ହେବ ।

ରବିବାର ଦିନ ମ୍ୟାଚରେ ତେଲୁଗୁ ଯୋଦ୍ଧାସ, ଡିଫେଣ୍ଡିଂ ଚାମ୍ପିୟନ ଓଡ଼ିଶା ଜଗରନଟ୍ସକୁ ଭେଟିବ ଏବଂ ରାଜସ୍ଥାନ ୱାରିୟର୍ସ, ମୁମ୍ବାଇ ଖିଲାଡିଜ ସହ ପ୍ରତିଦ୍ୱନ୍ଦିତା କରିବ । ଆଜିର ୨ୟ ମ୍ୟାଚରେ ବିଜୟୀ ଦଳ ଗୁଜୁରାଟ ଜିଆଂଟସରେ ଅଭିନନ୍ଦନ ପାଟିଲ, ଅକ୍ଷୟ ଭଙ୍ଗରେ, ସୁୟଶ ଗାର୍ଗାଟେ, ନିଲେଶ ଯାଦବ, ପି ନରସାୟା, ଫୈଜାନଖା ପଠାନ, ରାଜବର୍ଦ୍ଧନ ପାଟିଲ, ଭି ସୁବ୍ରମଣି, ଦୀପକ ମାଧବ, ଶୁଭମ ଥୋରାଟ, ଗଭରା ଭେଙ୍କଟେଶ, ସଂକେତ କଦମ, କୋନ୍ଧଲକର ରୂପେଶ, ଭରତ କୁମାର, ପବନି ଶବର, ବିନାୟକ ପୋକର୍ଡେ, ରାମ ମୋହନ, ଭି କାବିଲାନ, ଅର୍ଣ୍ଣବ ପାଟନକର, ଅଲଫାଜ ଏଚ ନାଦାଫ, ବାସଭେ ରବି, ଅଭିଜିତ ପାଟିଲ, ସଲିମ ଖାନ, ବିଜେଶ କୁମାର ଏବଂ ହରିଶ ମହମ୍ମଦ ଆଦି ସାମିଲ ଥିଲେ । ସେହିପରି ଓଡ଼ିଶା ଜଗରନଟସ୍‌ରେ ଦିଲୀପ ଖଣ୍ଡଭି, ଦୀପେଶ ମୋରେ, ଗୌତମ ଏମକେ, ବିଶାଲ, ଓମକାର ସୋନାୱାନେ, ରୋହନ ଶିଙ୍ଗାଡେ, ଅକ୍ଷୟ ମାସାଲ, ମହେଶା ପି, ମନୋଜ ପାଟିଲ, ଅବିନାଶ ଦେଶାଇ, ମନୋଜ କୁମାର, ବିଶାଗ ଏସ, ଦେବେନ୍ଦ୍ର ନାଥ, ନିଖିଲ କୁମାର, ବିଶାଲ ଓରାମ, ସଞ୍ଜୟ କୁମାର ଭି, ଦୀପକ କୁମାର ସାହୁ, ନିଖିଲ ବି, ଏମଡି ମିରାଜୁଲ, ସୁଶାନ୍ତ କଲଧୋନ, ସୋଭାଗ ଭି ଶ୍ରୀଗଣ୍ଡା, ନିରଞ୍ଜନ ସାମଲ, ସବୀର ଅହମ୍ମଦ, ସୁରେଶ କୁମାର ଓ ସିଦ୍ଧେଶ୍ୱର ଟୁଡୁ ଆଦି ସାମିଲ ଥିଲେ ।


Spread the love

Leave A Reply

Your email address will not be published.