ପୁରୀ,୦୪/୦୨: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ପହଞ୍ଚି ଶ୍ବେତଗଙ୍ଗା ପୁଷ୍କରିଣୀରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିଛନ୍ତି। ବେଦବିଧି ଓ ପରମ୍ପରା ଅନୁଯାୟୀ ପିଣ୍ଡଦାନ ସମ୍ପନ୍ନ କରିବା ପରେ ରାଷ୍ଟ୍ରପତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଗମନ କରିଥିଲେ।
ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ରାଷ୍ଟ୍ରପତି ଅରୁଣ ସ୍ତମ୍ଭକୁ ପ୍ରଣାମ କରି ମହାପ୍ରଭୁଙ୍କ ଚରଣେ ମଥା ନମାଇଥିଲେ। ଶ୍ରୀମନ୍ଦିର ପରିସରରେ ରାଷ୍ଟ୍ରପତିଙ୍କୁ ପରମ୍ପରାଗତ ଭାବେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଓଡ଼ିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ସ୍ବାଗତ ଜଣାଇଥିଲେ। ଏହି ଗସ୍ତ ସମୟରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।
ରାଷ୍ଟ୍ରପତିଙ୍କ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନକୁ ସକାଳ ୬ଟାରୁ ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁବନ୍ଦ ରଖାଯାଇଥିଲା। ରାଷ୍ଟ୍ରପତିଙ୍କ ଗସ୍ତ ଦୃଷ୍ଟିରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ରାଷ୍ଟ୍ରପତିଙ୍କ ଏହି ଆଧ୍ୟାତ୍ମିକ ଗସ୍ତକୁ ନେଇ ଶ୍ରୀକ୍ଷେତ୍ର ପୁରୀରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।