କଟକ,୧୭/୦୨:ମାଟ୍ରିକ ପରୀକ୍ଷା ନେଇ ବୋର୍ଡ ସଭାପତିଙ୍କ ସୂଚନା।ସକାଳ ୮.୧୫ରେ ପରୀକ୍ଷା ସେଣ୍ଟରର ଗେଟ୍ ଖୋଲାଯିବ।୮ଟା ୪୫ରେ OMR ସିଟ ଦିଆଯିବ, ୯ଟା ରେ ପ୍ରଶ୍ନପତ୍ର ପ୍ରଦାନ କରାଯିବ।ପରୀକ୍ଷାର୍ଥୀ ସାଢ଼େ ୮ଟା ସୁଦ୍ଧା ସେଣ୍ଟରରେ ପହଞ୍ଚିବା ପାଇଁ ପରାମର୍ଶ।କୌଣସି କାରଣରୁ ବିଳମ୍ବ ହେଲେ ପରୀକ୍ଷାର୍ଥୀଙ୍କୁ ମିଳିବ ଅନୁମତି।ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ପାଇଁ ମିଳିଲା ଅଧିକ ୧୫ ମିନିଟ୍ ଅନୁମତି।ପୂର୍ବରୁ ୯ଟା ୧୫ ପର୍ଯ୍ୟନ୍ତ ଥିଲା ସମୟ, ଏବେ ୯ଟା ୩୦ ପର୍ଯ୍ୟନ୍ତ ଏଣ୍ଟ୍ରି।
ସୂଚନାନୁସାରେ, ଚଳିତବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ସାଙ୍ଗକୁ ସଂସ୍କୃତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଏକସଙ୍ଗେ ଅନୁଷ୍ଠିତ ହେବ। ଫେବୃଆରୀ ୧୯ରେ ପ୍ରଥମ ଭାଷା, ଫେବୃଆରୀ ୨୧ରେ ଦ୍ବିତୀୟ ଭାଷା, ଫେବୃଆରୀ ୨୩ରେ ତୃତୀୟ ଭାଷା, ଫେବୃଆରୀ ୨୫ରେ ବିଜ୍ଞାନ, ଫେବୃଆରୀ ୨୭ରେ ସାମାଜିକ ବିଜ୍ଞାନ ଏବଂ ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ। ସମସ୍ତ ପରୀକ୍ଷା ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଗୋଟିଏ ସିଟିଂରେ କରାଯିବ। ଗଣିତ ପରୀକ୍ଷା ଲାଗି ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ। ରାଜ୍ୟର ୩, ୦୮୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫, ୬୦, ୫୧୨ ବିଦ୍ୟାର୍ଥୀ। ଏଥିଲାଗି ୩୨୨ଟି ନୋଡାଲ ସେଣ୍ଟର ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ବିବାଦ ଘେରକୁ ଆସିଥିବା ବୋର୍ଡ ଏଥର ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଉପରେ ଅଧିକ ଗୁରୁତ୍ବ ଦେଉଛି।