ଅପରେସନ ସାଇବର କବଚ: ୧୮୭ଜଣ ଅଭିଯୁକ୍ତ ଗିରଫ

Spread the love

ଭୁବନେଶ୍ଵର,୨୨/୦୨:ସାଇବର ଅପରାଧ ଉପରେ ଲଗାମ ଲଗାଇବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ‘ଅପରେସନ ସାଇବର କବଚ’ ଦଶମ ଦିନରେ ଜୋରଦାର ଭାବେ ଜାରି ରହିଛି।ଏପର୍ଯ୍ୟନ୍ତ ‘ଅପରେସନ ସାଇବର କବଚ’ ଅଧୀନରେ ସମଗ୍ର ରାଜ୍ୟରେ ମୋଟ ୩,୬୨୫ଟି ମ୍ୟୁଲ୍ (ବେନାମୀ) ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଇଛି। ମୋଟ ୨୭୫ଟି ମ୍ୟୁଲ୍ ଆକାଉଣ୍ଟ ସମ୍ପର୍କିତ ମାମଲା, ୮ଟି ଚେକ୍ ଉଠାଣ ମାମଲା ଏବଂ ୭ଟି ନକଲି ସିମ୍ PoS ଯାଞ୍ଚ ସମ୍ପର୍କିତ ମାମଲା ରୁଜୁ ହୋଇଛି। ଏହି ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ୧୮୭ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ୧,୦୭୫ଜଣ ସନ୍ଦିଗ୍ଧ ସହାୟକ ଓ ଆକାଉଣ୍ଟଧାରୀଙ୍କୁ (ନୂତନ ମାମଲା ଓ ୮୪ଟି ପୁରୁଣା ଏଫ୍‌.ଆଇ.ଆର୍) ଆଇନଗତ ନୋଟିସ୍ ଜାରି କରାଯାଇଛି।

ଏହି ଅଭିଯାନ ସମୟରେ ଜଗତସିଂହପୁର ଜିଲ୍ଲା ପୋଲିସ ୨୦ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ୧ଟି ସାଇବର ମାମଲା ରୁଜୁ କରିଛି। ସେହିପରି ଯାଜପୁର ଜିଲ୍ଲା ପୋଲିସ ୪୪ଟି ଆକାଉଣ୍ଟ ଯାଞ୍ଚ କରି ୪ଟି ମାମଲା ରୁଜୁ କରି ୪୭ଜଣଙ୍କୁ ନୋଟିସ୍ ଜାରି କରିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲା ପୋଲିସ ୮୮ଟି ଆକାଉଣ୍ଟ ଯାଞ୍ଚ କରି ୫ଟି ମାମଲା ରୁଜୁ କରି ୬୭ଜଣଙ୍କୁ ନୋଟିସ୍ ଜାରି କରିଛି। ଖୋର୍ଦ୍ଧା ଜିଲ୍ଲା ପୋଲିସ ୯୮ଟି ଆକାଉଣ୍ଟ ଯାଞ୍ଚ କରି ୬ଟି ମାମଲା ରୁଜୁ କରି ୨ଜଣଙ୍କୁ ନୋଟିସ୍ ଜାରି କରିଛି।

ପୁରୀ ଜିଲ୍ଲା ପୋଲିସ ୭୧ଟି ବେନାମୀ ଆକାଉଣ୍ଟ ଯାଞ୍ଚ କରି ମ୍ୟୁଲ୍ ବ୍ୟାଙ୍କ ସମ୍ପର୍କିତ ୪ଟି ଓ ଚେକ୍ ଉଠାଣ ସମ୍ପର୍କିତ ୧ଟି ମାମଲା ରୁଜୁ କରି ୬ଜଣ ଅଭିଯୁକ୍ତ ଗିରଫ କରିଛି ଏବଂ ୧୫ଜଣଙ୍କୁ ନୋଟିସ୍ ଜାରି କରିଛି ।

ସେହିପରି ଭାବେ ବଲାଙ୍ଗିର, ଝାରସୁଗୁଡ଼ା, କେନ୍ଦୁଝର, ରାଉରକେଲା, ଭଦ୍ରକ, ମୟୂରଭଞ୍ଜ, ୟୁପିଡି ଭୁବନେଶ୍ୱର, ବ୍ରହ୍ମପୁର, ଗଜପତି, ଗଞ୍ଜାମ, ଅନୁଗୁଳ, କଳାହାଣ୍ଡି, କୋରାପୁଟ, ନୂଆପଡ଼ା, ରାୟଗଡ଼ା, କଟକ, ନୟାଗଡ, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ବୌଦ୍ଧ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ଦେବଗଡ଼, ଢେଙ୍କାନାଳ ଆଦି ସମସ୍ତ ଜିଲ୍ଲାରେ ବେନାମୀ ଆକାଉଣ୍ଟ ଯାଞ୍ଚ, ମାମଲା ରୁଜୁ, ଗିରଫ ଓ ନୋଟିସ୍ ଜାରି  କରାଯାଇଛି।

ରାଜ୍ୟବାସୀଙ୍କ ଡିଜିଟାଲ କାରବାରର ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା ପ୍ରତିଶ୍ରୁତିବଦ୍ଧ। ସାଇବର ଅପରାଧ ମୁକ୍ତ ଓଡ଼ିଶା ଗଠନ ପାଇଁ ଏହି ଅଭିଯାନ ଆଗାମୀ ଦିନରେ ଆହୁରି କଡ଼ାକଡ଼ି ହେବ ବୋଲି ଡିଜିପି ଶ୍ରୀ ଖୁରାନିଆ ସୂଚନା ଦେଇଛନ୍ତି।


Spread the love

Leave A Reply

Your email address will not be published.