ଭୁବନେଶ୍ୱର, ୦୧ ଜୁଲାଇ: ରାଜ୍ୟରେ ମୌସୁମୀ ପ୍ରଭାବରେ କ୍ରମାଗତ ବର୍ଷା ଜାରି ରହିଥିବା ବେଳେ ବିଭିନ୍ନ ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବା ଆଶଙ୍କା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍ବି)କୁ ସମ୍ପୂର୍ଣ୍ଣ ସତର୍କ ବା ହାଇ ଆଲର୍ଟରେ ରହିବାକୁ ଜଡ଼ିତ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼. କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀ ଓ ପୌରସଂସ୍ଥାଗୁଡ଼ିକୁ ବର୍ଷା ଜନିତ ଯେକୌଣସି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ଯେ, ଏହି ବର୍ଷା ଋତୁରେ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଓ ସେମାନଙ୍କୁ ବିନା ବାଧାରେ ଜରୁରୀ ସେବା ଯୋଗାଇବା ସରକାରଙ୍କ ପ୍ରମୁଖ ଦାୟିତ୍ୱ। ତେଣୁ ବିପର୍ଯ୍ୟୟ ସମୟରେ ତୁରନ୍ତ ସହାୟତା ପହଞ୍ଚାଇବା ପାଇଁ ସମସ୍ତ ୟୁଏଲ୍ବି ସର୍ବଦା ପ୍ରସ୍ତୁତ ରହିବା ଏକାନ୍ତ ଆବଶ୍ୟକ।
ଏହି ସମୀକ୍ଷା ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ମହାନଗର ନିଗମ, ପୌରପାଳିକା ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି) ପାଇଁ ଏକ ଜରୁରୀ ଆଡଭାଇଜରୀ ବା ନିର୍ଦ୍ଦେଶନାମା ଜାରି କରାଯାଇଛି। ସହରର ପୂର୍ବରୁ ଚିହ୍ନଟ ହୋଇଥିବା ତଳିଆ ଅଞ୍ଚଳ ଏବଂ ହଟ୍ସ୍ପଟ୍ଗୁଡ଼ିକରେ ଯେପରି ପାଣି ନ ଜମେ, ସେଥିପାଇଁ ପୂର୍ବ ପ୍ରସ୍ତୁତି ସ୍ୱରୂପ ସମସ୍ତ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ଏଥିରେ କୁହାଯାଇଛି। ବିଶେଷ କରି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଜରିଆରେ ସ୍ଥିତି ଉପରେ ନଜର ରଖିବା, ରାପିଡ୍ ଆକ୍ସନ ଟିମ୍ଗୁଡ଼ିକୁ ସକ୍ରିୟ ରଖିବା ଏବଂ ପ୍ରଭାବିତ ଅଞ୍ଚଳରୁ ପାଣି ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ପମ୍ପ ଓ ଡି-ୱାଟରିଂ ମେସିନ ପ୍ରସ୍ତୁତ ରଖିବାକୁ ପୌର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସହରବାସୀଙ୍କ ସୁବିଧା ପାଇଁ ପୌର ଉଚ୍ଚପଦସ୍ଥ ଅଧିକାରୀ, ଯନ୍ତ୍ରୀ ଓ ସଫେଇ କର୍ମଚାରୀମାନେ ନିଜ ନିଜ ଅଞ୍ଚଳରେ କ୍ଷେତ୍ର ପରିଦର୍ଶନ ଅଧିକ ବଢ଼ାଇବେ। ବର୍ଷା ଯୋଗୁଁ ସୃଷ୍ଟି ହେଉଥିବା ଡ୍ରେନେଜ୍ ସମସ୍ୟା, ନାଳ ଅବରୋଧ କିମ୍ବା ଗଛ ଉପୁଡ଼ିବା ଭଳି ଘଟଣାର ତୁରନ୍ତ ସମାଧାନ କରାଯିବ। ଏହି ସମସ୍ତ କାର୍ଯ୍ୟକୁ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ସ୍ଥାନୀୟ ଜିଲ୍ଲା ପ୍ରଶାସନ, ଓଡ଼ଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ODMA) ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗ ସହିତ ସମନ୍ୱୟ ରକ୍ଷା କରାଯିବ।
ଅନ୍ୟପକ୍ଷରେ, ଜନସାଧାରଣଙ୍କ ସମସ୍ୟାର ସିଧାସଳଖ ଶୁଣାଣି ପାଇଁ ସହରାଞ୍ଚଳ ଅଭିଯୋଗ ନିବାରଣ ହେଲ୍ପଲାଇନ ନମ୍ବର ‘ସହର ସାଥୀ-୧୯୨୯’କୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇଛି। ସହରରେ ଜଳବନ୍ଦୀ କିମ୍ବା ଡ୍ରେନେଜ୍ ଜନିତ କୌଣସି ସମସ୍ୟା ଦେଖାଦେଲେ ନାଗରିକମାନେ ଏହି ନମ୍ବରରେ କଲ୍ କରି ନିଜର ଅଭିଯୋଗ ଜଣାଇପାରିବେ। ରାଜ୍ୟ ସରକାର ସହରଗୁଡ଼ିକର ସ୍ଥିତି ଉପରେ ସତତ ନଜର ରଖିଛନ୍ତି ଏବଂ ଜନସାଧାରଣଙ୍କ ସୁରକ୍ଷା ଲାଗି ସମସ୍ତ ପ୍ରକାର ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।