ଭୁବନେଶ୍ଵର,୦୮/୦୩:ରାଜ୍ୟରେ ପୁଣି ପାଗରେ ପରିବର୍ତ୍ତନ ଦେଖାଦେଇଛି। ଓଡିଶା ଉପରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅନେକ ଜିଲ୍ଲାରେ କାଲି ପର୍ଯ୍ୟନ୍ତ ବିଜୁଳି ଘଡଘଡି ସହ ବର୍ଷା ହେବା ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସତର୍କତା ଜାରି କରାଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ବର୍ଷା ହେବା ସହ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।ସେହିପରି ରାଜ୍ୟର ଅନ୍ୟ ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୯ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି।ତେବେ ଅନ୍ୟାନ୍ୟ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଆଗାମୀ ୧୦ ତାରିଖରୁ ପୁଣି ରାଜ୍ୟରେ ପାଗ ଶୁଖିଲା ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିବଳୟ ପ୍ରଭାବରେ କିଛି ଅଞ୍ଚଳରେ ତାପମାତ୍ରା ମଧ୍ୟ କମିବାର ସମ୍ଭାବନା ରହିଛି।