ଭୁବନେଶ୍ୱର,: ଆଜି କିମସ ପକ୍ଷରୁ ଜାତୀୟ ଡାକ୍ତର ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ କିଟ୍, କିସ୍ ଓ କିମସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାକ୍ତରଙ୍କୁ ସେମାନଙ୍କର ଅକ୍ଳାନ୍ତ ସେବା ଏବଂ ପ୍ରତିବଦ୍ଧତା ପାଇଁ ପ୍ରଶଂସା କରିଥିଲେ । ଡାକ୍ତରଙ୍କୁ ଈଶ୍ୱରଙ୍କ ଦ୍ୱିତୀୟ ରୂପ ବୋଲି ଅଭିହିତ କରି ସେମାନଙ୍କର ନିଃସ୍ୱାଥର୍ପର ସେବା ପାଇଁ କୃତଜ୍ଞତା ଜଣାଇଥିଲେ । ପ୍ରସିଦ୍ଧ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ସ୍ମୃତିଚାରଣ କରି ଡାକ୍ତରମାନେ କରୁଣା ଏବଂ ସର୍ମପଣ ସହିତ ସମାଜର ସେବା ଜାରି ରଖିବାକୁ ଅନୁରୋଧ କରିଥିଲେ । ସେ କହିଲେ ଯେଉଁ ଛୋଟ ପ୍ରୟାସରେ କିମ୍ସ ଆରମ୍ଭ ହୋଇଥିଲା ଆଜି ଏହା ଏକ ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରେ ପରିଣତ ହୋଇଛି ।
କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଆର.ସି. ଦାସ ଅନ୍ୟମାନଙ୍କର ସେବା କରିବା ସହିତ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଡାକ୍ତରମାନଙ୍କୁ ପରାମର୍ଶ ଦେଇଥିଲେ । ରୋଗୀକୁ ସୁସ୍ଥ କରିବା ସହ ନିଜକୁ ସୁସ୍ଥ ରଖିବା ମଧ୍ୟ ଡାକ୍ତରଙ୍କ ଦୟିତ୍ୱ ବୋଲି ସେ କହିଥିଲେ । କିମ୍ସ ପରାମର୍ଶଦାତା ଡା. ଆର.ଏନ. ସାମନ୍ତ ଭବିଷ୍ୟତର ଡାକ୍ତରମାନଙ୍କୁ ଏହି ବୃତ୍ତି ସହିତ ଜଡିତ ମର୍ଯ୍ୟାଦା ଏବଂ ବିଶ୍ୱାସକୁ ବଜାୟ ରଖିବାକୁ ଅନୁରୋଧ କରିଥିଲେ । କିଟ ଉପକୁଳପତି ପ୍ରଫେସର ଏମେରିଟସ୍ ସି.ବି.କେ. ମହାନ୍ତି ରୋଗୀଙ୍କ ଆର୍ଥିକ ପୃଷ୍ଠଭୂମି ନିର୍ବିଶେଷରେ ସମସ୍ତଙ୍କୁ ସମାନ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ ପ୍ରତିଷ୍ଠାତାଙ୍କ ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଥିଲେ । କରୁଣା, ସହାନୁଭୂତି ଏବଂ ପ୍ରମାଣ-ଆଧାରିତ ଚିକିତ୍ସା ଅଭ୍ୟାସ ରୋଗୀ ଯତ୍ନର ହୃଦୟରେ ରହିବା ଉଚିତ ବୋଲି ସେ କହିଥିଲେ । ପ୍ରଫେସର ଏମେରିଟସ୍ ପଦ୍ମଶ୍ରୀ ୱାଇ କେ ଚାୱଲା ଚିକିତ୍ସା ବିଜ୍ଞାନରେ ଜୀବନବ୍ୟାପୀ ଶିକ୍ଷା, ଗବେଷଣା ଏବଂ ନବସୃଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଲେ, କିମସ ଛାତ୍ରମାନେ ଦିଲ୍ଲୀ ଏମ୍ସ ଓ ପିଜିଏମଇଆର ଚଣ୍ଡିଗଡ଼ ଭଳି ପ୍ରମୁଖ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ସମକକ୍ଷ ହେବା ସହ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀ ଉଭୟଙ୍କୁ ଶିକ୍ଷାଗତ ଭାବରେ ସକ୍ରିୟ ରହି ଗବେଷଣା ଉତ୍କର୍ଷତାକୁ ସୁଦୃଢ଼ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସାଇ ରାଙ୍କ ଗ୍ଲୋବାଲ୍ ଇଣ୍ଡେକ୍ସ ୨୦୨୫ ରେ ବିଶ୍ୱର ଶ୍ରେଷ୍ଠ ୫ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ସ୍ଥାନ ପାଇଥିବା ଡାକ୍ତର ଓ ଗବେଷକମାନଙ୍କୁ ସମ୍ମାନୀତ କରାଯାଇଥିଲା ।
କିମ୍ସରେ ଜାତୀୟ ଡାକ୍ତର ଦିବସ ପାଳିତ