Odisha

ନିଶା ମାଫିଆଙ୍କ ବିରୋଧରେ ଓଡ଼ିଶା ପୋଲିସର ବଡ଼ ଆକ୍ସନ: ଗଠନ ହେବ ସ୍ୱତନ୍ତ୍ର ଏଏନଟିଏଫ, ଖୋଲିବ ୪ଟି ନୂଆ ଏନଡ଼ିପିଏସ କୋର୍ଟ

ଭୁବନେଶ୍ୱର, ୧ ଜୁଲାଇ: ମାଦକ ଦ୍ରବ୍ୟ ଓ ବେଆଇନ ନିଶା କାରବାର ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇ ଓଡ଼ିଶା ପୋଲିସ ଏକ ବଡ଼ ସଫଳତା ହାସଲ କରିଛି। ସାରା ଦେଶରେ ଚାଲିଥିବା ‘ଜାତୀୟ ସ୍ତରୀୟ ପ୍ରାକ-ବିଚାରାଧୀନ ମାଦକଦ୍ରବ୍ୟ ବିନଷ୍ଟୀକରଣ ବିଶେଷ ଅଭିଯାନ’ ଅଧୀନରେ ଆଜି ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅଭିଯାନ ମାଧ୍ୟମରେ ଓଡ଼ିଶା ପୋଲିସ ବେଆଇନ ନିଶା ମାଫିଆଙ୍କ ନେଟୱାର୍କକୁ ଧ୍ୱଂସ କରିବା ସହ ରାଜ୍ୟରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ନିଜର ସଂକଳ୍ପକୁ ଦୋହରାଇଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ନିର୍ଦ୍ଦେଶକ୍ରମେ ଜୁନ୍ ୨୬ରୁ ଜୁଲାଇ ୧୦, ୨୦୨୬ ପର୍ଯ୍ୟନ୍ତ ଏହି ଦେଶବ୍ୟାପୀ ଅଭିଯାନ ଜାରି ରହିବ।

ଏହି ସଫଳତା ସମ୍ପର୍କରେ ସୂଚନା ଦେଇ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଜଣାଇଛନ୍ତି ଯେ, ଜୁଲାଇ ୨୦୨୪ରୁ ମାର୍ଚ୍ଚ ୨୦୨6 ମଧ୍ୟରେ ଓଡ଼ିଶା ପୋଲିସ ପ୍ରାୟ ୧,୯୧୧ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ (୬୩,୭୨୦ ଏକରରୁ ଅଧିକ ଜମି) ସମ୍ପୂର୍ଣ୍ଣ ନଷ୍ଟ କରିଛି। ଏହା ବ୍ୟତୀତ ୨,୪୪୫ଟି ମାମଲା ରୁଜୁ କରାଯାଇ ୩,୫୦୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୨,୧୦୬ କୋଟି ଟଙ୍କାର ୪୨୧ ଟନ୍ ଗଞ୍ଜେଇ ଜବତ କରାଯାଇଛି। ଏହି କ୍ରମରେ କୋରାପୁଟ ଜିଲ୍ଲା ପୋଲିସ ଏକ ବଡ଼ ସଫଳତା ପାଇ ୨୨୫ କୋଟି ଟଙ୍କାର ୧,୮୦୦ ଲିଟର ଗଞ୍ଜେଇ ତେଲ ଏବଂ ୫ କୋଟି ଟଙ୍କାର ଗଞ୍ଜେଇ ଜବତ କରିବା ସହ ଏହାର ମୁଖ୍ୟ ୪ ଜଣ ଅଭିଯୁକ୍ତଙ୍କୁ କେରଳରୁ ଗିରଫ କରିଛି। ସେହିପରି ଏସଟିଏଫ ପକ୍ଷରୁ କନ୍ଧମାଳ, ବୌଦ୍ଧ ଓ ସୋନପୁର ଅଞ୍ଚଳରେ ସକ୍ରିୟ ଥିବା ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ମଧ୍ୟ କାବୁ କରାଯାଇଛି।

ନିଶା କାରବାର ବିରୋଧୀ ଆଇନଗତ ପ୍ରକ୍ରିୟାକୁ ଅଧିକ ଦ୍ରୁତ କରିବା ପାଇଁ ରାଜ୍ୟ ସରକାର ଭୁବନେଶ୍ୱର, ଖୋର୍ଦ୍ଧା, ଅନୁଗୁଳ ଓ ସମ୍ବଲପୁରଠାରେ ୪ଟି ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ପ୍ରତିଷ୍ଠା ପାଇଁ ଅନୁମୋଦନ ଦେଇଛନ୍ତି। ଏହା ସହିତ ଜଣେ ଏଡିଜିପି ପାହ୍ୟାର ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଆଣ୍ଟି ନାର୍କୋଟିକ୍ସ ଟାସ୍କ ଫୋର୍ସ (ଏଏନଟିଏଫ) ଗଠନ ହେବ, ଯାହା ଅଧୀନରେ ୧୦ଟି କ୍ଷେତ୍ରୀୟ ୟୁନିଟ୍ ଏବଂ ୧୯ଟି ସ୍ୱତନ୍ତ୍ର ଇଣ୍ଟେଲିଜେନ୍ସ ୟୁନିଟ୍ କାର୍ଯ୍ୟ କରିବେ। ପ୍ରତିବର୍ଷ ଅତିକମରେ ୧୦୦ ଜଣ ବଡ଼ ଡ୍ରଗ୍ ମାଫିଆଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ କଠୋର ଆର୍ଥିକ ତଦନ୍ତ କରାଯିବ, ଯାହାଦ୍ୱାରା ନିଶା ବ୍ୟବସାୟର ମୂଳୋତ୍ପାଟନ କରାଯାଇପାରିବ।

ଅନ୍ୟପଟେ ନିଶାମୁକ୍ତ ସମାଜ ଗଠନ ପାଇଁ ଜନସଚେତନତା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ୩୫ଟି ପୋଲିସ ଜିଲ୍ଲାର ୫୫୦ରୁ ଅଧିକ ଥାନାରେ ଆୟୋଜିତ ଶପଥପାଠ କାର୍ଯ୍ୟକ୍ରମରେ ୨୫ ହଜାରରୁ ଅଧିକ ସାଧାରଣ ନାଗରିକ, ୪,୮୮୨ ଜଣ ଛାତ୍ରଛାତ୍ରୀ ଏବଂ ୩୩୭ ଜଣ ଶିକ୍ଷକ ସାମିଲ ହୋଇଛନ୍ତି। ରାଜ୍ୟର ୭ଟି ଅନୁମୋଦିତ କେନ୍ଦ୍ରରେ ପ୍ରାୟ ୪୧୦ କୋଟି ଟଙ୍କା ମୂଲ୍ୟର ଜବତ ମାଦକଦ୍ରବ୍ୟ (୮୦ ଟନ୍ ଗଞ୍ଜେଇ, ୧୧.୪ କିଲୋଗ୍ରାମ ବ୍ରାଉନ୍ ସୁଗାର ଏବଂ ୩,୬୩୮ ବୋତଲ କଫ୍ ସିରପ) ଧ୍ୱଂସ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୬ ଟନ୍ ଗଞ୍ଜେଇ ସଫଳତାର ସହ ବିନଷ୍ଟ କରାଯାଇଛି। ଏହି କାର୍ଯ୍ୟକ୍ରମରେ କ୍ରାଇମ୍ ବ୍ରାଞ୍ଚ ଏଡିଜି ଶ୍ରୀ ବିନୟ ତୋଷ ମିଶ୍ର, ଆଇଜିପି ଡ଼ ସାର୍ଥକ ଷଡଙ୍ଗୀ ଏବଂ ଏସଟିଏଫ ଡିଆଇଜି ଡ଼ କନୱର ବିଶାଳ ସିଂଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।