Odisha

ଓଡ଼ିଶା ଯାତ୍ରୀ ଆପ୍‌ରେ ସ୍ମାର୍ଟ ସୁରକ୍ଷା ମଡ୍ୟୁଲ୍‌: ଗମନାଗମନ ଓ ଜନସୁରକ୍ଷାରେ ଦେଶରେ ପ୍ରଥମ ଓଡ଼ିଶା

ଭୁବନେଶ୍ୱର, ୨୯ ଜୁନ୍: ଓଡ଼ିଶା ସରକାର ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ନାଗରିକ ସୁରକ୍ଷା ବ୍ୟବସ୍ଥାକୁ ଏକ ନୂଆ ସ୍ତରକୁ ନେଇଯାଇଛନ୍ତି। ରାଜ୍ୟର ସରକାରୀ ଗମନାଗମନ ଆପ୍ ‘ଓଡ଼ିଶା ଯାତ୍ରୀ’ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇଛି। ଏହା ସହିତ ସରକାରୀ ଆପ୍ ମାଧ୍ୟମରେ ପରିବହନ ଓ ଜନସୁରକ୍ଷା ସେବାକୁ ଏକତ୍ର ଯୋଗାଇବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ ହେବାର ଗୌରବ ହାସଲ କରିଛି। ସୁରକ୍ଷିତ ଓ ସ୍ମାର୍ଟ ଓଡ଼ିଶା ଗଠନ ସହ ଜନସେବାକୁ ଗୋଟିଏ ନିର୍ଭରଯୋଗ୍ୟ ପ୍ଲାଟଫର୍ମରେ ଉପଲବ୍ଧ କରାଇବା ପାଇଁ ପ୍ରଶାସନର ଥିବା ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ପ୍ରମାଣିତ କରୁଛି।

ପୂର୍ବରୁ ‘ଓଡ଼ିଶା ଯାତ୍ରୀ’ ଆପ୍‌କୁ ଜନସାଧାରଣ କେବଳ ଅଟୋ-ରିକ୍ସା, କ୍ୟାବ୍ ବୁକିଂ, ‘ଆମ ବସ୍’ ସୂଚନା ଏବଂ ବୋଟିଂ ସେବା ଭଳି ଦୈନନ୍ଦିନ ଗମନାଗମନ ପାଇଁ ବ୍ୟବହାର କରୁଥିଲେ। ଏବେ ଏଥିରେ ବ୍ୟକ୍ତିଗତ ସୁରକ୍ଷା ପାଇଁ ଏକ ବ୍ୟାପକ ବ୍ୟବସ୍ଥା କରାଯାଇଛି, ଯାହାକୁ ସିଧାସଳଖ ଓଡ଼ିଶା ପୋଲିସ୍ ଏବଂ ଜାତୀୟ ଜରୁରୀକାଳୀନ ସେବା ‘୧୧୨’ ସହ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ରିୟଲ୍-ଟାଇମ୍ ଲୋକେସନ୍ ଆଧାରରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ।

ଏହି ସୁରକ୍ଷା ମଡ୍ୟୁଲ୍‌ର ଲୋକାର୍ପଣ ଅବସରରେ ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ, ନାଗରିକଙ୍କ ସୁରକ୍ଷା ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆବଶ୍ୟକ ସମୟରେ ନିର୍ଭରଯୋଗ୍ୟ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ ହେବା ଉଚିତ ଏବଂ ସରକାରୀ ସେବାକୁ ସହଜ ତଥା ସର୍ବବ୍ୟାପୀ କରିବାରେ ପ୍ରଯୁକ୍ତିବିଦ୍ୟାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଏହି ନୂତନ ସୁରକ୍ଷା ବ୍ୟବସ୍ଥାରେ ଅନେକ ଆଧୁନିକ ଫିଚର୍ସ ସାମିଲ କରାଯାଇଛି। ‘ୱାନ୍-ଟ୍ୟାପ୍ SOS’ ମାଧ୍ୟମରେ ଉପଭୋକ୍ତାମାନେ ସଙ୍କଟ ସମୟରେ ଓଡ଼ିଶା ପୋଲିସ୍ ଏବଂ ନିଜର ପ୍ରିୟଜନମାନଙ୍କ ପାଖକୁ ଲାଇଭ୍ ଲୋକେସନ୍ ସହ ସତର୍କ ସୂଚନା ପଠାଇପାରିବେ। ବିଶେଷ କରି ମୋବାଇଲ୍ ସ୍କ୍ରିନ୍ ବ୍ୟବହାର କରିବା ସମ୍ଭବ ହେଉନଥିବା ବେଳେ ଆଣ୍ଡ୍ରଏଡ୍ ଫୋନ୍‌କୁ ହଲାଇ କିମ୍ବା ଆଇଫୋନ୍‌ର ପଛ ଭାଗକୁ ଟ୍ୟାପ୍ କରି ‘ଜେସ୍ଚର-ଟ୍ରିଗର୍ଡ SOS’ ମାଧ୍ୟମରେ ସହାୟତା ଲୋଡ଼ିହେବ। ଏହା ସହିତ ପରିବାର ସଦସ୍ୟଙ୍କ ସହ ଲୋକେସନ୍ ସେୟାରିଂ, ଇମରଜେନ୍ସି ସାଇରେନ୍ ଏବଂ ଆମ୍ବିଏଣ୍ଟ ଅଡିଓ ରେକର୍ଡିଂ ଭଳି ସୁବିଧା ମଧ୍ୟ ରହିଛି, ଯାହା ଓଡ଼ିଆ ଓ ଇଂରାଜୀ ଉଭୟ ଭାଷାରେ ଉପଲବ୍ଧ।

ଏହି ଉନ୍ନତିକରଣ ସହ ‘ଓଡ଼ିଶା ଯାତ୍ରୀ’ କେବଳ ଏକ ପରିବହନ ଆପ୍‌ ମଧ୍ୟରେ ସୀମିତ ନରହି ଏକ ସମନ୍ୱିତ ଡିଜିଟାଲ୍ ପ୍ଲାଟଫର୍ମରେ ପରିଣତ ହୋଇଛି। ଆଗାମୀ ଦିନରେ ଏଥିରେ ଆନ୍ତଃସହର ବସ୍ ସେବା, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ପାଇଁ ଡିଜିଟାଲ୍ ଟିକେଟିଂ ଏବଂ ଅନ୍ୟାନ୍ୟ ଜନସେବାକୁ ସାମିଲ କରାଯାଇ ଏହାକୁ ଦେଶର ପ୍ରଥମ ସରକାରୀ ‘ସୁପର ଆପ୍’ ଭାବେ ଗଢ଼ିତୋଲିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗମନାଗମନ, ସୁରକ୍ଷା ଏବଂ ପ୍ରଶାସନିକ ସେବାକୁ ଏକକ ପ୍ଲାଟଫର୍ମକୁ ଆଣି ଏହି ଆପ୍ ରାଜ୍ୟର ଡିଜିଟାଲ୍ ଶାସନ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି।