ଭୁବନେଶ୍ଵର,୨୦/୦୨:ଆଜି ଆସିବ ୨୦୨୬-୨୭ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ। ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପିତ କରିବେ।ବିକଶିତ ଓଡ଼ିଶା ପାଇଁ ଚଳିତ ବଜେଟରେ ବଡ଼ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବଜେଟର ଆକାର ତ ବୃଦ୍ଧି ପାଇବ । ଏହା ନିଶ୍ଚିତ । ହେଲେ ବର୍ଦ୍ଧିତ ବଜେଟରେ ସାଧାରଣ ଲୋକ କେତେ ଲାଭବାନ ହେବେ ତାହା ଉପରେ ଓଡ଼ିଶାବାସୀଙ୍କ ନଜର ।
ଗତ ବର୍ଷ ରାଜ୍ୟ ସରକାର ୨ ଲକ୍ଷ ୯୦ ହଜାର କୋଟି ର ପୂର୍ଣ୍ଣାଙ୍ଗ ବଜେଟ ଆଣିଥିବା ବେଳେ ୧୭ ହଜାର ୪୪୦ କୋଟି ର ଅତିରିକ୍ତ ବଜେଟ ଆଣିଥିଲେ । ତେବେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଆକାର ୩ଲକ୍ଷ ୨୦ ହଜାର କୋଟି ଛୁଇଁବ ବୋଲି ଆକଳନ କରାଯାଉଛି। ରାଜ୍ୟ ସରକାରଙ୍କ ଫୋକସ ରେ ରହିପାରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ବିକାଶ, ଭିତ୍ତିଭୂମି ଉନ୍ନତି, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ମହିଳା ସଶକ୍ତିକରଣ ଭଳି କ୍ଷେତ୍ର । ସେପଟେ ଆଜି ଚତୁର୍ଥ ଦିନରେ ମଧ୍ୟ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ହୁଲସ୍ତୁଲ ହୋଇପାରେ। ରାଜ୍ୟରେ ଧାନ କିଣା ଅବ୍ୟବସ୍ଥା, ମଣ୍ଡି ସମସ୍ୟା, କଟଣୀ ଛଟଣୀ ପ୍ରସଙ୍ଗକୁ ବିରୋଧୀ ଉଠାଇ ପାରନ୍ତି। ତେବେ ଯଦି ଗୃହ ସ୍ବଭାବିକ ରୁହେ ତେବେ ପ୍ରଶ୍ନକାଳ ରେ ବିଦ୍ୟାଳୟ ଗଣଶିକ୍ଷା , ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ, ସାମଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଉଚ୍ଚ ଶିକ୍ଷା, ଓଡ଼ିଆ ଭାଷା ,ସାହିତ୍ୟ ଓ ସଂସ୍କୃତି, କ୍ରିଡା ଓ ଯୁବ କଲ୍ୟାଣ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଛି । ଶୂନ୍ୟକାଳରେ ଉଭୟ ବିରୋଧୀ ଓ ଶାସକ ଦଳର ସଦସ୍ୟମାନେ ଗୃହରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବେ। କଂଗ୍ରେସ ମଣ୍ଡି ଅବ୍ୟବସ୍ଥାକୁ ନେଇ ମୁଲତବୀ ପ୍ରସ୍ତାବ ଆଣିଛି। ତେବେ ଗୃହ କାର୍ଯ୍ୟ ସ୍ୱାଭାବିକ ହେବ କି ନାହିଁ ତାହାକୁ ନେଇ ସଂନ୍ଦେହ ଉପୁଜିଛି l