୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ପଞ୍ଚମ ସନ୍ଧ୍ୟାରେ

ରାକେଶ ଚୌରାସିଆଙ୍କ ବଂଶୀ ଓ ଓଜସ ଅଧିୟାଙ୍କ ତବଲା ବାଦନର ଯୁଗଳବନ୍ଦୀରେ ଦର୍ଶକ ମନ୍ତ୍ରମୁଗ୍ଧ

Spread the love

ଭୁବନେଶ୍ୱର (୯.୯.୨୦୨୪): ଓଡ଼ିଶାର ଅଗ୍ରଣୀ ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ସୃଜନ – ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବର ପଞ୍ଚମ ସନ୍ଧ୍ୟାରେ ପ୍ରଖ୍ୟାତ ହିନ୍ଦୁସ୍ତାନୀ ବଂଶୀବାଦକ ରାକେଶ ଚୌରାସିଆ ଓ ପ୍ରସିଦ୍ଧ ତବଲା ବାଦକ ଓଜସ ଅଧିୟାଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିଥିଲା ।

ପଞ୍ଚମ ସନ୍ଧ୍ୟାର ଅତିଥିମାନେ ଥିଲେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଡକ୍ଟର ବିଜୟ କେତନ ଉପାଧ୍ୟାୟ; ପାରାଦୀପ ଫସଫେଟ ଲିମିଟେଡ଼ର କରପୋରେଟ ବ୍ୟାପାର ମୁଖ୍ୟ ଶ୍ରୀଯୁକ୍ତ ସୁଦ୍ଧି ରଞ୍ଜନ ମିଶ୍ର ଏବଂ ସୃଜନର ନିର୍ଦ୍ଦେଶକ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର କଳା, ଯୋଗାଯୋଗ ଓ ଇଣ୍ଡିଜ ଷ୍ଟଡିଜ୍ ଅଧ୍ୟାପକ ଗୁରୁ ରତିକାନ୍ତ ମହାପାତ୍ର ।

ସନ୍ଧ୍ୟାର ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଯୁଗଳବନ୍ଦୀ ଯାହାକୁ ଉପସ୍ଥାପିତ କରିଥିଲେ ପ୍ରଖ୍ୟାତ ହିନ୍ଦୁସ୍ତାନୀ ବଂଶୀବାଦକ ରାକେଶ ଚୌରାସିଆ ଓ ପ୍ରସିଦ୍ଧ ତବଲା ବାଦକ ଓଜସ ଅଧିୟା । ଦୁଇଜଣ ହେଉଛନ୍ତି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଆଗ ଧାଡ଼ିର ସଙ୍ଗୀତଜ୍ଞ । ସେମାନେ ଶାସ୍ତ୍ରୀୟ ହିନ୍ଦୁସ୍ତାନୀ ସଙ୍ଗୀତର ଗଭୀରତାକୁ ବେଶ୍‍ ଭଲ ଭାବରେ ହୃଦୟଙ୍ଗମ କରି ତାଙ୍କର ନିଜ ଘରାନାର ବାଦ୍ୟ ଶୈଳୀକୁ ଦର୍ଶକଙ୍କ ଆଗରେ ଉପସ୍ଥାପିତ କରିଥିଲେ ଯାହା ଦର୍ଶକଙ୍କୁ ଆନନ୍ଦ ପ୍ରଦାନ କରିଥିଲା । ଉଭୟ କଳାକାର ସେମାନଙ୍କ ବାଦନ ଶୈଳୀରେ ଉତ୍କର୍ଷତା ଏବଂ ପ୍ରତିବଦ୍ଧତା ପାଇଁ ପ୍ରସିଦ୍ଧ ଲାଭ କରିଛନ୍ତି । ବିଶିଷ୍ଟ ବଂଶୀବାଦକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ପ୍ରମୁଖ ଶିଷ୍ୟ ରାକେଶ ଚୌରାସିଆ ପରୀକ୍ଷାମୂଳକ ଶାସ୍ତ୍ରୀୟ ସଙ୍ଗୀତରେ ନିଜର ଶକ୍ତି ଓ ଶାନ୍ତିର ମିଶ୍ରଣ ପାଇଁ ପ୍ରସିଦ୍ଧ ଅର୍ଜନ କରି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତରେ ବଂଶୀ ବାଦନକୁ ଆଗକୁ ବଢାଇ ପାରିଛନ୍ତି । ସେହିପରି ଓଜସ ଅଧିୟା ଅଜରାଡ଼ା ଘରାନାର ଶ୍ରୀ ମୃଦଙ୍ଗରାଜଜୀଙ୍କ ଶିଷ୍ୟ ଅଟନ୍ତି । ତବଲା ବାଦନରେ ତାଙ୍କର ଅସାଧାରଣ ବୈଷୟିକ ଦକ୍ଷତା, ଏକ ବିସ୍ତୃତ ଜ୍ଞାନର ଆଧାର ସହିତ ତାଙ୍କ ପରିବେଷଣରେ ସ୍ୱଚ୍ଛତା ଦେଖିବାକୁ ମିଳିଥିଲା ।

ଗୁରୁ ରତିକାନ୍ତ ମହାପାତ୍ର ସମଗ୍ର ଉତ୍ସବଟିର ପରିକଳ୍ପନା ଓ କାର୍ଯ୍ୟକାରୀ କରିଥିଲାବେଳେ ଶ୍ରୀ ଦେବୀପ୍ରସାଦ ମିଶ୍ର ତାଙ୍କୁ ସହଯୋଗ କରିଥିଲେ । ଡଃ. ମୃତ୍ୟୁଞ୍ଜୟ ରଥ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ । ୩୦ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବକୁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସମର୍ଥନ କରୁଛନ୍ତି । ଏହି କାର୍ଯ୍ୟକ୍ରମ ପାଇଁ ଏମ୍‍.ଜି.ଏମ୍‍ ମିନେରାଲ୍ସ ଏବଂ ଶାଲିମାର କେମିକାଲ୍ ୱାର୍କସ୍ ଲିମିଟେଡ୍‌ଙ୍କ ଠାରୁ ଅନୁଦାନ ଗ୍ରହଣ କରାଯାଇଅଛି ।  ଶାଲିମାର୍ କୋକାନଟ୍ ଅଏଲ୍‌, ନାଲକୋ, ଏସ୍‌.ବି.ଆଇ, ଇମ୍ଫା, ପ୍ରିୟଦର୍ଶିନୀ ହାଣ୍ଡଲୁମ୍ ଏବଂ  ପାରାଦୀପ ଫସଫେଟ୍ ଲିମିଟେଡ୍ ଉତ୍ସବର ପ୍ରାୟୋଜକ ଅଟନ୍ତି । ଏହି ଉତ୍ସବର ଆତିଥ୍ୟକୁ ରୋଏଲେ ମିଡଟାଉନ୍ ହୋଟେଲ ପ୍ରଦାନ କରୁଛନ୍ତି । ଏହି ଉତ୍ସବର ଧରିତ୍ରୀ, ଓଡ଼ିଶା ପୋଷ୍ଟ ଏବଂ ନର୍ଥକୀ ଡଟ୍ କମ୍ ଯଥାକ୍ରମେ ମିଡିଆ ପାର୍ଟନର ଏବଂ ୱେବ୍ ପାର୍ଟନର ଅଟନ୍ତି ।


Spread the love

Leave A Reply

Your email address will not be published.