ଓଡ଼ିଶା ଅଭିବୃଦ୍ଧି ଦେଶଠୁ ଭଲ!

Spread the love

ଭୁବନେଶ୍ଵର,୧୯/୦୨:ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ, ଓଡ଼ିଶାର ଅର୍ଥନୀତିରେ ବଡ଼ ଉନ୍ନତି । ୨୦୨୫-୨୬ ଆର୍ଥିକ ବର୍ଷରେ ୭.୯ ପ୍ରତିଶତ ଅଭିବୃଦ୍ଧି ଆକଳନ ।ଜାତୀୟ ହାର ୭.୪% ତୁଳନାରେ ଅଧିକ । ସରକାରୀ ଓ ଘରୋଇ ପୁଞ୍ଜିନିବେଶ ଯୋଗୁଁ ସବୁ କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି । ରାଜ୍ୟର ମୁଣ୍ଡପିଛା ଆୟ ୯.୨% ବୃଦ୍ଧି ପାଇ ୧,୮୬,୭୬୧ରେ ପହଞ୍ଚିଛି । ଭାରତର ହାରାହାରି ଅଭିବୃଦ୍ଧି ୬.୯% ଠାରୁ ଯଥେଷ୍ଟ ଅଧିକ । ୧୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ କାମ କରିବା ହାର ୫୮.୧%ରୁ ବଢ଼ି ୬୪.୫% ହୋଇଛି । ମହିଳାମାନଙ୍କ ଅଂଶଗ୍ରହଣ ୩୭.୬%ରୁ ବୃଦ୍ଧି ପାଇ ୪୮.୭% ହୋଇଛି, ଯାହା ଜାତୀୟ ସ୍ତର ୪୦.୩% ତୁଳନାରେ ଉତ୍ସାହଜନକ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ରାଜ୍ୟ ଅର୍ଥନୀତିରେ ଏହାର ଅବଦାନ ୧୯.୬% । ଜାତୀୟ ହାର ୧୬.୮% ଠାରୁ ଅଧିକ ।

୨୦୨୪-୨୫ ବର୍ଷରେ ଖାଦ୍ୟଶସ୍ୟ ଉତ୍ପାଦନ୧୫୦.୫ ଲକ୍ଷ ମେଟ୍ରିକ ଟନ୍ ସହ ରେକର୍ଡ ସୃଷ୍ଟି ହୋଇଛି । ସମୃଦ୍ଧ କୃଷକ ଯୋଜନା, ସିଏମ୍-କିଷାନ ଏବଂ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଯୋଗୁଁ ଧାନ ଉତ୍ପାଦନ ୧୧୮.୬ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି । ରାଜ୍ୟ ଅର୍ଥନୀତିକୁ ଶିଳ୍ପ କ୍ଷେତ୍ରର ଅବଦାନ ୪୧.୩% । ୨୦୨୫ ବର୍ଷରେ ୫.୬୬ ଲକ୍ଷ କୋଟିର ୨୪୪ଟି ନୂଆ ପ୍ରକଳ୍ପ ଅନୁମୋଦିତ ହୋଇଛି । ଏହାଦ୍ବାରା ୩.୩୫ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବ୍ୟବସାୟିକ ସଂସ୍କାର କ୍ଷେତ୍ରରେ ଓଡ଼ିଶା ୯୮% ସଫଳତା ପାଇଛି ।

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ପଲିସି ୨୦୨୫, ଡାଟା ସେଣ୍ଟର ଏବଂ ସେମିକଣ୍ଡକ୍ଟର ପଲିସି ଜରିଆରେ ଆଧୁନିକ ଜ୍ଞାନକୌଶଳକୁ ଗୁରୁତ୍ୱ ଦିଆଯାଉଛି । AI କ୍ଷେତ୍ରରେ ଓଡ଼ିଆ ଏବଂ ଆଦିବାସୀ ଭାଷାର ପ୍ରୟୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଭାରତର ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ପୁଞ୍ଜି ବ୍ୟୟ ହାର ସବୁଠାରୁ ଅଧିକ । ରାଜ୍ୟର ଋଣ ଭାର ୧୩.୬%, ଯାହା ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ସବୁଠାରୁ କମ୍ । ଏହି ରିପୋର୍ଟ ଦର୍ଶାଉଛି ଯେ ଓଡ଼ିଶା ଜାତୀୟ ହାର ତୁଳନାରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ଏବଂ ସଠିକ୍ ଆର୍ଥିକ ପରିଚାଳନା ଯୋଗୁଁ ଏହା ଏକ ପ୍ରଗତିଶୀଳ ରାଜ୍ୟ ଭାବେ ଉଭା ହୋଇଛି ।


Spread the love

Leave A Reply

Your email address will not be published.