Odisha

ସମବାୟ ଭବନରେ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ଉଦ୍‌ଘାଟିତ: ଆରମ୍ଭ ହେଲା ସପ୍ତାହବ୍ୟାପୀ ବୃହତ ଅଭିଯାନ

ଭୁବନେଶ୍ୱର, ୨୯ ଜୁନ୍ ୨୦୨୬: ଭୁବନେଶ୍ୱରସ୍ଥିତ ସମବାୟ ଭବନ ପରିସରରେ ଆଜି ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ମ ପ୍ରତିଷ୍ଠା ଦିବସ ମହାସମାରୋହରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ସମବାୟ ବିଭାଗର ନିର୍ଦ୍ଦେଶକ୍ରମେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ ଦ୍ୱାରା ଆୟୋଜିତ ଏହି ଉତ୍ସବ ଜରିଆରେ ଏକ ସପ୍ତାହବ୍ୟାପୀ (୨୯ ଜୁନ୍‌ ରୁ ୦୬ ଜୁଲାଇ) ବୃହତ ଜାତୀୟ ଅଭିଯାନର ଶୁଭାରମ୍ଭ କରାଯାଇଛି। ସମବାୟ ଆନ୍ଦୋଳନକୁ ଜନସାଧାରଣ, ବିଶେଷ କରି ମହିଳା, ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ସହ ଯୋଡ଼ିବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ଏହା ସହିତ ପ୍ରାଥମିକ କୃଷି ସମବାୟ ସମିତିର ବିକାଶ, କୃଷକଙ୍କ ସମ୍ମାନ, ବୃକ୍ଷରୋପଣ ଦ୍ୱାରା ‘ସବୁଜ ସମବାୟ’ର ସୃଷ୍ଟି ଏବଂ ସମବାୟ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (AI) ଭଳି ଆଧୁନିକ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରିବା ପାଇଁ ଏଥିରେ ବିଶେଷ ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯାଇଛି।

ଏହି ମହତ୍ତ୍ୱପୂର୍ଣ୍ଣ ଉତ୍ସବରେ ଓଡ଼ିଶାର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ ବଳସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ସଭାରେ ସମ୍ମାନିତ ଅତିଥି ଭାବେ ସମବାୟ ସମିତି ସମୂହର ନିବନ୍ଧକ ଶ୍ରୀଯୁକ୍ତ ମନୀଷ ଅଗ୍ରୱାଲ (ଆଇ.ଏ.ଏସ୍‌) ଏବଂ କୃଷି ବିପଣନ ନିର୍ଦ୍ଦେଶକ ତଥା ଓସ୍‌ମା ବୋର୍ଡର ମେମ୍ବର ସେକ୍ରେଟାରୀ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତି (ଆଇ.ଏ.ଏସ୍‌) ଉପସ୍ଥିତ ଥିଲେ। ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସଭାପତି ସୁଶ୍ରୀ ପ୍ରବାସିନୀ ଷଡଙ୍ଗୀ ଏହି ଅବସରରେ ସଭାପତିତ୍ୱ କରିଥିଲେ।

ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ବଳସାମନ୍ତ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀଙ୍କ “ସମବାୟରୁ ସମୃଦ୍ଧି” ସଂକଳ୍ପକୁ ଦୋହରାଇ କହିଥିଲେ ଯେ, ରାଜ୍ୟର ପ୍ରତିଟି ପଞ୍ଚାୟତରେ କୃଷିଋଣ, ଦୁଗ୍ଧ ଓ ମତ୍ସ୍ୟ ସମବାୟ ସମିତି ଗଠନ ପ୍ରକ୍ରିୟା ଜାରି ରହିଛି। ସେହିପରି ପ୍ୟାକ୍‌ସ (PACS) ଗୁଡ଼ିକୁ ବହୁମୁଖୀ ଏମ୍‌-ପ୍ୟାକ୍ସ (M-PACS) ରେ ପରିଣତ କରାଯାଇ ବିଭିନ୍ନ ବ୍ୟବସାୟିକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଜାତୀୟ ସମବାୟ ନୀତି-୨୦୨୫ ସହ ତାଳ ମିଳାଇ “ଓଡ଼ିଶା ସମବାୟ ନୀତି-୨୦୨୬” ପ୍ରସ୍ତୁତ ହୋଇସାରିଛି ବୋଲି ସେ ପ୍ରକାଶ କରିଥିଲେ। ଅନ୍ୟପଟେ ସମବାୟ ଅନୁଷ୍ଠାନଗୁଡ଼ିକୁ କିପରି ଅଧିକ ଲାଭଜନକ କରାଯାଇପାରିବ ସେ ନେଇ ଶ୍ରୀଯୁକ୍ତ ଅଗ୍ରୱାଲ ଏବଂ ସମବାୟ କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମିର ବିକାଶ ଉପରେ ଶ୍ରୀଯୁକ୍ତ ଚକ୍ରବର୍ତ୍ତି ନିଜ ନିଜର ବହୁମୂଲ୍ୟ ମତାମତ ରଖିଥିଲେ।

ଏହି ସ୍ମରଣୀୟ ଅବସରରେ ଅତିଥିମାନଙ୍କ ଦ୍ୱାରା ୟୁନିୟନ ପକ୍ଷରୁ ପ୍ରକାଶିତ ‘ସମବାୟ ସମାଚାର’ର ସ୍ୱତନ୍ତ୍ର ସଂଖ୍ୟା ଓ ‘ସମବାୟ ସର୍କୁଲାର’ ପୁସ୍ତକ ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ୟୁନିୟନର ପରିଚାଳନା ପରିଷଦ ସଦସ୍ୟ ଶ୍ରୀ ରଂଜନ କୁମାର ଦାସ ଓ ଓ.ଏସ୍‌.ଡି ଶ୍ରୀ ବ୍ରହ୍ମାନନ୍ଦ ପରିଡା ପ୍ରମୁଖ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଉତ୍ସବରେ ସମବାୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀମତୀ ଉଷାରାଣୀ ଦାସ, ଅତିରିକ୍ତ ସଚିବ ଶ୍ରୀମତୀ ବିଷ୍ଣୁପ୍ରିୟା ସାହୁ, ବିତ୍ତ ପରାମର୍ଶଦାତା ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁ, ଅତିରିକ୍ତ ନିବନ୍ଧକ ଶ୍ରୀ ଭକ୍ତବନ୍ଧୁ ସାହୁ, ଅତିରିକ୍ତ ନିବନ୍ଧକ ଶ୍ରୀମତୀ ରୋଜାଲିନ ସେନାପତି ଏବଂ ଅତିରିକ୍ତ ମହାସମୀକ୍ଷକ ଶ୍ରୀମତୀ ସୁନିତା ଶତପଥିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ସମବାୟବିତ ଉପସ୍ଥିତ ଥିଲେ। ଶେଷରେ ଓଡ଼ିଶା ରାଜ୍ୟ ସମବାୟ ୟୁନିୟନର ସମ୍ପାଦକ ଶ୍ରୀମତୀ ସୁନୀତା ପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।