ଓଡ଼ିଶା ସାଜିବ ‘କ୍ଲିନ୍ଟେକ୍ ହବ୍’: ଭୁବନେଶ୍ୱରରେ ଫେବୃଆରୀ ୨୦ରୁ ଆରମ୍ଭ ହେଉଛି ପୂର୍ବ ଭାରତର ସର୍ବବୃହତ ସ୍ୱଚ୍ଛ ପ୍ରଯୁକ୍ତିବିଦ୍ୟା ମହାକୁମ୍ଭ
ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଏବଂ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ଆସନ୍ତା ଫେବୃଆରୀ ୨୦ ଏବଂ ୨୧ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହେବ ‘ଗ୍ଲୋବାଲ୍ କ୍ଲିନ୍ଟେକ୍ ଏକ୍ସପୋ-ଓଡ଼ିଶା ୨୦୨୬’। ଏହି ବିଶାଳ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ପାଇଁ ସ୍ଥାନୀୟ ପ୍ରାଚୀ ହୋଟେଲଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ନେଟ ଜିରୋ ଆସୋସିଏସନର ନିର୍ଦ୍ଦେଶକ ଦେବୀ ପ୍ରସାଦ ଦାଶ, ଓଡିଶା କ୍ଲିନଟେକ ଆସୋସିଏସନର ସଭାପତି ପ୍ରଶାନ୍ତ ପାଣିଗ୍ରାହୀ, ଗ୍ରୀଡ଼କୋ ସିପିଓ ମହେଶ ଦାସ ଏବଂ ଏମ. ଜି. ଏମ ଗ୍ରୀନ ଏନର୍ଜିର ନିର୍ଦ୍ଦେଶକ ତନୁଜ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଏକ୍ସପୋର ରୂପରେଖ ଉପସ୍ଥାପନ କରିଥିଲେ।
ଏକ୍ସପୋର କିଛି ମୁଖ୍ୟ ଆକର୍ଷଣ:
- ଐତିହାସିକ ସମାଗମ: ଏହା ଓଡ଼ିଶାର ପ୍ରଥମ ଏବଂ ପୂର୍ବ ଭାରତର ସର୍ବବୃହତ କ୍ଲିନ୍ଟେକ୍ ଏକ୍ସପୋ। ଏଥିରେ ୧୦,୦୦୦ରୁ ଅଧିକ ପରିଦର୍ଶକ ଏବଂ ୭୫ରୁ ଅଧିକ ପ୍ରଦର୍ଶକ ଅଂଶଗ୍ରହଣ କରିବେ।
- ଜାତୀୟ ଓ ଆନ୍ତର୍ଜାତୀୟ ପ୍ରତିନିଧି: ପ୍ରଦର୍ଶକଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ଓଡିଶା ବାହାରର। ପ୍ରାୟ ୮୦ଟି ପ୍ରମୁଖ କମ୍ପାନୀ ସେମାନଙ୍କର ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରଦର୍ଶନ କରିବେ।
- ବୈଷୟିକ ପ୍ରଦର୍ଶନୀ: ସୌର ପ୍ୟାନେଲ, ଇନଭର୍ଟର, ସୌର ପମ୍ପ, ବ୍ୟାଟେରୀ ପୁନଃଚକ୍ରଣ, ବୈଦ୍ୟୁତିକ ଯାନ (EV) ଏବଂ ଚାର୍ଜିଂ ଭିତ୍ତିଭୂମି ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଉପରେ ଏଠାରେ ଫୋକସ କରାଯିବ।
- ଷ୍ଟାର୍ଟଅପ୍ ପ୍ରୋତ୍ସାହନ: ନୂତନ ଉଦ୍ୟୋଗୀଙ୍କ ପାଇଁ ଏକ ସ୍ୱତନ୍ତ୍ର ‘ଷ୍ଟାର୍ଟଅପ୍ ଜୋନ୍’ ରହିବ, ଯେଉଁଠାରେ ୧୦ରୁ ଅଧିକ ଅଭିନବ ଷ୍ଟାର୍ଟଅପ୍ ସେମାନଙ୍କର ଉତ୍ପାଦ ପ୍ରଦର୍ଶିତ କରିବେ।
ଏହି ଅବସରରେ ଶ୍ରୀ ଦେବୀ ପ୍ରସାଦ ଦାଶ କହିଛନ୍ତି ଯେ, ଏହି ଏକ୍ସପୋ ମାଧ୍ୟମରେ ଓଡ଼ିଶାରେ ୫୦୦ରୁ ୧୦୦୦ କୋଟି ଟଙ୍କାର ବ୍ୟବସାୟିକ କାରବାର ହେବାର ସମ୍ଭାବନା ରହିଛି। ଏହା କେବଳ ଏକ ପ୍ରଦର୍ଶନୀ ନୁହେଁ, ବରଂ ନୂତନ ନିବେଶ ଏବଂ ସହଭାଗୀତା ପାଇଁ ଏକ ବଡ଼ ପ୍ଲାଟଫର୍ମ ହେବ। ଏହି କାର୍ଯ୍ୟକ୍ରମକୁ ଏବେଠାରୁ ପ୍ରତିବର୍ଷ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ସମ୍ମତି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଶକ୍ତି ବିଭାଗ, GRIDCO, NETRA ଏବଂ OCTA ପକ୍ଷରୁ ମିଳିତ ଭାବେ ସମର୍ଥନ ପ୍ରଦାନ କରାଯାଉଛି। ୫୦ରୁ ଅଧିକ ଆନ୍ତର୍ଜାତୀୟ ବକ୍ତାଙ୍କୁ ନେଇ ୧୦ରୁ ଅଧିକ ବୈଷୟିକ ଅଧିବେଶନ ମଧ୍ୟ ଅନୁଷ୍ଠିତ ହେବ। ଶେଷ ଦିନରେ ‘ଗ୍ଲୋବାଲ୍ କ୍ଲିନ୍ଟେକ୍ ଉତ୍କର୍ଷ ପୁରସ୍କାର’ ପ୍ରଦାନ କରାଯାଇ ଏହି ସମାରୋହ ଉଦଯାପିତ ହେବ।