ଭୁବନେଶ୍ଵର,୧୪/୦୨:ରାତି ପାହିଲେ ଜାଗର । ଲିଙ୍ଗରାଜ ମନ୍ଦିରରେ ଲାଗିବ ଭକ୍ତଙ୍କ ଗହଳି । ତେବେ ମନ୍ଦିରକୁ ଆସିବା ପୂର୍ବରୁ ଜାରି ହୋଇଛି ନିର୍ଦ୍ଦେଶାବଳୀ।ଆଉ ଏହି ନିୟମ ଜାରି କରିଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ । ଏଣିକି ମନ୍ଦିର ପରିସରକୁ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ରେ ଭୋଗ ନେଇହେବ ନାହିଁ । ପରିବେଶ ସୁରକ୍ଷା ନିମନ୍ତେ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ, ୨୦୧୬ ଏବଂ ପରବର୍ତ୍ତୀ ସଂଶୋଧିତ ନିୟମ ଆଧାରରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବ୍ୟବହାରକୁ ନିଷେଧ ହୋଇଛି ।
ପ୍ଲାଷ୍ଟିକ୍, ପଲିଥିନ୍ ପରି ଅଳିଆ ଆବର୍ଜନା ଯୋଗୁଁ ହେଉଥିବା ପ୍ରଦୂଷଣ ହ୍ରାସ ଏବଂ ଜନସାଧାରଣଙ୍କ ମଧ୍ୟରେ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା ଏସ୍ପିସିବି କହିଛି। ଏଥିସହ ଭକ୍ତ, ପୂଜା ସାମଗ୍ରୀ ବିକ୍ରୟ ବ୍ୟବସାୟୀ, ମନ୍ଦିର ପରିଚାଳନା କମିଟି ପାଇଁ ମଧ୍ୟ ନିର୍ଦ୍ଦେଶାବଳୀ ଜାରି ହୋଇଛି ।