Health

ଜାତୀୟ ଡାକ୍ତର ଦିବସରେ କିମ୍‍ସର କୃତୀ ଗବେଷକ ସମ୍ମାନିତ; ବିଶ୍ୱର ଶ୍ରେଷ୍ଠ ୫ ପ୍ରତିଶତ ବୈଜ୍ଞାନିକ ତାଲିକାରେ ପାଇଛନ୍ତି ସ୍ଥାନ

ଭୁବନେଶ୍ୱର, ୧ ଜୁଲାଇ: କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (କିମ୍‍ସ) ପରିସରରେ ଜାତୀୟ ଡାକ୍ତର ଦିବସ ଅବସରରେ ଏକ ସ୍ୱେଚ୍ଛାସେବୀ ଓ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏହି ବିଶେଷ କାର୍ଯ୍ୟକ୍ରମରେ କିଟ୍, କିସ୍ ଓ କିମ୍‍ସର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନବ ସେବାରେ ଡାକ୍ତରମାନଙ୍କର ଅମୂଲ୍ୟ ଯୋଗଦାନ ଏବଂ ସେମାନଙ୍କର ପ୍ରତିବଦ୍ଧତାକୁ ଭୂୟସୀ ପ୍ରଶଂସା କରିଥିଲେ। ଡାକ୍ତରମାନଙ୍କୁ ପୃଥିବୀ ପୃଷ୍ଠରେ ଭଗବାନଙ୍କ ଦ୍ୱିତୀୟ ରୂପ ଭାବେ ବର୍ଣ୍ଣନା କରି ସେ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ଓ ସେବା ମନୋଭାବ ପାଇଁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ। ପ୍ରସିଦ୍ଧ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ମହାନ ଆଦର୍ଶକୁ ସ୍ମରଣ କରି ଡାକ୍ତରମାନେ ସମାଜ ପ୍ରତି ସହାନୁଭୂତି ଓ ସର୍ମପଣ ଭାବ ରଖି କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏଥିସହିତ ଏକ ସାଧାରଣ ପ୍ରୟାସରୁ ଆରମ୍ଭ ହୋଇଥିବା କିମ୍‍ସ ଆଜି କିଭଳି ଜାତୀୟ ସ୍ତରର ଏକ ଅଗ୍ରଣୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ଗୌରବ ଲାଭ କରିଛି, ସେ ବିଷୟରେ ସେ ନିଜର ବକ୍ତବ୍ୟ ରଖିଥିଲେ।

ଏହି ସମାରୋହରେ କିମ୍‍ସ ମେଡିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଆର.ସି. ଦାସ ସାମିଲ ହୋଇ ରୋଗୀଙ୍କ ସେବା କରିବା ସହିତ ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଡାକ୍ତରମାନଙ୍କୁ ବହୁମୂଲ୍ୟ ପରାମର୍ଶ ଦେଇଥିଲେ। ଅନ୍ୟକୁ ରୋଗମୁକ୍ତ କରିବା ସହ ନିଜକୁ ସୁସ୍ଥ ରଖିବା ମଧ୍ୟ ଜଣେ ଚିକିତ୍ସକଙ୍କର ସମାନ ଦାୟିତ୍ୱ ବୋଲି ସେ ମତବ୍ୟକ୍ତ କରିଥିଲେ। ଅପରପକ୍ଷରେ କିମ୍‍ସ ପରାମର୍ଶଦାତା ଡାକ୍ତର ଆର.ଏନ. ସାମନ୍ତ ଆଗାମୀ ପିଢ଼ିର ଡାକ୍ତରମାନଙ୍କୁ ଏହି ପବିତ୍ର ବୃତ୍ତିର ଗାରିମା, ମର୍ଯ୍ୟାଦା ଏବଂ ସାଧାରଣ ଲୋକଙ୍କ ବିଶ୍ୱାସ ଅକ୍ଷୁଣ୍ଣ ରଖିବା ପାଇଁ ଅନୁରୋଧ କରିଥିଲେ।

ସେହିଭଳି କିଟ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ଏମେରିଟସ୍ ସି.ବି.କେ. ମହାନ୍ତି ଚିକିତ୍ସା କ୍ଷେତ୍ରରେ ସମାନତା ଉପରେ ଗୁରୁତ୍ୱ ଦେଇ କହିଥିଲେ ଯେ, ରୋଗୀର ଆର୍ଥିକ ସ୍ଥିତି ଯାହା ହୋଇଥାଉ ନା କାହିଁକି ସମସ୍ତଙ୍କୁ ସମାନ ସ୍ୱାସ୍ଥ୍ୟସେବା ଯୋଗାଇଦେବା ହିଁ ପ୍ରତିଷ୍ଠାତାଙ୍କର ପ୍ରକୃତ ଦୂରଦୃଷ୍ଟି। ରୋଗୀ ସେବା ସମୟରେ କରୁଣା, ପରୋପକାର ଏବଂ ଆଧୁନିକ ଚିକିତ୍ସା ପଦ୍ଧତିର ସମନ୍ୱୟ ରହିବା ଆବଶ୍ୟକ ବୋଲି ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟତମ ବକ୍ତା ପ୍ରଫେସର ଏମେରିଟସ୍ ପଦ୍ମଶ୍ରୀ ୱାଇ.କେ. ଚାୱଲା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନିରନ୍ତର ଶିକ୍ଷା, ନୂତନ ଗବେଷଣା ଓ ଉଦ୍ଭାବନର ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ସେ ଗର୍ବର ସହ ଉଲ୍ଲେଖ କରିଥିଲେ ଯେ କିମ୍‍ସର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ବଳରେ ଦିଲ୍ଲୀ ଏମ୍‍ସ ଏବଂ ପିଜିଆଇଏମଇଆର ଚଣ୍ଡିଗଡ଼ ଭଳି ପ୍ରମୁଖ ରାଷ୍ଟ୍ରୀୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କ ସହ ସମକକ୍ଷ ହୋଇପାରିଛନ୍ତି। ଏହି ସଫଳତାକୁ ବଜାୟ ରଖିବା ପାଇଁ ସେ ଅଧ୍ୟାପକ ଓ ଛାତ୍ରଛାତ୍ରୀ ସମସ୍ତଙ୍କୁ ଶିକ୍ଷାଗତ ତଥା ଗବେଷଣା କ୍ଷେତ୍ରରେ ଅଧିକ ସକ୍ରିୟ ରହିବାକୁ ପ୍ରେରଣା ଦେଇଥିଲେ। ଶେଷରେ, ସାଇ ରାଙ୍କ ଗ୍ଲୋବାଲ୍ ଇଣ୍ଡେକ୍ସ ୨୦୨୫ର ବିଶ୍ୱର ଶ୍ରେଷ୍ଠ ୫ ପ୍ରତିଶତ ବୈଜ୍ଞାନିକ ଓ ଗବେଷକଙ୍କ ମାନ୍ୟତା ତାଲିକାରେ ସ୍ଥାନ ପାଇଥିବା କିମ୍‍ସର କୃତୀ ଡାକ୍ତର ଏବଂ ଗବେଷକମାନଙ୍କୁ ଏହି ଅବସରରେ ଆନୁଷ୍ଠାନିକ ଭାବେ ସମ୍ମାନିତ କରାଯାଇଥିଲା।