ଧାମରା : ଭାରତର ସାମୁଦ୍ରିକ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରି ଧାମରା ପୋର୍ଟ ୩୦ ଜୁନ ୨୦୨୬ରେ ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ପୂର୍ବ ଜାତୀୟ ରେକର୍ଡକୁ ଭଙ୍ଗ କରିଛି । ପୋର୍ଟ କେବଳ ୨୪ ଘଣ୍ଟା ମଧ୍ୟରେ ୧,୩୨,୩୬୫ ମେଟ୍ରିକ୍ ଟନ୍ କାର୍ଗୋ ଅନ୍ଲୋଡ୍ କରି ବିଶ୍ୱସ୍ତରୀୟ କାର୍ଯ୍ୟଦକ୍ଷତାର ପରିଚୟ ଦେଇଛି । କ୍ୱିନ୍ସଲ୍ୟାଣ୍ଡ, ଅଷ୍ଟ୍ରେଲିଆରୁ ଟାଟା ଷ୍ଟିଲ ପାଇଁ ଆସିଥିବା ୧,୬୫,୨୮୩ ଏମ୍ଟି ଟନ୍ କୋକିଂ କୋଇଲା ବହନ କରୁଥିବା କେପ୍-ସାଇଜ୍ ଜାହାଜ ଏମ୍ଭି ଏଏସ୍ଏଲ୍ ଓଟିଏସ୍ଏଲ୍୨ ର ଅନ୍ଲୋଡିଂ ସମୟରେ ହାସଲ କରାଯାଇଥିଲା ।
ବର୍ଥ-୨ରେ ଏହି ଏକକ ବର୍ôଥଂ ସମୟରେ ପୋର୍ଟ ପରିଚାଳନା ଦଳ ଦୁଇଟି ପୃଥକ ଜାତୀୟ ରେକର୍ଡ ସ୍ଥାପନ କରିଛି । ପ୍ରଥମତଃ, ପୋର୍ଟ ପ୍ରଥମ ୨୪ ଘଣ୍ଟାରେ ୧,୩୨,୩୬୫ ଏମ୍ଟି କାର୍ଗୋ ଅନ୍ଲୋଡ କରି ପୂର୍ବରୁ ଏମ୍ଭି ପତ୍ରଗ୍ୟାସ୍ ଦ୍ୱାରା ସ୍ଥାପିତ ୧,୨୭,୮୬୭ ଏମ୍ଟି ଟନ୍ର ଜାତୀୟ ରେକର୍ଡକୁ ଅତିକ୍ରମ କରିଛି । ଦ୍ୱିତୀୟତଃ, ୧.୬୫ ଲକ୍ଷ ମେଟ୍ରିକ ଟନ୍ର ସମ୍ପୂର୍ଣ୍ଣ କାର୍ଗୋକୁ ମାତ୍ର ୩୮ ଘଣ୍ଟା ମଧ୍ୟରେ ଅନ୍ଲୋଡ୍ କରି ପୋର୍ଟ ସବୁଠାରୁ ଦ୍ରୁତ ମଲ୍ଟି-ଗ୍ରେଡ୍ କାର୍ଗୋ ଟର୍ଣ୍ଣଆରାଉଣ୍ଡର ମଧ୍ୟ ନୂତନ ଜାତୀୟ ରେକର୍ଡ ସ୍ଥାପନ କରିଛି । ଡ୍ରାଏ କାର୍ଗୋ ହେତୁ ଏହି ସଫଳତା ସମ୍ଭବ ହୋଇପାରିଲା । ଷ୍ଟିମ୍ କୋଇଲା ତୁଳନାରେ କୋକିଂ କୋଇଲା ଏକ ଅଣ-ମୁକ୍ତ ପ୍ରବାହୀ (ନନ୍-ଫ୍ରି ଫ୍ଲୋଇଂ) ପଦାର୍ଥ ହୋଇଥିବାରୁ ଏହାର ଅନ୍ଲୋଡିଂ ଅତ୍ୟନ୍ତ ଜଟିଳପୂର୍ଣ୍ଣ ।
ଏମ୍ଭି ଏଏସ୍ଏଲ୍ ଓଟିଏସ୍ଏଲ୍୨ ଗୁନିଏଲା ଏବଂ ପିସିଆଇ ଭଳି ଦୁଇଟି ଭିନ୍ନ ଗ୍ରେଡ୍ର କୋକିଂ କୋଇଲା ବହନ କରୁଥିଲା । ଏହି ଦୁଇଟି ଗ୍ରେଡ୍କୁ ରେକର୍ଡ଼ ସମୟ ମଧ୍ୟରେ ସଫଳତାର ସହ ପୃଥକ ଭାବେ ଅନ୍ଲୋଡ଼ କରିବା, ଟାଟା ଷ୍ଟିଲ ପାଇଁ ଜିରୋ ପ୍ରଦୂଷଣ ସୁନିଶ୍ଚିତ କରିବା ଏବଂ ଶକ୍ତ ଗ୍ରେଡ୍-ଭିତ୍ତିକ ପୃଥକୀକରଣ ସହ ସୁନିୟୋଜିତ ୟାର୍ଡ ପରିଚାଳନା କରିବା ପୋର୍ଟର କାର୍ଯ୍ୟକୁଶଳତାର ଉତ୍କୃଷ୍ଟ ଉଦାହରଣ ପାଲଟିଛି ।
ଏହି ଅବସରରେ ଡିପିସିଏଲ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଦେବେନ୍ଦ୍ର ଠକର କହିଛନ୍ତି ଯେ, ଏହି ସଫଳତା ପୋର୍ଟର ଦକ୍ଷ ଦଳଗତ କାର୍ଯ୍ୟ, ଅତ୍ୟାଧୁନିକ ଭିତ୍ତିଭୂମି ଏବଂ ଉତ୍କୃଷ୍ଟ କାର୍ଯ୍ୟଦକ୍ଷତାର ପ୍ରତିଫଳନ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗର ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ପାଇଁ ସେ କୃତଜ୍ଞତା ଜଣାଇଥିଲେ । ଏହି ମାଇଲଖୁଣ୍ଟ ପୂର୍ବ ଉପକୂଳର ପ୍ରମୁଖ ସାମୁଦ୍ରିକ ପ୍ରବେଶ ଦ୍ୱାର ଭାବେ ଧାମରା ପୋର୍ଟର ସ୍ଥିତିକୁ ଆହୁରି ସୁଦୃଢ କରିଛି । ଅତ୍ୟାଧୁନିକ ଯାନ୍ତ୍ରିକ ଭିତ୍ତିଭୂମି ଏବଂ ଗଭୀରତମ ପୋର୍ଟ ଭାବେ ନିଜର କ୍ଷମତା ବୃଦ୍ଧି କରୁଅଛି । ୨୦୩୦ ସୁଦ୍ଧା ୧୦୦ ମିଲିୟନ ଏମ୍ଟି (୧୦୦ ଏମ୍ଏମ୍ଟି) ବାର୍ଷିକ କାର୍ଗୋ ପରିଚାଳନା କ୍ଷମତା ହାସଲ କରିବା ଦିଗରେ ପୋର୍ଟ ଦୃଢତାର ସହ ଆଗେଇ ଚାଲିଛି ।
ଧାମରା ପୋର୍ଟର ଐତିହାସିକ ସଫଳତା: ଡ୍ରାଏ ବଲ୍କ କାର୍ଗୋ ପରିଚାଳନାରେ ଜାତୀୟ ରେକର୍ଡ