Odisha

ଭୁବନେଶ୍ୱରରେ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ପାଳିତ; ‘ସମବାୟରୁ ସମୃଦ୍ଧି’ ଅଭିଯାନର ଶୁଭାରମ୍ଭ କଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱରସ୍ଥିତ ସମବାୟ ଭବନ ପରିସରରେ ଓଡ଼ିଶା ସମବାୟ ବିଭାଗର ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ଆନୁକୂଲ୍ୟରେ ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ଉତ୍ସବ ବେଶ୍ ମହାସମାରୋହରେ ପାଳିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ଗଠିତ ଏହି ନୂତନ ମନ୍ତ୍ରଣାଳୟର ପାଞ୍ଚବର୍ଷ ପୂର୍ତ୍ତି ଉପଲକ୍ଷେ ସାଧାରଣ ଜନତାଙ୍କୁ ସମବାୟ ଆନ୍ଦୋଳନ ସହିତ ଯୋଡ଼ିବା ପାଇଁ ୨୦୨୬ ଜୁନ୍ ୨୯ ରିଖଠାରୁ ଜୁଲାଇ ୦୬ ରିଖ ପର୍ଯ୍ୟନ୍ତ ଏକ ସପ୍ତାହବ୍ୟାପୀ ବୃହତ ଜାତୀୟ ଅଭିଯାନ ଆରମ୍ଭ କରାଯାଇଛି, ଯାହାର ମୂଳ ଲକ୍ଷ୍ୟ ହେଉଛି ସମବାୟର ସୁଫଳକୁ ଦେଶର ପ୍ରତିଟି କୋଣ ଅନୁକୋଣରେ ପହଞ୍ଚାଇବା। ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକର ସଂସ୍କାର, ଚାଷୀଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ, ବ୍ୟାପକ ବୃକ୍ଷରୋପଣ ଜରିଆରେ ସବୁଜ ସମବାୟର ସୃଷ୍ଟି, ସମବାୟ କ୍ଷେତ୍ରରେ ଅଧିକରୁ ଅଧିକ ମହିଳା, ଯୁବପିଢ଼ୀ ଓ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା, ନୂତନ ପିଢ଼ୀ ପାଇଁ ନୂଆ ସମବାୟ ସମିତି ଗଠନ କରିବା ଏବଂ କାର୍ଯ୍ୟଧାରାରେ କୃତ୍ରିମ ବୁଦ୍ଧିମତା (AI) ଓ ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବା ଏହି ଅଭିଯାନର ପ୍ରମୁଖ ଉଦ୍ଦେଶ୍ୟ ରହିଛି।

ଏହି ଭବ୍ୟ କାର୍ଯ୍ୟକ୍ରମକୁ ଓଡ଼ିଶାର ସମବାୟ, ବୟନ, ହସ୍ତଶିଳ୍ପ ଓ ହସ୍ତତନ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ବଳସାମନ୍ତ ଆନୁଷ୍ଠାନିକ ଭାବେ ସମବାୟ ପତାକା ଉତ୍ତୋଳନ କରି ଉଦ୍‌ଘାଟନ କରିଥିଲେ। ଏହାପରେ ଆୟୋଜିତ ବିଶେଷ ଅଧିବେଶନରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ‘ସମବାୟରୁ ସମୃଦ୍ଧି’ ଅଭିଯାନର ସଫଳତା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ରାଜ୍ୟରେ ଏହି ଯୋଜନାକୁ ତ୍ଵରାନ୍ବିତ କରିବା ପାଇଁ ଓଡ଼ିଶା ସମବାୟ ବିଭାଗ ପକ୍ଷରୁ ଅନେକ ଦୃଢ଼ ପଦକ୍ଷେପ ନିଆଯାଇଛି, ଯେଉଁଥିରେ ପ୍ରତିଟି ପଞ୍ଚାୟତରେ ଗୋଟିଏ ଗୋଟିଏ କୃଷିଋଣ, ଦୁଗ୍ଧ କିମ୍ବା ମତ୍ସ୍ୟ ସମବାୟ ସମିତି ଗଠନ ପ୍ରକ୍ରିୟା ଜାରି ରହିଛି। ଏହା ସହିତ ପ୍ୟାକ୍‌ସ (PACS) ଗୁଡ଼ିକର ଉତ୍ପାଦନ ଓ ବ୍ୟବସାୟିକ କ୍ଷମତା ବୃଦ୍ଧି ପାଇଁ ସେଗୁଡ଼ିକୁ ଏମ୍-ପ୍ୟାକ୍ସ (M-PACS) ରେ ରୂପାନ୍ତରିତ କରାଯାଉଛି ଏବଂ ଜାତୀୟ ସମବାୟ ନୀତି-୨୦୨୫ ସହ ସମନ୍ଵୟ ରଖି ‘ଓଡ଼ିଶା ସମବାୟ ନୀତି-୨୦୨୬’ ପ୍ରସ୍ତୁତ କରାଯାଇଛି।

ଏହି ସଭାରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀଯୁକ୍ତ ମନୀଷ ଅଗ୍ରୱାଲ (ଆଇ.ଏ.ଏସ୍) ସମବାୟ ଅନୁଷ୍ଠାନଗୁଡ଼ିକୁ କିପରି ଅଧିକ ଲାଭଜନକ ଓ ସ୍ୱାବଲମ୍ବୀ ସଂସ୍ଥାରେ ପରିଣତ କରାଯାଇପାରିବ ସେ ସମ୍ପର୍କରେ ତଥ୍ୟ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ରାଜ୍ୟ କୃଷି ବିପଣନ ନିର୍ଦ୍ଦେଶକ ତଥା ଓସ୍‌ମା ବୋର୍ଡର ମେମ୍ବର ସେକ୍ରେଟାରୀ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତୀ (ଆଇ.ଏ.ଏସ) ଯୋଗଦେଇ ସମବାୟ ଆନ୍ଦୋଳନକୁ ସକ୍ରିୟ କରିବା ପାଇଁ ଭିତ୍ତିଭୂମିର ବିକାଶକୁ ଅପରିହାର୍ଯ୍ୟ ବୋଲି ଦର୍ଶାଇଥିଲେ ଏବଂ ବିଭାଗ ଗତ ଦୁଇ ବର୍ଷ ହେବ ଏହି ଭିତ୍ତିଭୂମି ଉନ୍ନୟନକୁ ସର୍ବାଧିକ ଗୁରୁତ୍ଵ ଦେଇ ଆସୁଛି ବୋଲି ପ୍ରକାଶ କରିଥିଲେ। ଉତ୍ସବରେ ସଭାପତିତ୍ୱ କରି ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ ଜାତୀୟ କାର୍ଯ୍ୟକ୍ରମର ଆୟୋଜନ ଦାୟିତ୍ଵ ୟୁନିୟନକୁ ମିଳିଥିବାରୁ ସମବାୟ ମନ୍ତ୍ରୀ, ସମବାୟ ସଚିବ ଏବଂ ନିବନ୍ଧକଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଶୁଭ ଅବସରରେ ୟୁନିୟନ ଦ୍ଵାରା ପ୍ରକାଶିତ ‘ସମବାୟ ସମାଚାର’ର ଏକ ସ୍ଵତନ୍ତ୍ର ସଂଖ୍ୟା ଏବଂ ‘ସମବାୟ ସର୍କୁଲାର’ ପୁସ୍ତକକୁ ମାନ୍ୟବର ମନ୍ତ୍ରୀ ଓ ଅତିଥିମାନେ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଥିଲେ।

ଉକ୍ତ ସମାରୋହର ସମସ୍ତ କାର୍ଯ୍ୟ ଓ ଦାୟିତ୍ଵ ସୂଚାରୁରୂପେ ସମ୍ପାଦନ କରିବାରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ପରିଚାଳନା ପରିଷଦ ସଦସ୍ୟ ଶ୍ରୀ ରଂଜନ କୁମାର ଦାସ, ସମ୍ପାଦକ ଶ୍ରୀମତୀ ସୁନିତା ପତି ଏବଂ ଓ.ଏସ୍.ଡି. ବ୍ରହ୍ମାନନ୍ଦ ପରିଡା ପ୍ରମୁଖ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ମହୋତ୍ସବରେ ସମବାୟ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ଉଷାରାଣୀ ଦାସ, ଅତିରିକ୍ତ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ଅତିରିକ୍ତ ସଚିବ ତଥା ବିତ୍ତ ପରାମର୍ଶଦାତା ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ, ଅତିରିକ୍ତ ନିବନ୍ଧକ ଶ୍ରୀ ଭକ୍ତବନ୍ଧୁ ସାହୁ, ଅତିରିକ୍ତ ନିବନ୍ଧକ ଶ୍ରୀମତୀ ରୋଜାଲିନ ସେନାପତି, ଅତିରିକ୍ତ ମହାସମୀକ୍ଷକ ଶ୍ରୀମତୀ ସୁନିତା ଶତପଥିଙ୍କ ସମେତ ରାଜ୍ୟର ଅନ୍ୟାନ୍ୟ ବରିଷ୍ଠ ସମବାୟ ଅଧିକାରୀ, ବିଭିନ୍ନ ସମବାୟ ପ୍ରତିଷ୍ଠାନର ପରିଚାଳନା ପରିଷଦର ସଦସ୍ୟବୃନ୍ଦ, କର୍ମଚାରୀ, ସଭ୍ୟ ଓ ବିଶିଷ୍ଟ ସମବାୟବିତମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ପରିସମାପ୍ତିରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସମ୍ପାଦକ ଶ୍ରୀମତୀ ସୁନୀତା ପତି ସମସ୍ତ ଅତିଥି ଓ ଯୋଗଦେଇଥିବା ସଦସ୍ୟମାନଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ।