Odisha

ଶାସନରେ ପ୍ରଯୁକ୍ତି ଓ ଓଡ଼ିଆ ଭଏସ୍ ବୋଟ୍: ସଚିବସ୍ତରୀୟ ବୈଠକରେ ରାଜ୍ୟର ଆର୍ଥିକ ଓ ପ୍ରଗତିମୂଳକ ଯୋଜନାର ସମୀକ୍ଷା

ଭୁବନେଶ୍ୱର, ୧ ଜୁଲାଇ ୨୦୨୬: ରାଜ୍ୟ ପ୍ରଶାସନକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ନାଗରିକକୈନ୍ଦ୍ରିକ କରିବା ଉଦ୍ଦେଶ୍ୟରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ଉନ୍ନୟନ କମିଶନର ଶ୍ରୀ ଦେଓରଞ୍ଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ଶାସନ ସଚିବମାନେ ଉପସ୍ଥିତ ରହି ରାଜ୍ୟର ଆର୍ଥିକ ପ୍ରଗତି, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ଆଗାମୀ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ରାଜ୍ୟ ସରକାରଙ୍କ ପ୍ରମୁଖ ସଫଳତା ଓ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ଅଗ୍ରଗତି ଉପରେ ଆଲୋକପାତ କରିଥିଲେ। ଏଥିମଧ୍ୟରେ ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ (ଡବ୍ଲୁଇପି)ର ପ୍ରତିଷ୍ଠା, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଏବଂ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି ଭଳି ପଦକ୍ଷେପ ସମେତ କ୍ରୀଡ଼ା ଓ ଷ୍ଟାର୍ଟଅପ୍ କ୍ଷେତ୍ରରେ ଓଡ଼ିଶାର ବଢୁଥିବା ସୁନାମ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଯୋଜନାଗୁଡ଼ିକର ସଫଳ ରୂପାୟନ ସହ ଶାସନରେ ବୈଜ୍ଞାନିକ ଗବେଷଣା ଓ ତଥ୍ୟ ବିଶ୍ଳେଷଣକୁ ପ୍ରୋତ୍ସାହନ ଦେଇ ନୀତି ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଶିକ୍ଷା, କୃଷି, ଶ୍ରମ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ “ଜେ ପଲ୍” ସହ ଚାଲିଥିବା ସହଭାଗିତାକୁ ଆହୁରି ବ୍ୟାପକ କରାଯିବା ସହ ଆଗାମୀ ଦିନରେ ଜଳବାୟୁ ପରିବର୍ତ୍ତନ ଓ କୃତ୍ରିମ ବୁଦ୍ଧିମତ୍ତା (AI) କ୍ଷେତ୍ରରେ ମଧ୍ୟ ଗବେଷଣାମୂଳକ ସହଯୋଗ ବୃଦ୍ଧି କରାଯିବ।

ଅର୍ଥ ବିଭାଗ ପକ୍ଷରୁ ୩୦ ଜୁନ ୨୦୨୬ ସୁଦ୍ଧା ରାଜ୍ୟର ବ୍ୟୟ ଓ ରାଜସ୍ୱ ସ୍ଥିତି ଉପସ୍ଥାପନ କରାଯାଇଥିଲା। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ କାର୍ଯ୍ୟକ୍ରମ ବ୍ୟୟ ଗତବର୍ଷ ତୁଳନାରେ ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ କୃଷି ଓ ସାମାଜିକ କ୍ଷେତ୍ରକୁ ଅଧିକ ପ୍ରାଥମିକତା ଦିଆଯାଇଛି। ସମସ୍ତ ବିଭାଗ ଯେପରି ବଜେଟର ସଠିକ୍ ଓ ଫଳପ୍ରଦ ବ୍ୟବହାର କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୁଞ୍ଜି ବ୍ୟୟ ସହ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିବେ, ସେଥିପାଇଁ ମୁଖ୍ୟ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ଶାସନ କାର୍ଯ୍ୟରେ ଅତ୍ୟାଧୁନିକ ପ୍ରଯୁକ୍ତିର ବ୍ୟବହାରକୁ ନେଇ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଏକ ବିଶେଷ ଉପସ୍ଥାପନା କରାଯାଇଥିଲା। ଏଣିକି କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ‘ଓଡ଼ିଆ ଭଏସ୍ ବୋଟ୍’ ମାଧ୍ୟମରେ ସରକାରୀ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ ଓଡ଼ିଆ ଭାଷାରେ କଥାବାର୍ତ୍ତା କରାଯାଇ ସେମାନଙ୍କ ମତାମତ ଓ ସେବାର ଗୁଣବତ୍ତା ଆକଳନ କରାଯାଇପାରିବ। ଏହା ସହିତ ପୁରୁଣା ହସ୍ତଲିଖିତ ସରକାରୀ ରେକର୍ଡଗୁଡ଼ିକୁ ସହଜରେ ଡିଜିଟାଲାଇଜ୍ କରିବା ପାଇଁ ଓଡ଼ିଆ ଅକ୍ଷର ଚିହ୍ନଟ ପ୍ରଯୁକ୍ତି (OCR) ବ୍ୟବହାର କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ, ଝାରସୁଗୁଡ଼ା ଜିଲ୍ଲାକୁ ଏକ ସମନ୍ୱିତ ବିକାଶ ମଡେଲ୍‌ରେ ପରିଣତ କରିବା ପାଇଁ ଏକ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି। ଜିଲ୍ଲାପାଳ ଶ୍ରୀ କୁନାଲ ମୋତିରାମ ଚହ୍ୱାନଙ୍କ ଉପସ୍ଥାପନା ଅନୁଯାୟୀ, ସ୍ୱାସ୍ଥ୍ୟ, ଶିକ୍ଷା, ଶିଳ୍ପ, ଗମନାଗମନ, ବିମାନବନ୍ଦର ସମ୍ପ୍ରସାରଣ ଓ ସବୁଜ ଶକ୍ତି ଭଳି କ୍ଷେତ୍ରରେ ୨୫ଟି ପ୍ରମୁଖ ରଣନୀତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ, ଯାହା ଜିଲ୍ଲାରେ ବ୍ୟାପକ ରୋଜଗାର ସୃଷ୍ଟି କରିବ। ଏଥିସହିତ, ନିର୍ବାଚନୀ ତାଲିକାକୁ ତ୍ରୁଟିମୁକ୍ତ କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏସ୍ଆଇଆର (SIR) କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲା ପ୍ରଶାସନର ସହଯୋଗ ଲୋଡ଼ାଯାଇଛି।

ପବିତ୍ର ରଥଯାତ୍ରା ପରବର୍ତ୍ତୀ ସମସ୍ତ ଜନସେବା କାର୍ଯ୍ୟକୁ ସୁଚାରୁରୂପେ ତୁଲାଇବା ପାଇଁ ‘ଟିମ୍ ଓଡ଼ିଶା’ ମନୋଭାବ ନେଇ ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଓଡ଼ିଶାର ପ୍ରଗତିକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ତଥ୍ୟଭିତ୍ତିକ ନିଷ୍ପତ୍ତି, ସମୟବଦ୍ଧ ପ୍ରକଳ୍ପ ସଂପୂର୍ଣ୍ଣତା ଓ ନାଗରିକଙ୍କୁ ସର୍ବୋତ୍ତମ ସେବା ଯୋଗାଇଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତ ଅଧିକାରୀଙ୍କୁ ଆହ୍ୱାନ ଦେଇଛନ୍ତି।