ଜାମସେଦପୁର,୨୬/୦୨:ଝାଡଖଣ୍ଡ ଜାମସେଦପୁର ଠାରେ ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କେନ୍ଦ୍ରର ଭୂମି ପୂଜନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭବ୍ୟ ମନ୍ଦିରର ଶିଳାନ୍ୟାସ କାର୍ଯ୍ୟକ୍ରମ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ସମ୍ପନ୍ନ ହୋଇଛି ।
ଶ୍ରୀ ଜଗନ୍ନାଥ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଚାରିଟେବୁଲ୍ ସେଣ୍ଟର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ମହାପ୍ରଭୁଙ୍କ ନିକଟରେ ସମସ୍ତଙ୍କ କଲ୍ୟାଣ ପାଇଁ ପ୍ରାର୍ଥନା କରିଛନ୍ତି । ଏହି ଅବସରରେ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଆଧ୍ୟାତ୍ମିକ ଚେତନାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି । ଜାମସେଦପୁରରେ ମହାପ୍ରଭୁଙ୍କ ଏହି ଭବ୍ୟ ମନ୍ଦିର କେବଳ ଏକ ଆଧ୍ୟାତ୍ମିକ କେନ୍ଦ୍ର ହେବ ନାହିଁ, ବରଂ ଏହା ଝାଡ଼ଖଣ୍ଡର ସାଂସ୍କୃତିକ ପରିଚୟକୁ ଏକ ନୂତନ ଦିଶା ପ୍ରଦାନ କରିବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥ ସମଗ୍ର ଜଗତର ନାଥ ଏବଂ ତାଙ୍କର ଉପାସନା ଆମକୁ କରୁଣା, ଓ ଲୋକମଙ୍ଗଳର ଶାଶ୍ୱତ ସନ୍ଦେଶ ଦେଇଥାଏ । ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ଆୟୋଜିତ ଏହି ଉତ୍ସବ ଜଗନ୍ନାଥ ସଂସ୍କୃତିରେ ଏକ ନୂତନ ଅଧ୍ୟାୟ ଯୋଡ଼ିଛି । ଶ୍ରୀ ପ୍ରଧାନ ସମସ୍ତ ଝାଡ଼ଖଣ୍ଡବାସୀ ଏବଂ ଜଗନ୍ନାଥ ଅନୁଯାୟୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁଙ୍କ ଆଶୀର୍ବାଦରୁ ସମାଜରେ ସମାନତା ଓ ଭାଇଚାରା ବୃଦ୍ଧି ପାଇବ ବୋଲି ଆଶା ବ୍ୟକ୍ତ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡର ମାନ୍ୟବର ରାଜ୍ୟପାଳ ଶ୍ରୀ ସନ୍ତୋଷ କୁମାର ଗାଙ୍ଗୱାର ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ହେମନ୍ତ ସୋରେନଙ୍କ ସମେତ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।