ଭୁବନେଶ୍ୱର : ଦ କେରଳ ଷ୍ଟୋରୀ’ର ନିର୍ଦ୍ଦେଶକ ସୁଦୀପ୍ତୋ ସେନ ତାଙ୍କ ଆଗାମୀ ଲୋକକଥା ଆଧାରିତ ଥ୍ରିଲର୍ ସିନେମା ‘ଚରକ: ଫେଥ ଅଫ ଫେଥ’ର ଟ୍ରେଲର୍ ଉନ୍ମୋଚନ କରିଛନ୍ତି। ଏହି ଚଳଚ୍ଚିତ୍ରରେ ସେ ପ୍ରଯୋଜକ ଭାବେ ଜଡିତ। ଏହି ଚଳଚ୍ଚିତ୍ରରେ ଅଞ୍ଜଳି ପାଟିଲ୍, ସାହିଦୁର ରହମାନ, ସୁବ୍ରତ ଦତ, ଶଶି ଭୂଷଣ, ନଲନୀଶ ନୀଳ, ଶଂଖଦୀପ ଓ ଶୌନକ ଶ୍ୟାମଲ ଅଭିନୟ କରିଛନ୍ତି। ଗ୍ରାମୀଣ ଭାରତରେ ଅନ୍ଧବିଶ୍ୱାସ ଓ ତାନ୍ତ୍ରିକ ପ୍ରଥାକୁ କେନ୍ଦ୍ର କରି ଗଢ଼ାଯାଇଥିବା ଏହି କାହାଣୀ ଯଥାର୍ଥ ଘଟଣାରୁ ଅନୁପ୍ରାଣିତ ହୋଇଛି। ଟ୍ରେଲର୍ ମୁକ୍ତି ଅବସରରେ ସେ ‘ଚରକ’ ଓ ‘ଦ କେରଳ ଷ୍ଟୋରୀ’ ସମ୍ପର୍କିତ ବିବାଦ ନେଇ ମତ ପ୍ରକାଶ କରିଥିଲେ। ଏହି ସିନେମା ୬ ମାର୍ଚ୍ଚ ୨୦୨୬ରେ ଥିଏଟରରେ ମୁକ୍ତି ପାଇବ।
ଏସମ୍ପର୍କରେ ସେ କହିଛନ୍ତିଯେ, “ମୁଁ କେବେ ବି ବିବାଦ ସୃଷ୍ଟି କରିବା ପାଇଁ ସିନେମା ନିର୍ମାଣ କରେ ନାହିଁ। ମୁଁ ସେହି ବିଷୟ ବାଛେ ଯାହା ମୋତେ ଗଭୀର ଭାବେ ଛୁଁଇଯାଏ ଓ ଅସ୍ଥିର କରେ। ‘ଦ କେରଳ ଷ୍ଟୋରୀ’କୁ ମୁଁ କେବେ ଯୋଜନାବଦ୍ଧ ପ୍ରକଳ୍ପ ଭାବେ ଆରମ୍ଭ କରିନଥିଲି। ୨୦୧୪ରେ କୋଚିରେ ଥିବାବେଳେ ମୋ ଆଗରେ ଘଟିଥିବା ଗୋଟିଏ ଘଟଣା ମୋତେ ଗଭୀର ଭାବେ ପ୍ରଭାବିତ କରିଥିଲା। ସେହି ଅନୁଭବ ପରେ ପରେ ଗଳ୍ପର ଆକାର ନେଲା ଓ ଶେଷରେ ୨୦୨୩ରେ ସିନେମା ଭାବେ ମୁକ୍ତି ପାଇଲା।”
‘ଚରକ’ର ଧାରଣା କିପରି ଆସିଲା ସେନେଇ ସେ କହିଛନ୍ତିଯେ, “ଆମ ଦେଶର ଗ୍ରାମୀଣ ଅଂଚଳରେ ଚାଲିଥିବା ଆସ୍ଥା ଓ ପାରମ୍ପରିକ ଆଚାର-ବିଚାର ପ୍ରତି ମୋର ଦୀର୍ଘଦିନର ଆକର୍ଷଣ ରହିଛି। ଭ୍ରମଣ ସମୟରେ ମୁଁ ପାରମ୍ପରିକ ‘ଚରକ’ ପର୍ବର ଭାବନାତ୍ମକ ତୀବ୍ରତାକୁ ନିକଟରୁ ଦେଖିଛି, ଯାହା ମୋ ମନରେ ଗଭୀର ଛାପ ଛାଡ଼ିଥିଲା। ସେହି ଅନୁଭବ ଆସ୍ଥା, ଭକ୍ତି ଓ ଭୟର ସୂକ୍ଷ୍ମ ସୀମାରେ ଆଧାରିତ ଗୋଟିଏ କାହାଣୀର ଆକାର ନେଲା। ଏଭଳିଭାବେ ‘ଚରକ’ ଧୀରେ ଧୀରେ ଗଢ଼ିଉଠିଲା ଓ ସିନେମା ହେଲା।” ଚଳଚ୍ଚିତ୍ରଟିକୁ ପେନ ଷ୍ଟୁଡିଓଜ୍ ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଶିଲାଦିତ୍ୟ ମୌଲିକ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ‘ଚରକ’କୁ ସିପିଂ ଟି ସିନେମାସ୍ ଓ ସୁଦୀପ୍ତୋ ସେନ୍ ପ୍ରୋଡକ୍ସନ୍ସ ସଂଯୁକ୍ତଭାବେ ପ୍ରଯୋଜନା କରିଛନ୍ତି, ଯେଉଁଠାରେ ରାଜେଶ ଭଟ୍ ସହ-ପ୍ରଯୋଜକ ଭାବେ ଜଡିତ ଅଛନ୍ତି।