ଭୁବନେଶ୍ଵର,୧୩/୦୩: ମାର୍ଚ୍ଚ ମାସ ଅଧା ନ ହେଉଣୁ ଓଡ଼ିଶାରେ କଲବଲ କରୁଛି ଖରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଗୁରୁବାର ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି। ପଶ୍ଚିମ ଓଡ଼ିଶାର ଶିଳ୍ପ ସହର ଝାରସୁଗୁଡ଼ା ଏବେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଚଳିତ ସିଜନରେ ପ୍ରଥମ ଥର ପାଇଁ ରାଜ୍ୟର ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ୪୦.୮ ଡିଗ୍ରୀ ସହ ଝାରସୁଗୁଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଥିବା ବେଳେ ହୀରାକୁଦରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି।
ସେହିପରି ସମ୍ବଲପୁର ଓ ସୁନ୍ଦରଗଡ଼ରେ ପାରଦ ୩୯ ଡିଗ୍ରୀ ଛୁଇଁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୮.୬ ଡିଗ୍ରୀ ଏବଂ କଟକରେ ୩୫.୬ ଡିଗ୍ରୀ ତାପମାତ୍ରା ଅନୁଭୂତ ହୋଇଛି।ରାଜ୍ୟର ପ୍ରାୟ ୨୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାରଦ ଆହୁରି ୨ ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି।
ଏପଟେ ଆସନ୍ତା ୧୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ଆସନ୍ତା ୧୫ରୁ ୧୯ ତାରିଖ ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା ବେଳେ ଅଳ୍ପ କିଛି ସ୍ଥାନରେ କୁଆପଥର ବୃଷ୍ଟିର ସମ୍ଭାବନା ରହିଛି। ଏହି ସମୟରେ ଝଟକା ପବନର ବେଗ ୪୦ରୁ ୫୦ କିମି ପ୍ରତି ଘଣ୍ଟା ରହିପାରେ ବୋଲି ପୂର୍ବାନୁମାନ କରାଯାଇଛି। ଉପର ବାୟୁମଣ୍ଡଳରେ ବାୟୁ ପ୍ରବାହରେ ଅସଙ୍ଗତି ଏବଂ ଟ୍ରଫଲାଇନ ଅର୍ଥାତ୍ ନିମ୍ନଚାପ ରେଖା ପ୍ରଭାବରେ ଏହି ବର୍ଷା ହେବା ସମ୍ଭାବନା ଦେଖାଦେଇଛି।