ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ନିକଟରେ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବା ଲକ୍ଷ୍ୟରେ କିମ୍ସର ପ୍ରତିବଦ୍ଧତା ପ୍ରମାଣିତ ହୋଇଛି । କଟକ ଜିଲ୍ଲାର କଲାରାବାଙ୍କସ୍ଥିତ କିମସ ଗ୍ରାମାଞ୍ଚଳ ହସ୍ପିଟାଲର ଡାକ୍ତରମାନେ ଜଣେ ମହିଳାଙ୍କଠାରେ ସଫଳତାର ସହ ସ୍ତନ କର୍କଟ ଅସ୍ତ୍ରୋପଚାର କରିଛନ୍ତି ।
୫୫ ବର୍ଷୀୟା ଏହି ରୋଗୀଙ୍କଠାରେ ସ୍ତନ କର୍କଟ ରୋଗ ଲକ୍ଷଣ ପ୍ରକାଶ ପାଇବାରୁ ତାଙ୍କୁ କଲରାବାଙ୍କ ରୁରାଲ୍ ହସ୍ପିଟାଲରେ ଡାକ୍ତରଙ୍କ ସହ ପରାମର୍ଶ କରାଯାଇ ସେଠାରେ ଭର୍ତ୍ତି କରାଯାଇଥିଲା। ଗତ ୨୫ ତାରିଖରେ ତାଙ୍କ ଅସ୍ତ୍ରୋପଚାର କରାଯାଇଥିଲା। କିମ୍ସ ରୁରାଲ ହସ୍ପିଟାଲ୍ ଡାକ୍ତର ଭି. କେ. ସେନଗୁପ୍ତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଉକ୍ତ ରୋଗୀଙ୍କ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ଏବେ ରୋଗୀ ସୁସ୍ଥ ଅଛନ୍ତି ଓ ସାଧାରଣ ଜୀବନଯାପନ କରୁଛନ୍ତି। ଡା ସେନଗୁପ୍ତ କହିଛନ୍ତି, ଏକ କିମ୍ସ ଗ୍ରାମାଞ୍ଚଳ ଡାକ୍ତରଖାନାରେ ଉନ୍ନତ ଶଲ୍ୟ ଚିକିତ୍ସା ଉପକରଣ ଏବଂ ଭିତ୍ତିଭୂମି ଉପଲବ୍ଧ ହେଉଥିବା ଯୋଗୁଁ ଏହି ଅସ୍ତ୍ରୋପଚାର ସମ୍ଭବ ହୋଇପାରିଛି।
କଲରାବାଙ୍କଠାରେ ଏକ ଉନ୍ନତ ସ୍ୱାସ୍ଥ୍ୟସେବା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସେ କିଟ୍ ଓ କିମ୍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଆଭିମୁଖ୍ୟକୁ ସେ ଶ୍ରେୟ ଦେଇଛନ୍ତି। କଲରାବାଙ୍କ ଭଳି ରୁରାଲ୍ ହସ୍ପିଟାଲରେ ବହୁ କମ ମୂଲ୍ୟରେ ଏକ ଜଟିଳ କର୍କଟ ଅସ୍ତ୍ରୋପଚାର କରିବା ସହ ଗରିବ ଲୋକଙ୍କ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ଦିଗରେ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିମ୍ସର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
ଏହା ସହ ଓଡ଼ିଶାର ଏକ ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଫଳ କର୍କଟ ଅସ୍ତ୍ରୋପଚାର ପ୍ରଥମ ଥର ପାଇଁ କରାଯାଇଥିବା ଡା ସେନଗୁପ୍ତ କହିଛନ୍ତି। ଗତବର୍ଷ ମଧ୍ୟ କଲରାବାଙ୍କ ରୁରାଲ୍ ହସ୍ପିଟାଲରେ ଏକ ସ୍ତନ କର୍କଟ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଥିଲା ଏବଂ ରୋଗୀ ମଧ୍ୟ ସୁସ୍ଥ ଅଛନ୍ତି। ଗତ ୨୫ ତାରିଖରେ ଅସ୍ତ୍ରୋପଚାର ହୋଇଥିବା ମହିଳାଙ୍କ ପରିବାର ଆବଶ୍ୟକ ଖର୍ଚ୍ଚ ତୁଲାଇବା ସମ୍ଭବ ନହେବାରୁ ସେ କଟକ କିମ୍ବା ଭୁବନେଶ୍ୱରର କୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଚିକିତ୍ସା କରାଇପାରି ନଥିବା ଡା ସେନ୍ଗୁପ୍ତ ପ୍ରକାଶ କରିଛନ୍ତି।
ଏହି ସଫଳତାରେ ସନ୍ତୋଷ ବ୍ୟକ୍ତ କରି ଶ୍ରୀ ସାମନ୍ତ କହିଛନ୍ତି ଯେଉଁ ଲକ୍ଷ୍ୟ ନେଇ କଲରାବାଙ୍କରେ କିମ୍ସ ରୁରାଲ୍ ହସ୍ପିଟାଲ୍ ନିର୍ମାଣ କରାଯାଇଥିଲା, ସେହି ଲକ୍ଷ୍ୟ ପୂରଣ ହେଉଛି। ଏହା ଦ୍ୱାରା କଲରାବାଙ୍କ ତଥା ଏହା ଆଖପାଖ ଗ୍ରାମର ଲୋକମାନଙ୍କୁ ଚିକିତ୍ସା ପାଇଁ ଆଉ ଦୂର ଦୂରାନ୍ତକୁ ଯିବାକୁ ପଡ଼ିବ ନାହିଁ।