ଜନଗଣନା ବ୍ରାଣ୍ଡ୍‌ ଆମ୍ବାସଡର ହେଲେ ସୁଦର୍ଶନ

Spread the love

ଭୁବନେଶ୍ୱର,୧୮/୦୩:ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଜାତୀୟ ଜନଗଣନା–୨୦୨୭ ପାଇଁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅଧିକୃତ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।ଜନଗଣନା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଓ ଏହାର ଗୁରୁତ୍ୱ ବୁଝାଇବା ପାଇଁ ସୁଦର୍ଶନ ପଟ୍ଟନାୟକଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ବାଲୁକା କଳା ମାଧ୍ୟମରେ ସମାଜିକ ବାର୍ତ୍ତା ପ୍ରଚାର କରିବାରେ ସେ ଦେଶ ଓ ବିଦେଶରେ ଖ୍ୟାତି ଅର୍ଜନ କରିଥିବାରୁ ତାଙ୍କୁ ବ୍ରାଣ୍ଡ୍‌ ଆମ୍ବାସଡର ଭାବେ ବଛାଯାଇଛି ।
ଆସନ୍ତା ଜାତୀୟ ଜନଗଣନା-୨୦୨୭ କୁ ସଫଳ କରିବା ପାଇଁ ସେ ବାଲୁକା ଶିଳ୍ପ ମାଧ୍ୟମରେ ଲୋକମାନଙ୍କୁ ଜନଗଣନାର ଗୁରୁତ୍ୱ, ସଠିକ ତଥ୍ୟ ଦେବାର ଆବଶ୍ୟକତା ଓ ଲୋକଙ୍କ ସହଭାଗିତା ବିଷୟରେ ସଚେତନ କରିବେ । ଦେଶର ବିଭିନ୍ନ ସ୍ଥାନରେ ସେ ବାଲୁକା କଳା ପ୍ରଦର୍ଶନ କରି ଜନସାଧାରଣଙ୍କୁ ସଚେତନ କରିବେ ବୋଲି କୁହାଯାଇଛି ।

ସୁଦର୍ଶନ ପଟ୍ଟନାୟକ ଓଡ଼ିଶାର ପୁରୀର ବିଶିଷ୍ଟ ବାଲୁକା ଶିଳ୍ପୀ । ସେ ଅନେକ ଆନ୍ତର୍ଜାତୀୟ ବାଲୁକା ଶିଳ୍ପ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ପୁରସ୍କାର ଜିତିଛନ୍ତି । ସାମାଜିକ ସଚେତନତା, ପରିବେଶ ସୁରକ୍ଷା, ସ୍ୱଚ୍ଛତା ଓ ଜାତୀୟ ଅଭିଯାନଗୁଡ଼ିକୁ ନେଇ ସେ ପୂର୍ବରୁ ମଧ୍ୟ ବହୁ ସନ୍ଦେଶମୂଳକ ବାଲୁକା କଳା ତିଆରି କରିଥିବାରୁ ତାଙ୍କର ଚୟନ ହୋଇଛି ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଜନଗଣନା–୨୦୨୭ ପାଇଁ ଲୋକଙ୍କ ସଚେତନତା ଓ ସହଭାଗିତାକୁ ଆହୁରି ବଢ଼ାଇବ ବୋଲି ଆଶା କରାଯାଉଛି ।


Spread the love

Leave A Reply

Your email address will not be published.