ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମର ଗୁୱାହାଟୀଠାରେ ଉତର-ପୂର୍ବ ଭାରତର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ସ୍ୱରୂପ ୫୨୬ କୋଟି ଟଙ୍କାର ଚାରିଟି ଗୁରୁତ୍ୱପୂର୍ଣ୍ଣ ଜଳପଥ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ସେ ଗୁୱାହାଟୀର ପାଣ୍ଡୁ ପୋର୍ଟକୁ ଜାତୀୟ ରାଜପଥ-୨୭ ସହିତ ସଂଯୋଗ କରୁଥିବା ଏକ ଆଧୁନିକ ଉଚ୍ଚସ୍ଥିତ ସେତୁ କୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ଏହାସହ ବିଶ୍ୱନାଥ ଘାଟ ଓ ନେଆମତିରେ ନୂତନ କ୍ରୁଜ୍ ଟର୍ମିନାଲ ଏବଂ ଡିବ୍ରୁଗଡ଼ର ବୋଗୀବୀଲଠାରେ ଏକ ଆଂଚଳିକ କେନ୍ଦ୍ର ଅଫ୍ ଏକ୍ସିଲେନ୍ସ ପାଇଁ ଭୂମି ପୂଜନ କରିଛନ୍ତି। ବ୍ରହ୍ମପୁତ୍ର ନଦୀର ଜାତୀୟ ଜଳପଥ-୨ ଉପରେ ଏହିସବୁ ପ୍ରକଳ୍ପଗୁଡ଼ିକ ଭାରତୀୟ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ଦ୍ୱାରା ନିର୍ମାଣ କରାଯାଉଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ କେବଳ ଭିତିଭୂମିର ବିକାଶ ନୁହେଁ, ବରଂ ଆସାମର ପର୍ଯ୍ୟଟନ ଏବଂ ସ୍ଥାନୀୟ ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ଏକ ମୁଖ୍ୟ ମାଧ୍ୟମ ସାଜିବ। ଗୁୱାହାଟୀର ଜ୍ୟୋତି-ବିଷ୍ଣୁ ଅଡିଟୋରିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ, ମୁଖ୍ୟମନ୍ତ୍ରୀ ଡା. ହିମନ୍ତ ବିଶ୍ୱ ଶର୍ମା ଏବଂ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଉପସ୍ଥିତ ଥିଲେ। ଶ୍ରୀ ସୋନୋୱାଲ ନିଜ ଅଭିଭାଷଣରେ କହିଥିଲେ ଯେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଆଜି ଉତର-ପୂର୍ବ ଭାରତ ସମ୍ଭାବନାର ଅଂଚଳରୁ ଉନ୍ନତିର ଅଂଚଳରେ ପରିଣତ ହୋଇଛି ଏବଂ ବ୍ରହ୍ମପୁତ୍ର ନଦୀ ଏବେ ଲକ୍ଷାଧିକ ଲୋକଙ୍କ ପାଇଁ ନୂତନ ସୁଯୋଗର ରାସ୍ତା ଫିଟାଇଛି। ପ୍ରଧାନମନ୍ତ୍ରୀ ଆହୁରୀ କହିଛନ୍ତି ଯେ, ଏହି ପ୍ରକଳ୍ପଗୁଡ଼ିକ ଆସାମର ଯୁବପିଢ଼ିଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ରାଜ୍ୟର ସମୃଦ୍ଧିକୁ ବଢ଼ାଇବ। ଏହାଦ୍ୱାରା ବ୍ରହ୍ମପୁତ୍ର ନଦୀ ଏବେ କେବଳ ଏକ ନଦୀ ହୋଇ ରହିବ ନାହିଁ, ବରଂ ବ୍ୟାପାର ଓ ପର୍ଯ୍ୟଟନ ପାଇଁ ଏକ ବଡ଼ ମାଧ୍ୟମ ସାଜିବ। କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ‘ଆକ୍ଟ ଇଷ୍ଟ ପଲିସି’ ଯୋଗୁଁ ବ୍ରହ୍ମପୁତ୍ର ନଦୀ ଏବେ ଆସାମକୁ ଦକ୍ଷିଣ-ପୂର୍ବ ଏସିଆ ସହିତ ଯୋଡ଼ିବ। ଏହି ପ୍ରକଳ୍ପଗୁଡ଼ିକ ଫଳରେ ଜାତୀୟ ଜଳପଥ-୨ ମାଧ୍ୟମରେ ପରିବହନ ଖର୍ଚ୍ଚ କମିବ ଏବଂ ଆଂଚଳିକ ସଂଯୋଗୀକରଣ ଶକ୍ତିଶାଳୀ ହେବ। ଏହା ସମଗ୍ର ଉତର-ପୂର୍ବ ଭାରତ ପାଇଁ ଏକ ପରିବର୍ତନଶୀଳ ପଦକ୍ଷେପ ବୋଲି ସେ ପ୍ରକାଶ କରିଛନ୍ତି।
ଆସାମର ଡିବ୍ରୁଗଡ଼ସ୍ଥିତ ବୋଗୀବୀଲଠାରେ ୧୮୮ କୋଟି ଟଙ୍କା ବିନିଯୋଗରେ ଉତର-ପୂର୍ବ ଭାରତର ପ୍ରଥମ ‘ଆଂଚଳିକ କେନ୍ଦ୍ର ଅଫ୍ ଏକ୍ସିଲେନ୍ସ’ ପ୍ରତିଷ୍ଠା ହୋଇପାରିଛି। ଏହି ଅତ୍ୟାଧୁନିକ କେନ୍ଦ୍ର ପ୍ରତିବର୍ଷ ୫,୦୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଜାହାଜ ଚାଳନା, ନାଭିଗେସନ୍ ଏବଂ ମାରିଟାଇମ୍ ଲଜିଷ୍ଟିକ୍ସ ଭଳି ବିଭିନ୍ନ ବୈଷୟିକ କ୍ଷେତ୍ରରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିବ। ଏଥିସହ ନେଆମତି ଓ ବିଶ୍ୱନାଥ ଘାଟଠାରେ ୧୫୮ କୋଟି ଟଙ୍କା ବ୍ୟୟରେ ଦୁଇଟି ନୂତନ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ଜାତୀୟ ଜଳପଥ-୨ରେ କ୍ରୁଜ୍ ପର୍ଯ୍ୟଟନକୁ ଅଧିକ ଗତିଶୀଳ କରିବା ସହ ଯାତ୍ରୀମାନଙ୍କୁ ଉନ୍ନତ ସୁବିଧା ଯୋଗାଇଦେବ। ଏହି ପଦକ୍ଷେପଗୁଡ଼ିକ ଆସାମର ଭିତିଭୂମିକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଅର୍ଥନୀତି ଓ ନିଯୁକ୍ତି କ୍ଷେତ୍ରରେ ଏକ ବଡ଼ ପରିବର୍ତନ ଆଣିବ।