ଭୁବନେଶ୍ୱର: ବିକଶିତ ଭାରତ ବିଲ୍ଡ଼ାଥନ ୨୦୨୫ ଏକ ଜାତୀୟ ନବସୃଜନ ଅଭିଯାନ ଯାହା ଶିକ୍ଷା ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ) ଏବଂ ଅଟଳ ଇନୋଭେସନ ମିଶନ, ନୀତି ଆୟୋଗଙ୍କ ସହଯୋଗରେ ଆୟୋଜିତ ହୋଇଥିଲା । ଅକ୍ଟୋବର ୧୩ରେ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍ଘାଟିତ ତାହା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡିଓଏସଇଏଲ ସଚିବ ଶ୍ରୀ ସଞ୍ଜୟ କୁମାର, ମିଶନ ନିର୍ଦ୍ଦେଶକ, ଅଟଳ ଇନୋଭେସନ ମିଶନର ଦୀପକ ବାଗଲା, ଏଆଇସିଟିଇର ଅଧ୍ୟକ୍ଷ ପ୍ରଫେସର ଟି.ଜି. ସିତାରାମ ଏବଂ ଏଆଇସିଟିଇର ଉପାଧ୍ୟକ୍ଷ ଡ. ଅଭୟ ଜେରେ ଉପସ୍ଥିତ ଥିଲେ ।
ଏହି ବିଲ୍ଡ଼ାଥନ ସର୍ବବୃହତ ବିଦ୍ୟାଳୟ-ସ୍ତରୀୟ ହ୍ୟାକାଥନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ, ସୃଜନଶୀଳତା ଏବଂ ସମସ୍ୟା ସମାଧାନ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଚାରୋଟି ପ୍ରମୁଖ ବିଷୟବସ୍ତୁ ଉପରେ ଆଇଡିଆ ସୃଷ୍ଟି ଓ ପ୍ରୋଟୋଟାଇପ ନିର୍ମାଣକୁ ଉତ୍ସାହିତ କରିଥିଲା । ତାହା ହେଉଛି ଆତ୍ମନିର୍ଭର ଭାରତ, ସ୍ୱଦେଶୀ, ଭୋକାଲ ଫର ଲୋକାଲ ଏବଂ ସମୃଦ୍ଧ ଭାରତ । ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ ପ୍ରତ୍ୟକ୍ଷ ଓ ଅଭିଜ୍ଞତାମୂଳକ ଶିକ୍ଷଣ ସହିତ ସମନ୍ୱୟ ରକ୍ଷା କରିଛି ଏବଂ ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ଓ ଦୂରବର୍ତୀ ଅଞ୍ଚଳଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେଇ ସାମଗ୍ରିକ ଅଂଶଗ୍ରହଣ ନିଶ୍ଚିତ କରିଛି ।

ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ନବସୃଜନକାରୀମାନଙ୍କୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ଜୋର ଦେଇ କହିଛନ୍ତି ଯେ, “ଆଜିର ଛାତ୍ରଛାତ୍ରୀମାନେ ୨୦୪୭ରେ ୩୪-୪୦ ବର୍ଷ ବୟସର ନବପ୍ରବର୍ତକ ହେବେ, ଯେଉଁମାନେ କେବଳ ଭାରତର ନୁହେଁ ବରଂ ବିଶ୍ୱର ଆହ୍ୱାନଗୁଡ଼ିକର ସମାଧାନ କରିବେ । ନବସୃଜନ ବିନା ଭାରତ ତାହାର ଆକାଂକ୍ଷା ପୂରଣ କରିପାରିବ ନାହିଁ । ଏଥିପାଇଁ ତୁମର ସୃଜନଶୀଳତା ଓ ଆଇଡିଆ ହିଁ ମୂଳ ଆବଶ୍ୟକତା ।’’
ଅଟଳ ଇନକ୍ୟୁବେସନ ସେଂଟର- ନାଲନ୍ଦା ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି ଫାଉଣ୍ଡେସନ (ଏଆଇସି-ନାଲନ୍ଦା), ଅଟଳ ଇନୋଭେସନ ମିଶନର ଏଟିଏଲ ସାରଥୀ ପଦକ୍ଷେପ ଅଧୀନରେ ଓଡ଼ିଶା ପାଇଁ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରି ବିକଶିତ ଭାରତ ବିଲ୍ଡ଼ାଥନ (ଭିବିବି) ୨୦୨୫ରେ ରାଜ୍ୟରେ ସଚେତନତା ଓ ସହଯୋଗ ପ୍ରଦାନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
ଏଆଇସି-ନାଲନ୍ଦା ଭିବିବି ୨୦୨୫ରେ ଅଂଶଗ୍ରହଣ ପାଇଁ ୧୦୦ରୁ ଅଧିକ ବିଦ୍ୟାଳୟକୁ ସହଯୋଗ କରିଥିଲା ଏବଂ ଏହି କାର୍ଯ୍ୟକ୍ରମ ସମୟରେ ୪୨ଟି ବିଦ୍ୟାଳୟରେ ନିଜ ଟିମ ସଦସ୍ୟଙ୍କ ମାଧ୍ୟମରେ ମେଂଟର ଯୋଗାଇ ଦେଇଥିଲା । ଛାତ୍ରଛାତ୍ରୀମାନେ ବିଲ୍ଡ଼ାଥନ ସମୟରେ ମାର୍ଗଦର୍ଶନ ଓ ସମର୍ଥନ ପାଇଥିଲେ, ଯାହା ରାଜ୍ୟ ସ୍ତରରେ ସୁଗମ କାର୍ଯ୍ୟକାରିତା ନିଶ୍ଚିତ କରିଥିଲା । ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ ଥିଲା ଯେତେବେଳେ ପିଏମ ଶ୍ରୀ ସରକାରୀ ହାଇସ୍କୁଲ, ଆଇଆରସି ଭିଲେଜ, ଭୁବନେଶ୍ୱର, ଖୋର୍ଦ୍ଧାର ଜଣେ ଛାତ୍ର ଦଳ ସେମାନଙ୍କର ନବପ୍ରବର୍ତନ, ସମସ୍ୟା ବିବରଣୀ ଏବଂ ଏହାର ବାସ୍ତବ ବିଶ୍ୱ ଉପଯୋଗୀତାକୁ ମାନ୍ୟବର ଅତିଥିମାନଙ୍କ ସମ୍ମୁଖରେ ଉପସ୍ଥାପନ କରି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ପ୍ରଶଂସା ଓ ଉତ୍ସାହ ପାଇଥିଲେ ।
ଏହା ବ୍ୟତୀତ ଅନ୍ୟ ପାଞ୍ଚଟି ବିଦ୍ୟାଳୟ ଯଥା ବୁକ୍ସି ଜଗବନ୍ଧୁ ଇଂଲିଶ ମିଡିୟମ ସ୍କୁଲ ୨, ସତ୍ୟଭାମାପୁର, ଖୋର୍ଦ୍ଧା; କ୍ୟାପିଟାଲ ହାଇ ସ୍କୁଲ, ୟୁନିଟ-୩, ଭୋଇ ନଗର, ଖୋର୍ଦ୍ଧା; ଦିଲ୍ଲୀ ପବ୍ଲିକ ସ୍କୁଲ, ଦାମନଯୋଡ଼ି, କୋରାପୁଟ; ବିକାଶ ରେସିଡେନସିଆଲ ସ୍କୁଲ, ବରଗଡ଼ ଏବଂ ବୁଢ଼ରଜା ହାଇସ୍କୁଲ, ସମ୍ବଲପୁର ମଧ୍ୟ ବିଲ୍ଡ଼ାଥନ କାର୍ଯ୍ୟକ୍ରମ ସମୟରେ ଲାଇଭ ଷ୍ଟ୍ରିମରେ ପ୍ରଦର୍ଶିତ ହୋଇଥିଲେ, ଯାହା ରାଜ୍ୟରେ ଉଲ୍ଲେଖନୀୟ ପ୍ରତିଭାକୁ ଆଲୋକିତ କରିଥିଲା ।
ବିକଶିତ ଭାରତ ବିଲ୍ଡ଼ାଥନ ୨୦୨୫ ଏବଂ ଏଟିଏଲ ସାରଥୀ କାର୍ଯ୍ୟକ୍ରମ ଭଳି ପଦକ୍ଷେପ ମାଧ୍ୟମର ଅଟଳ ଇନୋଭସେନ ମିସନ, ନୀତି ଆୟୋଗ ଅଧୀନରେ ଏଆଇସି-ନାଲନ୍ଦା ଓଡ଼ିଶାର ବିଦ୍ୟାଳୟ-ସ୍ତରୀୟ ନବସୃଜନ ବ୍ୟବସ୍ଥାକୁ ଦୃଢ଼ କରିବା ସହିତ ଯୁବ ନବପ୍ରବର୍ତକମାନଙ୍କ ସୃଜନଶୀଳତା ଓ ସମ୍ଭାବନାକୁ ଆଲୋକିତ କରି ସେମାନଙ୍କୁ ଜାତୀୟ ମଂଚରେ ମାନ୍ୟତା ପ୍ରଦାନ କରିବାରେ ନିରନ୍ତର ଅଗ୍ରଗତି କରିବ ।