ଭୁବନେଶ୍ୱର,୧୮/୦୩:ଓଡ଼ିଶା ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜି ସପ୍ତମ ଦିନ ହୋଇଥିଲେ ମଧ୍ୟ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିନାହିଁ।ଏସସିବି ଅଗ୍ନିକାଣ୍ଡ ଘଟଣାକୁ କେନ୍ଦ୍ର କରି ବିରୋଧୀ ଦଳର ସଦସ୍ୟମାନେ ତୀବ୍ର ପ୍ରତିବାଦ କରିଥିଲେ। ବିରୋଧୀ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ନାରାବାଜି କରିଥିବାରୁ ପ୍ରଶ୍ନକାଳ ପୁଣିଥରେ ବାଧାପ୍ରାପ୍ତ ହୋଇଥିଲା।
ଏହି ଅଗ୍ନିକାଣ୍ଡ ଘଟଣା ଘଟିଥିଲା SCB ହସ୍ପିଟାଲରେ। ଘଟଣାରେ ମୃତ୍ୟୁ ଓ ଆହତ ନେଇ ସରକାରଙ୍କ ଉପରେ ବିରୋଧୀମାନେ କଠୋର ଆକ୍ରୋଶ ପ୍ରକାଶ କରିଥିଲେ।ବିରୋଧୀ ସଦସ୍ୟମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରି ହୋହଲ୍ଲା କରିଥିଲେ। ପରିସ୍ଥିତି ଅନିୟନ୍ତ୍ରିତ ହେବାରୁ ବାଚସ୍ପତି ଗୃହକୁ ପ୍ରଥମେ କିଛି ସମୟ ପାଇଁ ଓ ପରେ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।ଗତକାଲି ମଧ୍ୟ ସମାନ ପ୍ରସଙ୍ଗ ଉଠିଥିବାରୁ ବିଧାନସଭାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।